Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ପୋଷ୍ଟ କରି ବନ୍ଧା ହେଲେ ଯୁବକ

ମହଙ୍ଗା ପଡିଲା ମୁଖ୍ୟମନ୍ତ୍ରୀଙ୍କ ମିଛ ଭିଡିଓ ପ୍ରସ୍ତୁତ କରିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଛବିକୁ ମଳିନ କରିବା ଉଦ୍ଦେଶ୍ୟରେ ଭିଡିଓ ପ୍ରସ୍ତୁତ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ଅଭିଯୋଗରେ କ୍ରାଇମବ୍ରାଞ୍ଚର ସାଇବର ସେଲ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି।

ସୂଚନା ମୁତାବକ, ଗତ କିଛି ଦିନ ହେବ ଫେସବୁକରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଏକ ମର୍ଫ(ମିଛ) ଏବଂ ଅଶ୍ଲୀଳ ଭିଡିଓ ପ୍ରଚାରିତ ହେଉଥିବା ଦେଖାଯାଇଥିଲା।

ଜଣେ ନାଗରିକଙ୍କ ଅଭିଯୋଗ ଅନୁଯାୟୀ, ଏହା ଏକ ଫେସବୁକ ପେଜରୁ ଶେୟାର ହୋଇଥିବା ଜଣାପଡିଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କୁ ଅଶ୍ଲୀଳ ଭାବେ ଚିତ୍ରଣ କରାଯାଇଥିଲା। ଅଭିଯୋଗକାରୀ ଦାବି କରିଛନ୍ତି ଯେ ଏହି ଭିଡିଓଟି ମର୍ଫ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ତାଙ୍କ ପ୍ରତିଷ୍ଠା ନଷ୍ଟ କରିବା ଉଦ୍ଦେଶ୍ୟରେ ଭାଇରାଲ କରାଯାଇଥିଲା। ଏହା ମହିଳାଙ୍କ ସମ୍ମାନକୁ ମଧ୍ୟ କ୍ଷୁଣ୍ଣ କରିଛି।

ଅଭିଯୋଗ ପାଇବା ପରେ କ୍ରାଇମ ବ୍ରାଞ୍ଚର ସାଇବର କ୍ରାଇମ ୟୁନିଟ ତୁରନ୍ତ ଏ ବିଷୟରେ ତଦନ୍ତ ଆରମ୍ଭ କରିଥିଲେ ଏବଂ ତଦନ୍ତ ରିପୋର୍ଟ ଆଧାରରେ ଏକ ଏଫଆଇଆର ପଞ୍ଜୀକୃତ ହୋଇଥିଲା। ମେଟା ପ୍ଲାଟଫର୍ମ (ଫେସବୁକ)କୁ ଅଶ୍ଲୀଳ କଣ୍ଟେଣ୍ଟ ହଟାଇବା ପାଇଁ ଅନୁରୋଧ କରାଯାଇଥିଲା, ଯାହା ସେମାନେ ପାଳନ କରିଥିଲେ। ଅଧିକ ତଦନ୍ତରୁ ଉକ୍ତ ଫେସବୁକ ଆକାଉଣ୍ଟ ବ୍ୟବହାରକାରୀ ରାୟଗଡ଼ା ଜିଲ୍ଲାର ବାସିନ୍ଦା ବୋଲି ଚିହ୍ନଟ କରାଯାଇଥିଲା।

କ୍ରାଇମ ବ୍ରାଞ୍ଚ ଟିମ ତୁରନ୍ତ ରାୟଗଡ଼ା ଯାଇ ଅଭିଯୁକ୍ତ କିଶୋର କୌଶଲ୍ୟାଙ୍କୁ ଗିରଫ କରିଥିଲେ। ସେ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅଧୀନ କେଉଟଗୁଡ଼ା ଷ୍ଟେସନ ସାହିର ବାସିନ୍ଦା ଏବଂ ରାୟଗଡ଼ାର ଟିକିରିସ୍ଥିତ ଏକ ନିର୍ମାଣ କମ୍ପାନୀରେ କାର୍ଯ୍ୟରତ ବୋଲି ଜଣାପଡିଥିଲା।

ସେ ଏକ ଏଆଇ-ଜନିତ, ମର୍ଫ ଅଶ୍ଲୀଳ ଭିଡିଓ ପ୍ରକାଶ ଓ ପ୍ରସାରଣ କରି ଏକାଧିକ ଅପରାଧିକ କାର୍ଯ୍ୟ ପାଇଁ ଦାୟୀ ଥିବାରୁ ତାଙ୍କୁ ବୁଧବାର ଗିରଫ କରାଯାଇ ଭୁବନେଶ୍ୱରର ଏସଡିଜେଏମ କୋର୍ଟକୁ ପଠାଯାଇଥିଲା।

କ୍ରାଇମ ବ୍ରାଞ୍ଚ ସୂଚନା ଦେଇ କହିଛି ଯେ ଏପରି ବେଆଇନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ସୋଷିଆଲ ମିଡିଆର ୟୁଜର୍ସ ମାନେ ପୋଷ୍ଟ ବା ଶେୟାର କରୁଥିବା କଣ୍ଟେଣ୍ଟ ସମ୍ପର୍କରେ ସତର୍କ ରହିବାକୁ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ