Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ଲୋକସେବକ ମଣ୍ଡଳ ପକ୍ଷରୁ ରାଷ୍ଟ୍ରୀୟ ସମ୍ପାଦକ ସ୍ବର୍ଗତ ନିରଞ୍ଜନ ରଥଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ସ୍ବର୍ଗତ ନିରଞ୍ଜନ ରଥ ଏକାଧାରରେ ଜଣେ ବିଶିଷ୍ଟ ଓକିଲ, ଉତ୍ସର୍ଗୀକୃତ ସମାଜସେଵୀ, ସୁସାହିତ୍ୟିକ, ସାମ୍ବାଦିକ, ସମ୍ପାଦକ, ପ୍ରକାଶକ, ମୁଦ୍ରାକର ଏବଂ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ | ତାଙ୍କରି ବିୟୋଗରେ ସମଗ୍ର ଦେଶରେ ସାମାଜିକ ସାଂସ୍କୃତିକ ଅଧ୍ୟାତ୍ମିକ ଓ ସେବା କ୍ଷେତ୍ରରେ ଅପୂରଣୀୟ କ୍ଷତି ହୋଇଛି ବୋଲି ଶୋକସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି | ଆଜି ପୂର୍ବାହ୍ନରେ ଲୋକସେବକ ମଣ୍ଡଳ, ସ୍ଥାନୀୟ ଉପଦେଷ୍ଟା କମିଟି ପକ୍ଷରୁ ମୁଦିପଡ଼ା ସ୍ଥିତ ଡ଼ଃ ରାଧାନାଥ ରଥ କମ୍ୟୁନିଟି ସେଣ୍ଟର ଠାରେ ରାଷ୍ଟ୍ରୀୟ ସମ୍ପାଦକ ସ୍ବର୍ଗତ ନିରଞ୍ଜନ ରଥ ଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି | ଏହି ଶୋକସଭାରେ ଡାକ୍ତର ରମାବଲ୍ଲଭ ମିଶ୍ର ସଭାପତିତ୍ୱ କରିଥିଲେ | ପ୍ରାରମ୍ଭରେ ଉପସ୍ଥିତ କର୍ମକର୍ତ୍ତା ଏବଂ ସଭ୍ୟସଭ୍ୟା ମାନେ ସମସ୍ତେ ସ୍ବର୍ଗତ ନିରଞ୍ଜନ ରଥ ଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ, ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ଏବଂ ଧୂପ ପ୍ରଦାନ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଶୋକସଭାରେ ସ୍ବର୍ଗତ ନିରଞ୍ଜନ ରଥଙ୍କ ଅମର ଆତ୍ମାର ଚିରଶାନ୍ତି ଓ ସଦ୍’ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା | ତାପରେ ସମାଜସେବୀ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ଶ୍ରୀମଦ୍ ଭଗବଦ୍ ଗୀତାରୁ ଶ୍ଳୋକ ଆବୃତ୍ତି କରି ଦିବଂଗତ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ସଭାପତି ଡାକ୍ତର ରମାବଲ୍ଲଭ ମିଶ୍ର, ସମ୍ପାଦକ ଶ୍ରୀଯୁକ୍ତ ରଘୁନାଥ ମିଶ୍ର ଏବଂ ଡାକ୍ତର ଶ୍ରୀମତୀ ନାରାୟଣୀ ପଣ୍ଡା ପ୍ରମୁଖ ସ୍ବର୍ଗତ ନିରଞ୍ଜନ ରଥଙ୍କ ବହୁମୁଖୀ ପ୍ରତିଭା ଏବଂ ଜାତୀୟ ସ୍ତରରେ ସମାଜସେବା ଦିଗରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟର ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଧନେଶ୍ୱର ମେହେର , ଲୋକନାଥ ରାଉତ , ବିପିନ ବିହାରୀ ପଣ୍ଡା , ଅମରନାଥ ମହାପାତ୍ର , ଛୋଟୁ ନାଗ ଓ ଗଗନ ବିହାରୀ ଦାସ ପ୍ରମୁଖ ସଭାରେ ଉପସ୍ଥିତ ରହି ସ୍ବର୍ଗତ ନିରଞ୍ଜନ ରଥଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ