Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବଗଡ଼ ଜିଲ୍ଲା ପାଇଁ ୨୦୫ କୋଟି ଟଙ୍କାର ବିକାଶ ଯୋଜନାରେ ମୁଖ୍ୟମନ୍ତ୍ରୀ, ଅବହେଳିତ ଜିଲ୍ଲାକୁ ଦେଲେ ପ୍ରାଥମିକତା

ସମ୍ବଲପୁର:ଅଭିଭକ୍ତ ସମ୍ବଲପୁର ଜିଲ୍ଲାର ଦେବଗଡ଼ କୁ ଏବେ ଇଆଯାଇଛି ବିକାଶର ପ୍ରାଥମିକତା।ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଦେବଗଡ଼ ଜିଲ୍ଲା ଗସ୍ତରେ ଆସି ସେଠାରେ ପ୍ରାୟ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ ଦେବଗଡ଼ ଜିଲ୍ଲା ପାଇଁ ଆଜି ୩୦୦ ଶଯ୍ୟା ବିଶିଷ୍ଟ ନବ ନିର୍ମିତ ଡାକ୍ତରଖାନା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦ୍‍ଘାଟିତ ହୋଇଛି ।
ସାମାଜିକ ଗତିଧାରା ଭିତରୁ ବହୁ ଦୂରରେ ରହିଥିବା ଦେବଗଡ଼ ଜିଲ୍ଲା କିନ୍ତୁ ଆଜି ବିକାଶଧାରାରେ ସାମିଲ ହୋଇ ଜୀବନ ଜୀବିକା ସହିତ ସ୍ୱାସ୍ଥ୍ୟ ସୁରକ୍ଷାର ନୁଆଁ ବାଟ ପାଇଛି। ଏହାକୁ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରକଳ୍ପ ଗୁଡିକ ମଧ୍ୟରେ ୧୧ଟି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଏବଂ ୪ ଟି ଶିକ୍ଷା ଭିତ୍ତିଭୂମି ଉନ୍ନତିକରଣ ପ୍ରକଳ୍ପ ରହିଛି। ଯାହାକି ଜୀବନ ଧାରଣ ସହିତ ଯୋଡ଼ିଛନ୍ତି ରାଜ୍ୟ ସରକାର।
ଏହି କାର୍ଯ୍ୟକ୍ରମ ଅବସରରେ ରାଜ୍ୟର ସମସ୍ତ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳିଙ୍କ ପାଇଁ ୪୧ କୋଟି ୧୭ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥିରେ କେନ୍ଦୁପତ୍ର ତୋଳାଳୀଙ୍କୁ ଚପଲ ପାଇଁ ୧୬୦ ଟଙ୍କା, କେରି ସଂଗ୍ରହ କପଡା ପାଇଁ ୨୦୦ ଟଙ୍କା, ତୋଳାଳୀ ଓ ସିଜନାଲ ଷ୍ଟାଫଙ୍କ ଟୋପି ପାଇଁ ୧୦୦ ଟଙ୍କା, ବନ୍ଧାଳି ମାନଙ୍କ ପାଇଁ ମଶାରୀ ଓ କମ୍ବଳ ପାଇଁ ଜଣଙ୍କ ପିଛା ୭୦୦ ଟଙ୍କା ପ୍ରଦାନ କରାଯିବ । ଏହାଦ୍ୱାରା ରାଜ୍ୟର ପ୍ରାୟ ୯ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳି ଓ ସିଜନାଲ ଷ୍ଟାଫ ଉପକୃତ ହେବେ।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଦେବଗଡ ଜିଲ୍ଲାର ବିକାଶ ପାଇଁ ସମସ୍ତ ସାମର୍ଥ୍ୟ ଅଛି। ଆମେ ତାହାର ସଠିକ ଉପଯୋଗ କରି ଜିଲ୍ଲାକୁ ରାଜ୍ୟ ବିକାଶ ଧାରାର ମୁଖ୍ୟସ୍ରୋତରେ ଯୋଡିବୁ।ନୁଆଁ ସରକାର ଆସିବା ପରେ ଆମେ ଓଡିଶାର ୩୦ଟି ଜିଲ୍ଲାର ସମାନୁପାତିକ ବିକାଶକୁ ଗୁରୁତ୍ୱ ଦେଉଛୁ। ସମାଜର ଶେଷ ଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ ସେଥିପ୍ରତି ଆମେ ଗୁରୁତ୍ୱ ଦେଉଛୁ।
ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ଶିଳ୍ପ, ପୁଞ୍ଜିନିବେଶ ଓ ରୋଜଗାର ଉପରେ ଗୁରୁତ୍ୱ ଦେଲେ ହିଁ ସମୃଦ୍ଧ ଓଡ଼ିଶା ଗଠନର ସ୍ଵପ୍ନ ସମ୍ଭବ ହୋଇପାରିବ। ସମସ୍ତଙ୍କୁ ନେଇ ସବୁ କ୍ଷେତ୍ରର ବିକାଶ ଜରିଆରେ ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡିଶା ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ କରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଦେବଗଡ ଜିଲ୍ଲାକୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ଆମର ପ୍ରାଥମିକ ଲକ୍ଷ୍ୟ । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ବିଜୁଳି ଓ ଗମନାଗମନ ଭଳି ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ତାଙ୍କ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ଏପରିକି ଓଡିଶାର ଜନସାଧାରଣକୁ ଯେଉଁ ପ୍ରତିଶ୍ରୁତି ଦେଇ ବିଜେପି ସରକାର ଗଢିଛି ଓ ଲୋକଙ୍କ ସେବା କରିବାର ଦାୟିତ୍ୱ ନେଇଛି ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ନୁଆଁ ସରକାର ଗୋଟିଏ ମିନିଟ ବି ନଷ୍ଟ କରିନାହିଁ। ସରକାର ଆସିବାର ଏକ ବର୍ଷ ହେବାକୁ ମାତ୍ର ୯ ଦିନ ବାକି ଅଛି। ଆଉ ଏଇ ଏକ ବର୍ଷ ଭିତରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟର ସାମଗ୍ରୀକ ବିକାଶ ପାଇଁ ଅନେକ ଉନ୍ନୟନମୂଳକ ଓ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ, ଡ. ମୁକେଶ ମହାଲିଙ୍ଗ, ଦେବଗଡ ବିଧାୟକ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ ପ୍ରମୁଖ ଦେବଗଡ଼ ବିକାଶ ଉପରେ ନିଜ ମତ ରଖିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡଃ ବିଶ୍ଵମୋହନ ମିଶ୍ର ଧନ୍ୟବାଦ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ