ଗାଁକୁ ଯିବ ରାଜସ୍ବ ସେବା । ଆଉ ଅନ ଦି ସ୍ପଟରେ ହେବ ଜମିଜମା ସମସ୍ୟାର ସମାଧାନ । ଏ ନେଇ ନିଷ୍ପତ୍ତି ହୋଇସାରିଛି । ସେହିଭଳି କମିବ ଜମି କିସମ । ବ୍ରିଟିଶ ଅମଳର ଜମି କିସମକୁ କମାଇ ସରକାର ୨୭ଟି କିସମରେ ସୀମିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏ ନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି ।
ମୋ ପାଞ୍ଚୟତ ମୋ ତହସିଲ ନାମରେ, ସରକାର ଆଣୁଛନ୍ତି ନୂଆ ବ୍ୟବସ୍ଥା । ମାସରେ ଦୁଇ ଦିନ ପଞ୍ଚାୟତକୁ ଯିବେ ରାଜସ୍ବ ଅଧିକାରୀ । ତହସିଲଦାର, ଅତିରିକ୍ତ ତହସିଲଦାର ପଞ୍ଚାୟତକୁ ଯିବେ । ରାଜସ୍ବ ଅଫିସରେ ଲୋକଙ୍କ ଜମିଜମା ସମସ୍ୟାର ଅନ୍ସ୍ପଟ୍ ସମାଧାନ ହେବ । ତହସିଲ ଅଫିସ ନ ଆସି ଘରେ ବସି ଲୋକେ ପାଇବେ ସବୁ ସୁବିଧା । ଏଥିପାଇଁ ମୋବାଇଲ୍ରେ ୧୮ଟି ରାଜସ୍ବ ସୁବିଧା ମିଳିବ । ଲୋକଙ୍କ ପାଖକୁ ଯିବ ରାଜସ୍ବ ସେବା ।
ତଇଳା, ପାଳ, ଘରବାରି, ବଗାୟତ ଭଳି ରାଜ୍ୟରେ ୭ହଜାର ଜମି କିସମ ପ୍ରଚଳନ ରହିଛି । ଜମିର ଏଭଳି କିସମକୁ ନେଇ ସାଧାରଣ ଲୋକ ଦ୍ୱନ୍ଦ୍ୱରେ ପଡୁଛନ୍ତି । ତେବେ ବ୍ରିଟିଶ ଅମଳରୁ ଚାଲି ଆସିଥିବା ଆଇନରେ ସଂସ୍କାର ଆଣିବେ ସରକାର। ରାଜସ୍ୱ ବିଭାଗ ୭ ହଜାର ଜମି କିସମକୁ କମାଇ ୨୭ ଟି କିସମରେ ସୀମିତ ରଖିଛନ୍ତି । ସେହିଭଳି ଜମି ସ୍ବତ୍ବ ବା ମାଲିକାନାର ପରିବର୍ତ୍ତନ ହେବ । ରାଜ୍ୟରେ ରାଜସ୍ୱ ଆଇନରେ ୩୦୦୦ ସ୍ବତ୍ବ ବା ମାଲିକାନାକୁ ପରିବର୍ତ୍ତନ କରାଯାଇ ଏହାକୁ ଦୁଇ ଅଙ୍କରେ ସୀମିତ ରଖିବାକୁ ଯୋଜନା କରିଛି ରାଜସ୍ୱ ବିଭାଗ । ଜମି ମାଲିକାନା ହେଉ ଅବା ଜମି ସଂକୁଚିତ କରିବା ପାଇଁ ବ୍ୟବସ୍ଥା । ରାଜସ୍ୱ ବିଭାଗ ସମସ୍ତ କ୍ଷେତ୍ରରେ ନୂଆ ସଂସ୍କାର ଆଣୁଛନ୍ତି । ଅଭିଜ୍ଞ ଲୋକ, ବିଧାୟକ, ସାଂସଦ, ଜମି ମାଲିକ, ବିଶେଷଜ୍ଞଙ୍କ ସହିତ ବିଚାର ବିମର୍ଶ କରାଯାଇ ନିଷ୍ପତି ନେଉଛନ୍ତି ସରକାର । ଏହାସହ ଯେଉଁ ଆଇନର ଆବଶ୍ୟକତା ନାହିଁ ତାକୁ ଉଛେଦ କରାଯିବ ଓ ଆଇନରେ ସଂଶୋଧନ ଅଣାଯିବ ।