Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଜିଗଲା ପ୍ରକୃତିର ଦ୍ୱାର:ରେଙ୍ଗାଲି ଏବେ ବୋଝର ପାହାଡ଼

ସମ୍ବଲପୁର:ପ୍ରକୃତିର ଧରିତ୍ରୀ। ପରିବେଶର ମାଟି। ଚାଷ ଚାଷୀର ମଉଡମଣୀ ଏବେ ଧରାଶୂନ୍ୟ। ମାଲିକ ମାଲିକାନା ସହିତ ପ୍ରଶାସନିକ ଦଖଲ ବଢିଲା ସତ କିନ୍ତୁ ସଂଗ୍ରାମର ସ୍ୱର ଓ ସ୍ଵାକ୍ଷର ଏବେ ନିଶ୍ଚିନ୍ନ ହେବାକୁ ଯାଉଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଭଳି ଶାନ୍ତ ସରଳ ପ୍ରକୃତିର କୋଳ।
ମାଟି ମା ମମତା ପାଇଁ ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ତେଜସ୍ୱୀର ଇତିହାସ ସାଇତି ରଖିଗଲେ ସତ ହେଲେ ସେହି ମାଟି ଏବେ ଧରାଶାୟୀ। ଏହି ମାଟିରେ ଚାକିଛି ବ୍ରିଟିଶ ଶାସନ ପରି ମଣିଷ କୃତ ନିର୍ଯାତନା। କ୍ଷଣି କ୍ଷଣିକେ ମଣିଷ ଏଠି ବାଷ୍ପରୁଦ୍ଧ। ଶତାୟୁ ଆୟୁଷ ର ଧରିତ୍ରୀ କୋଳରେ ଏବେ ହଳାହଳ ବିଷ ର ବଳୟ। ଖଣ୍ଡ ଖଣ୍ଡ ହୋଇଯାଉଛି ରେଙ୍ଗାଲିର ବିଶେଷତ୍ୱ।ସତେ ଯେପରି ଏକଦା ଶାନ୍ତ ସରଳ ନିରାପଦ ଥିବା ରେଙ୍ଗାଲି ପରି ମହାପୁଣ୍ୟର ମହାଜୀବନରେ ଲଙ୍ଘି ଆସୁଛି ମହାବିପଦ।
ଏକଦା ପରିବେଶ ରେ ପରିପୂର୍ଣ୍ଣ ରେଙ୍ଗାଲିର କରୁଣ କାହାଣୀ ଏବେ ବଡ଼ ବିଚିତ୍ର।ହଜିଗଲା ରେଙ୍ଗାଳ, ଶାଳ, ପତ୍ରା ଝାର ଜଙ୍ଗଳ।ଲୋପ ପାଇଲେ ବନ୍ୟ ଜୀବ ଜନ୍ତୁ।ଏବେ ହଳାହଳ ବିଷ ବଳୟରେ କଟୁଛି ଦୁର୍ବିସହ ଜୀବନ।
ହଜିଗଲା ଗାଁ ମାଟିର ବାସ୍ନା। ବିଛିନ୍ନ ହେଲା ପାରସ୍ପରିକ ସମ୍ପର୍କ। ରେଙ୍ଗାଲି ଏବେ କେହି ନୁହେଁ କାହାର। ସାଜିଛି ବ୍ୟବସାୟର ଗନ୍ତାଘର। ରେଙ୍ଗାଳ ବନ ପାଇଁ ରେଙ୍ଗାଲିର ଗାଁ ର ଜନ୍ମ। ଶାଳ ପାଇଁ ସାଲଟ ଗାଁର ନାମକରଣ ପରି ପତ୍ରାପାଲି ଝାର ପତରା ଇତିହାସ ପୃଷ୍ଠା ରେ ରହିଯିବ ସତ କିନ୍ତୁ ରେଙ୍ଗାଲି ଫେରି ପାଇବ ତା ହୃତ ଗୌରବ ଏହା ଆଉ ବିଶ୍ୱାସ ହେଉନାହିଁ।ରେଙ୍ଗାଲି, ସାଲଡ଼,ପତ୍ରାପାଲି ଦିନେ ଥିଲା ଘଞ୍ଚ ଅରଣ୍ୟର ମହାଦୀପ। ଏହାର ସୁରକ୍ଷା ପାଇଁ ଦିନରାତି ଏକ କରି ଦେଇଥିବା ଅନେକ ତ୍ୟାଗୀ ପ୍ରକୃତି ବନ୍ଧୁ ଙ୍କୁ ଦିନେ ଭାରତ ସରକାରଙ୍କ ପକ୍ଷରୁ ପ୍ରକୃତିମିତ୍ର ପୁରସ୍କାର ଦିଆଯାଇଥିଲା। ସେହି ପ୍ରକୃତି ପୁରୁଷ କିନ୍ତୁ ଆଜି ଲଙ୍ଗଳା।ନିଜ ମନ ପ୍ରାଣ ଦେଇ ଶାଳବନର ଗାରିମା ଆଣିଥିବା ଜଙ୍ଗଲ ହତ୍ୟାର ବିରୋଧ କରି ଥାନା ହାଜତକୁ ଯିବା ଭଳି ଘଟଣା ଘଟିସାରିଲାଣି। ଦୁଲ୍ଲଭ ଜୀବନ ପାଇଁ ତ୍ୟାଗୀ ମଣିଷକୁ ମହାଙ୍ଗା ହୋଇଗଲାଣି ଶିଳ୍ପ ମନ୍ତ୍ରଣା। ଶିଳ୍ପଯଜ୍ଞରେ ଛନ୍ଦି ହୋଇଯାଇଛି ରେଙ୍ଗାଲି।ଗୋଟିଏ କି ଦୁଇଟି ନୁହେଁ, ବରଂ ରେଙ୍ଗାଲିରେ ଗଢିଉଠିଲାଣି ଛଅ ଛଅଟି କାରଖାନା।କାରଖାନା କିନ୍ତୁ ହୋଇନି କାହାର। ବିଶ୍ୱାସ ର ବିଶ୍ୱାସଘାତକତା କରି ଲୁଟୁଛି ସମ୍ପଦ। ଶିଳ୍ପ ସଂସ୍ଥା ର ହାତ ବାରିଶି ସାଜିଛି ସରକାର ଓ ପ୍ରଶାସନ। ସବୁ ଆଇନ କାନୁନ କୁ ଉଲଂଘନ କରି ଶିଳ୍ପ ତାର ମନ ମର୍ଜୀ କାମ କରୁଥିଲେ ବି ଶାସନ ପ୍ରଶାସନ ନିରବଦ୍ରଷ୍ଟା। ସତେ ଯେମିତି ରେଙ୍ଗାଲି ଅଞ୍ଚଳର ନିରୀହ ମଣିଷର ଦାଉ ସାଧିବା ପରି ବ୍ୟବହାର ଭିତରେ ରେଙ୍ଗାଲି ହରାଇ ବସୁଛି ନିଜର ପୂର୍ବ ଐତିହ୍ୟର କୀର୍ତ୍ତିରାଜି।
ଶିଳ୍ପ ମନ୍ତ୍ରଣାରେ ପ୍ରକୃତି ପୁରୁଷକୁ ଯନ୍ତ୍ରଣା ଦେବା ଛଡା ବନ ସୁରକ୍ଷା ପ୍ରତି କାହାର ସୁଦ୍ଧା ତିଳେ ମାତ୍ର ନଜର ନାହିଁ।ଫଳରେ ଧରିତ୍ରୀ ମାଟି ମା ଉପରେ ଚାଲିଛି ପ୍ରତିଦିନ ବସ୍ତ୍ର ହରଣ। ଲୋପ ପାଇବାକୁ ଯାଉଛି ପ୍ରକୃତିର ସବୁଜିମା।ହୁଳା ହୁଳା ଧୂଆଁ ର ବିଷ ବଳୟରେ ଶ୍ୱାସଋଦ୍ଧ ହେଉଛି ପ୍ରାଣୀ ଜଗତ। ରେଙ୍ଗାଲି ରେ ଆଉ ଶୁଭୁନି ଗାଈର ହମ୍ବା ରଡିକି, ଛେଲିର ମେଁ ମେଁ ଡାକ। ପକ୍ଷୀଙ୍କ ମଧ୍ୟ ନାହିଁ କୋଳା ରାବ। ବସନ୍ତରେ କୋଇଲି ଗାଉନି ଗୀତକି କି ପତ୍ରାପାଲିରେ ଶୁଭୁନି ଆଉ ଝିଙ୍କ ଝିଙ୍କାରିଙ୍କ ସ୍ୱର। ସତତରେ କେତେ ପରିବର୍ତ୍ତନ ହେଲାଣି ରେଙ୍ଗାଲି। ତଥାପି ନାଁ ଅଛି କାହାର ସ୍ୱର ନାଁ ପ୍ରତିବାଦ। କେଡେ ସ୍ୱାର୍ଥପର ଏ ମଣିଷ ସମାଜ!
ରେଙ୍ଗାଲିରୁ ହଜିଗଲା ସବୁଜିମା। ଏବେ କଳା ରାକ୍ଷସ ପରି ରହିଛି ଗାଁ ଦାଣ୍ଡ, ଜମି ଜଙ୍ଗଳ।ହରାଇଛି ଜୈବ ବିବିଧତା। ହାରିଛି ଚାଷୀ। ଶିଳ୍ପପତି ର ରାଜ ରେ ଛନ୍ଦି ହୋଇଛି ରେଙ୍ଗାଲି।ବଦଳି ଗଲା ସରକାରୀ ନଥିପତ୍ର।ହଜି ଗଲା ସ୍ମୃତି,ଶିଳ୍ପ ସମୃଦ୍ଧ ରେଙ୍ଗାଲି ବୋଲି ପିଟା ଚାଲିଛି ଡିଙ୍ଗୁରା। କିନ୍ତୁ ସବୁ ଢିଲା ମେଳାର ଶାସନତନ୍ତ୍ରରେ ରେଙ୍ଗାଲି କିନ୍ତୁ ହରାଇଲା ନିଜର ଗୌରବ।ନୀଳ ଜଳ ରାଶି ଓ ସବୁଜିମାର ବଳୟ ଭିତରେ ଥିବା ରେଙ୍ଗାଲି ଅଞ୍ଚଳ ଏବେ ଲଙ୍ଗଳା ହୋଇ କଳା ଆସ୍ତରଣରେ ଛାତି ମେଲେଇ ପଡିଛି। ଏହାର ପାଖତଳ ମାଡିବାକୁ ଯେମିତି ଆଉ ଆଉ ସାହସ ବାନ୍ଧୁନି। ଶ୍ରୀକୃଷ୍ଣ ନାହାଁନ୍ତି ବୋଲି ଦିନକୁ ଦିନ ରେଙ୍ଗାଲିରେ ଚାଲିଛି ବସ୍ତ୍ର ହରଣ।
ବନ ବିଭାଗ ଦେଇଥିବା ସୂଚନା ଅନୁସାରେ, ତଲାବିରା କୋଇଲା ଖଣି ପାଇଁ ତଲାବିରା, ପତ୍ରାପାଲି, ମାଲଦା, ତୁମେରମୁଣ୍ଡା ଏବଂ ରାମପୁର ଗାଁର ସମୁଦାୟ ୧୦୩୮.୧୮୭ ହେକ୍ଟର ଜଙ୍ଗଲ ବଳିପଡ଼ିବା ଏଥିରେ ଶହଶହ ବର୍ଷର ପୁରୁଣା ପତ୍ରାପାଲି ଜଙ୍ଗଲ ଅନ୍ୟତମ। ୨୦୬.୧୩୯ ହେକ୍ଟର ପରିମିତ ଏହି ଜଙ୍ଗଲର ୭୩.୬୨୬ ହେକ୍ଟର୍‌ ରାଜସ୍ବ ଓ ୧୩୨.୫୧୩ ହେକ୍ଟର ଜିଲ୍ଲାସ୍ତରୀୟ କମିଟି ଜଙ୍ଗଲ ଥିବା ନେଇ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ପର୍ଯ୍ୟାୟ କ୍ରମରେ ରେଙ୍ଗାଲିର ବିଭିନ୍ନ ଅଞ୍ଚଳ ଶିଳ୍ପପତି ହାତକୁ ଗଲା। ଧୋଇ ହୋଇଗଲା ଲୋକଙ୍କ ଜନ ଜୀବନ। ନିଜ ଜୀବନର ରାହା ବୋଲି ଏବେ ରେଙ୍ଗାଲି ବାସୀଙ୍କ କେହି ନାହାଁନ୍ତି। ଶିଳ୍ପର କଳା ଧୂଆଁ ରଆସ୍ତରଣ ଓ ବୁକୁଫଟା ଉଚ୍ଚ କ୍ଷମତା ସମ୍ପନ୍ନ ବିସ୍ଫୋରଣର ବୁକୁ ଫଟା ଚିତ୍କାର ଭିତରେ ଜନ୍ତି ହେଉଛି ଜୀବନ।ଶିଳ୍ପ ବିକାଶରେ ବାଟବଣା ରେଙ୍ଗାଲି ଇତିହାସ ଗର୍ଭରେ କେବଳ ହଜିଯାଉନି ବରଂ ଏହି ଅଞ୍ଚଳର ହୃତଗୌରବକୁ ଜଳାଞ୍ଜଳି ଦେବା ପାଇଁ ଚାଲିଛି ବଡ଼ ଷଡଯନ୍ତ୍ର। ବିଛିନ୍ନ ହେବାକୁ ଯାଉଛି ଗମନା ଗମନ। ବେସରକାରୀ କାହିଁକି ସରକାରୀ ବସ ମଧ୍ୟ୍ୟ ରେଙ୍ଗାଲି ଛାତି ନଛୁଇଁ ପବନରେ ଉଡିଲା ପରି ଚାଲିଯାଉଛି ଓଭର ବ୍ରିଜ ଉପରେ। ଏହାଠୁ ବଡି ଲଜ୍ଜା ଆଉ କଣ ଥାଇପାରେ ରେଙ୍ଗାଲି ବାସୀଙ୍କ ପାଇଁ। ସୁନ୍ଦରଗଡ଼ ସମ୍ବଲପୁର ସରକାରୀ ବସ ଏହାର ଏକ ବଡ଼ ଉଦାହରଣ କୁହାଯିବ।
ଦିନେ ରେଙ୍ଗାଲି ଥିଲା ଯାତ୍ରୀ ମାନଙ୍କ ଭରସା। ଜଳଖିଆ ଠାରୁ ଭୋଜନ ପରି ଆଶା ଭରସା ର ଥିଲା ପ୍ରାଣକେନ୍ଦ୍ର। ଏବେ କିନ୍ତୁ କାଁ ଭାଁ କେତେକ ଯାତ୍ରୀ ବାହୀ ଗାଡି ଗୁଡିକୁ ଛାଡି ରେଙ୍ଗାଲିର ମାଟି ମାଡୁନି। ଏଥିପାଇଁ କାହାକୁ କରାଯିବ ଦାୟୀ ଭାବିଲା ବେଳକୁ ଛାତି ଫାଟି ପଡୁଛି।
ଗଢି ଉଠିଲା ଶିଳ୍ପ। କଳ କାରଖାନା। ହାତୀ ପରି ପାଚେରୀ ପଡିଲା। ହେଲେ ପିମ୍ପୁଡି ପରି ଜୀବ ଟିଏ ମଧ୍ୟ ପାଚେରୀ ଡେଇଁ ପାରୁନି।ଅସୁମାରୀ ସ୍ୱପ୍ନ ଭେଦୁନୀ ଏହି ପାଚେରୀ। ଭଲ ଲୋକଙ୍କ ପ୍ରବେଶ ନାହିଁ, ବରଂ ଲାଭଖୋର, ଠିକାଦାର, ଦଲାଲ, ପୁଞ୍ଜିପତି ଓ ବୋଲକରା ପ୍ରଶାସନ ଅଧିକାରୀଙ୍କ ରେଙ୍ଗାଲି ହେଉଛି ଚରାଭୂଇଁ। ଜମିହରା ଏବେ ଦାଣ୍ଡର ଭିକାରି। ଶିଳ୍ପର ସ୍ବପ୍ନ ବୁଣି ଯେଉଁ ମାନଙ୍କ ଜମି ଗଲା, ନାଁ ସେମାନଙ୍କ ମୁହଁ କିଏ ଦେଖିଛି ନାଁ ସେମାନଙ୍କ ପରିବାର ଭିତରୁ କିଏ ଶିଳ୍ପ ସଂସ୍ଥା ର ଅଧିକାରୀ ହୋଇଛି କି? ଦେଇଥାନ୍ତା ନ୍ୟାୟ। କେବଳ ହାତ ଗଣତା କିଛି ଜମି ହରାଙ୍କୁ ମୂଳିଆ ସଜାଇ ପ୍ରଶାସନ ସହଯୋଗରେ ଶିଳ୍ପପତି ଦେଖାଇଛି ନିଜର ଚକମା।
ଶିଳ୍ପ ହେବ। ବିକଶିତ ହେବ ଅଞ୍ଚଳ। ଦାଦନ ହଟିବ, ସମସ୍ତେ ପାଇବେ ଚାକିରୀ। ସମୃଦ୍ଧ ହେବ ରେଙ୍ଗାଲି। ଏହି ସ୍ବପ୍ନ ବୁଣି ଶାନ୍ତ ଶୀତଳ ପରିବେଶ ସମୃଦ୍ଧ ରେଙ୍ଗାଲି କୁ ଥୋଇଦିଆଗଲା ବିଷର ଜହର ଦେଇ। ଏବେ ଲୋକେ ପ୍ରମାଦ ଗଣୁଛନ୍ତି ସତ କିନ୍ତୁ ରେଙ୍ଗାଲିର ଭବିଷ୍ୟତ ପ୍ରତି ଚିନ୍ତା ନାହିଁ କାହାର।ଶିଳ୍ପ ଜହର ଭିତରେ ରେଙ୍ଗାଲିବାସୀଙ୍କ କରୁଣ ଚିତ୍କାର ଏବେ କଲବଲ କରୁଛି ସତ କିନ୍ତୁ ଉପାୟ କଣ ତାହାହିଁ ହୋଇଛି ବଡ଼ ପ୍ରଶ୍ନବାଚୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories