Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରଲୋକରେ କମ୍ୟୁନିଷ୍ଟ ନେତା ଅନିତ ଚକ୍ରବର୍ତ୍ତୀ

ସମ୍ବଲପୁର:ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ମନ୍ଦଳିଆ ରେ ରହୁଥିବା ବିଶିଷ୍ଟ ସଂଗ୍ରାମୀ କମ୍ୟୁନିଷ୍ଟ ନେତା ଅନିତ ଚକ୍ରବର୍ତ୍ତୀ(୭୦)ଙ୍କ ଆଜି ଭୁବନେଶ୍ୱର ସ୍ଥିତ
ଏକ ଘରୋଇ ହସ୍ପିଟାଲ ଠାରେ ଭୋର ୩ ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ଏହି ଖବର ଜାଣିଲା ପରେ ବ୍ରଜରାଜନଗର ଅଞ୍ଚଳରେ ଶୋକର ଛାୟା ଖେଲି ଯାଇଛି।
୧୯୫୪ ମସିହା ଡିସେମ୍ବର ୧ତାରିଖରେ ପଶ୍ଚିମବଙ୍ଗ ରାଜ୍ୟର ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ସାଭେଲିଠାରେ ଜନ୍ମ ଗ୍ରହଣ କରିଥିଲେ।ମେଦିନାପୁର ଜିଲ୍ଲା କମ୍ୟୁନିଷ୍ଟ ଓ କୃଷକ ଆନ୍ଦୋଳନର ସେତେବେଳେ ଅନିତ ଚକ୍ରବର୍ତ୍ତୀ ବଡ଼ ଭୂମିକା ନେଉଥିଲେ।
ମାଟ୍ରିକ ପାଶ୍ ପରେ ଅନିତ ପହଞ୍ଚନ୍ତି ବ୍ରଜରାଜନଗରରେ । ୧୯୭୧ ମସିହାରେ ବ୍ରଜରାଜନଗର ପଶ୍ଚିମ ଓଡ଼ିଶାର ଜନପ୍ରିୟ କମ୍ୟୁନିଷ୍ଟ ନେତା ତ‌ଥା ବ୍ରଜରାଜନଗରର ବିଧାୟକ ପ୍ରସନ୍ନ କୁମାର ପଣ୍ଡାଙ୍କ ସଂସ୍ଵର୍ଶରେ ଆସି ଏବଂ ହୀରାକୁଦ ଡ୍ୟାମ ବାସଚ୍ୟୁତ ହୋଇଥିବା ପରିବାରଙ୍କ ଥଇଥାନ ପାଇଁ ସ୍ବର୍ଗତ ପଣ୍ଡା ଚଳାଇଥିବା ସଂଗ୍ରାମରେ ସାମିଲ ହୋଇଥିଲେ । ବାସଚ୍ୟୁତମାନଙ୍କ ଆନ୍ଦୋଳନରେ ସାମିଲ ହୋଇ ୧୯୭୨ ମସିହା ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସଭ୍ୟପଦ ଗ୍ରହଣ କରନ୍ତି । ସେତେବେଳେ କମ୍ୟୁନିଷ୍ଟ ପାର୍ଟିର ଦୂର୍ଗ ଥାଏ ଲଖନପୁର ବ୍ଲକ । ବ୍ରଜରାଜନଗର ସହରରେ କମ୍ୟୁନିଷ୍ଟ ପାର୍ଟିର କେହି ଜଣାଶୁଣା ନେତା ନ ଥାନ୍ତି । ୧୯୭୫ ମସିହାରେ ସ୍ୱର୍ଗୀୟ ପଣ୍ଡାଙ୍କ ନିର୍ଦ୍ଦେଶରେ ଟିୟୁ ଫ୍ରଣ୍ଟରେ କାମ କରିଥିଲେ । ସେତେବେଳେ ବ୍ରଜରାଜନଗରସ୍ଥିତ ଓରିଏଣ୍ଟ କାଗଜକଳ ଏବଂ ଓରିଏଣ୍ଟ କୋଲିଆଲୀରେ ଏଆଇଟିୟୁସର ଶାଖା କାମରେ ଅନିତ କୋଇଲା ଶ୍ରମିକମାନଙ୍କୁ ସଂଗଠିତ କରିବା କାର୍ଯ୍ୟରେ ନିୟୋଜିତ ହୋଇ ଏବଂ କୋଇଲାର ଜାତୀୟକରଣ ପାଇଁ ଯେଉଁ ଆନ୍ଦୋଳନ ଚାଲିଲା ତା’ର ନେତୃତ୍ବ ନେବା ସହିତ ୧୯୮୦ ବେଳକୁ ଶ୍ରମିକ ମହଲରେ ଜଣେ ଯୁବନେତା ଭାବେ ପରିଚିତ ହୋଇଯାଆନ୍ତି । ଏହି ସମୟରେ ବିରଳା ମାଲିକାଧୀନ ଓରିଏଣ୍ଟ କାଗଜ ଶ୍ରମିକମାନଙ୍କର ଯେଉଁ ଐତିହାସିକ ଧର୍ମଘଟ ହୋଇଥିଲା ସେଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୯୫ରେ କମ୍ୟୁନିଷ୍ଟପାର୍ଟିର ରାଜ୍ୟ ପରିଷଦକୁ ନିର୍ବାଚିତ ହୋଇ ଦୀର୍ଘ ୨୩ବର୍ଷ ଧରି ରାଜ୍ୟ ପରିଷଦ ସଭ୍ୟ ଭାବେ ଦାୟିତ୍ଵ ସହ କରିଆସୁଥିଲେ ଏବଂ ବର୍ତ୍ତମାନ ଏଆଇଆଇଟିୟୁସି ର ରାଜ୍ୟ ସମ୍ପାଦକ ଭାବେ କାର୍ଯ୍ୟରତ ଥିବା ସମୟରେ ବିୟୋଗ ଘଟିଥିଲା ।
ଜଣେ କମ୍ୟୁନିଷ୍ଟ ନେତା ହିସାବରେ ଯେତିକି ପରିଚିତ, ଅଧିକ ପରିଚିତ ଟ୍ରେଡ ୟୁନିୟନ ନେତା ଭାବରେ ଏବଂ ଓଡ଼ିଶାର କୋଇଲା ଶ୍ରମିକମାନଙ୍କର ଅପ୍ରତିଦ୍ଵନ୍ଦୀ ନେତା ଭାବେ। ଅନୁଗୋଳ, ବ୍ରଜରାଜନଗର ଓ ସୁନ୍ଦରଗଡ଼ ୟୁନିୟନର ସାଧାରଣ ସମ୍ପାଦକ ରହିବା ସହିତ ଏଆଇଟିୟୁସିର ସର୍ବ ଭାରତୀୟ କାଉନସିଲ ସଭ୍ୟ ଓ ଓଡି଼ଶା ଉପସାଧାରଣ ସମ୍ପାଦକ ଥିଲେ । ଏମସିଏଲର ସାଧାରଣ ଶ୍ରମିକ ଏବଂ କମ୍ୟୁନିଷ୍ଟ ପାର୍ଟିର ସଭ୍ୟଙ୍କଠାରୁ ଲଖନପୁରର ଚାଷୀ ଓ ବ୍ରଜରାଜନଗରର ଚା’ ଦୋକାନୀ ପର୍ଯ୍ୟନ୍ତ ସମସ୍ତଙ୍କର ସେ ଥିଲେ ଅତି ପ୍ରିୟ । ତାଙ୍କ ମୃତ୍ୟରେ ସମଗ୍ର ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲା ସହିତ ପଶ୍ଚିମ ଓଡ଼ିଶାର କୋଣ ଅନୁକୋଣରେ ଶୋକର ଛାୟା ଖେଳି ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ