Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଆତଙ୍କୀଙ୍କୁ ଘରେ ସାହାରା ଦେବା ଅଭିଯୋଗରେ ଦୁଇଜଣ ଗିରଫ

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଆତଙ୍କୀଙ୍କୁ ଘରେ ସାହାରା ଦେବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ବା ଏନ୍‌ଆଇଏ । ଖାଲି ସେତିକି ନୁହେଁ, ତିନିଜଣ ଆତଙ୍କବାଦୀଙ୍କ ପରିଚୟ ବି ମିଳିଥିବା ନେଇ ଏନ୍‌ଆଇଏ ସୂଚନା ଦେଇଛି ।

ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମରେ ବର୍ବରକାଣ୍ଡ ଘଟାଇଥିଲେ ଆତଙ୍କବାଦୀମାନେ ।ଏହି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଚାଲିଯାଇଥିଲା । ଏହି ବୀଭତ୍ସକାଣ୍ଡର ଦୁଇମାସ ପରେ ଅର୍ଥାତ ଆଜି(ରବିବାର) ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ଏନ୍‌ଆଇଏ । ଯାଞ୍ଚ ଏଜେନ୍ସି ଦୁଇଜଣଙ୍କୁ ଗିରଫ କରିଛି । ଏମାନେ ଆତଙ୍କବାଦୀଙ୍କୁ ଘରେ ରଖିବା ସହ ସେମାନଙ୍କୁ ଅନ୍ୟାନ୍ୟ ସାହାଯ୍ୟ କରିଥିଲେ । ଜାତୀୟ ମିଡିଆ ରିପୋର୍ଟ ମୁତାବକ ଦୁଇଜଣ ଅଭିଯୁକ୍ତ ପରବେଜ ଅହମ୍ମଦ ଜୋଥର ଓ ବଶୀର ଅହମ୍ମଦ ଜୋଥର ବୋଲି ଜଣା ପଡ଼ିଛି । ଏମାନଙ୍କୁ ପଚରାଉଚରା ବେଳେ ଏମାନେ ପହଲଗାମ ଆତଙ୍କୀ ଆକ୍ରମଣରେ ସାମିଲ ତିନିଜଣ ଆତଙ୍କବାଦୀଙ୍କ ପରିଚୟ ଓ ଠିକଣା ବାବଦରେ ସୂଚନା ଦେଇଛନ୍ତି ।

ଏହାକୁ ନେଇ ଏନ୍‌ଆଇଏ ପକ୍ଷରୁ କୁହାଯାଇଛି ଯେ, “ଏନ୍‌ଆଇଏ ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି । ଆତଙ୍କବାଦୀଙ୍କୁ ଶରଣ ଦେଇଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି । ଏହି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ଜୀବନ ଚାଲିଯାଇଥିଲା ଓ ୧୬ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଆତଙ୍କବାଦୀଙ୍କ ପରିଚୟ ବାବଦରେ ସୂଚନା ଦେଇଛନ୍ତି । ଏମାନେ ପାକିସ୍ତାନର ନାଗରିକ ଥିଲେ, ଯେଉଁମାନେ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା ସହ କାମ କରନ୍ତି ।”

ପରବେଜ ନାମକ ବ୍ୟକ୍ତି ଜମ୍ମୁ-କାଶ୍ମୀରର ବଟକୋଟ ଅଧିବାସୀ । ବଶୀର ପହଲଗାମ୍‌ର ହିଲ୍‌ପାର୍କରେ ରହି ଆସୁଥିଲା । ଏନ୍‌ଆଇଏ ଯାଞ୍ଚ ମୁତାବକ ପରବେଜ ଓ ବଶୀର ଆକ୍ରମଣ ପୂର୍ବରୁ ଜାଣିଶୁଣି ତିନି ଜଣ ସଶସ୍ତ୍ର ଆତଙ୍କବାଦୀଙ୍କୁ ପହଲଗାମ ହିଲ୍‌ପାର୍କ ନିକଟରେ ଏକ ଝୁପୁଡ଼ିରେ ଶରଣ ଦେଇଥିଲେ । ଏହାପରେ ଏପ୍ରିଲ ୨୨ ତାରିଖରେ ଆତଙ୍କବାଦୀମାନେ ବୈସରନ ଘାଟିରେ ବର୍ବରକାଣ୍ଡ ଘଟାଇଥିଲେ । UAPA ଧାରା ୧୯ ମୁତାବକ ଦୁଇ ଜଣଙ୍କୁ ଗିରଫ କରିଛି ଏନ୍‌ଆଇଏ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ