ଅଗଷ୍ଟ ୧ସମ୍ବଲପୁରରେ ହେବ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ


ସମ୍ବଲପୁର:ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ଏକ ତାରିଖରେ ସମ୍ବଲପୁରରେ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ପାଇଁ ରବିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଅନୁଷ୍ଠିତ ଏହି ବୈଠକରେ ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଗୁରୁ ସତ୍ୟନାରାୟଣଙ୍କ ଅତୁଳନୀୟ ଅବଦାନ ବିଷୟରେ ଆଳୋଚନା କରାଯାଇଥିଲା । ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆବାହକ ଭବାନୀଶ ଭୋଇ ଏହି ବୈଠକରେ ସଭାପତିତ୍ବ କରିଥିଲେ। ଆଜି ସମ୍ବଲପୁରୀ ପାଇଁ ସାରା ଓଡିଶାବାସୀ ଗର୍ବ ଅନୁଭବ କରୁଛନ୍ତି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ତେବେ ଗୁରୁ ସତ୍ୟନାରାୟଣଙ୍କୁ ସରକାରୀ ସ୍ତରରେ ଯେଭଲି ସମ୍ମାନ ଦିଆଯିବା କଥା ତାହା ଆଜି ପର୍ଯ୍ୟନ୍ତ ହୋଇ ପାରିନଥିବାରୁ ଦୁ:ଖ ପ୍ରକାଶ କରାଯାଇଥିଲା।ଏହାସହ ଗୁରୁ ବହିଦାରଙ୍କ ସ୍ମୃତିରେ ସମ୍ବଲପୁର ଜେଲ ଛକ ନିକଟରେ ସ୍ଥାପିତ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାକୁ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଦର୍ଶନ ଏବଂ ଗୁରୁଙ୍କ ସ୍ମୃତି ରକ୍ଷା ପାଇଁ ବିକାଶ କରାଯିବାକୁ ବୈଠକରେ ଦାବି କରାଯାଇଥିଲା । ଏନେଇ ଏକ ପ୍ରତିନିଧି ମଣ୍ଡଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଦାବି ଜଣାଇବାକୁ ବୈଠକରେ ସ୍ଥିର କରାଯାଇଥିଲା । ଏହାସହ ଡେରା ପରିସରରେ ସମ୍ବଲପୁରୀ ହସ୍ତଶିଲ୍ପ ଏବଂ ହସ୍ତତନ୍ତ୍ର ବିକ୍ରୟ ସହ ସମ୍ବଲପୁରୀ ପୁସ୍ତକାଳୟ ଏବଂ ସମ୍ବଲପୁରୀ ସଂସ୍କୃତିର ସଂଗ୍ରହାଳୟ ପାଇଁ ବହୁତଳ ପ୍ରସାଦ ନିର୍ମାଣ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରାଯାଇଥିଲା । ୨୦୧୩ ମସିହାରେ ପଶ୍ଚିମାଞ୍ଚଲ ଏକତା ମଞ୍ଚର ପ୍ରୟାସରେ ଗୁରୁ ବହିଦାରଙ୍କ ଜନ୍ମ ଶତବାର୍ଷିକୀ ପାଳନ ବର୍ଷ ଠାରୁ ଅଗଷ୍ଟ ଏକ ତାରିଖରେ ସମ୍ବଲପୁରୀ ଦିନ ପାଳନ କରାଯାଇ ଆସୁଛି । ସମ୍ବଲପୁରୀ ଦିନ ପାଳନ ପରଠାରୁ ସମ୍ବଲପୁରୀ କପଡାର ଚାହିଦା ବହୁମାତ୍ରାରେ ବୃଦ୍ଧି ପାଇଥିବା ବେଲେ ସମ୍ବଲପୁରୀ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ବହୁ ସଙ୍ଗଠନ ଆଗଭର ହୋଇଛନ୍ତି । ସମ୍ବଳପୁରୀ ଦିନ ଏବେ ଆର୍ନ୍ତଜାତୀୟ ସ୍ତରକୁ ପହଞ୍ଚି ସାରିଥିବା ଏକତା ମଞ୍ଚର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ କହିଥିଲେ । ସମ୍ବଲପୁରୀ ଦିନରେ ଲୋକ ନିହାତି ନୁଆଁ ସମ୍ବଲପୁରୀ କପଡା ପିନ୍ଧୁ ଥିବାରୁ ବୁଣାକାର ମାନେ ଲାଭବାନ ହୋଇ ପାରୁଛନ୍ତି । ଯାହାଦ୍ୱାରା ପ୍ରତିବର୍ଷ ସମ୍ବଲପୁରୀ ଦିନର ଆକର୍ଷଣ ବୃଦ୍ଧି ପାଇବା ସହ କୋଟି କୋଟି ଟଙ୍କାର ସମ୍ବଲପୁରୀ କପଡା ବିକ୍ରୀ ହୋଇ ପାରୁଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ପ୍ରସ୍ତୁତି ବୈଠକରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲାରେ ଆୟୋଜନ ହେଉଥିବା ସମ୍ବଲପୁରୀ ଦିନ କାଯର୍‌ୟକ୍ରମ ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା । ଏଥିପାଇଁ ସମ୍ବଲପୁରୀ ସଙ୍ଗଠନ ଗୁଡିକ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ଗଠନ କରାଯାଇଥିବା ସମ୍ବଲପୁରୀ ମଚାନକୁ ସୁଦୃଢ କରିବା ପାଇ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ବୈଠକରେ ଲଲିତା ଭୋଇ, ଝୁନୁ ତ୍ରୀପାଠୀ,ସୁଷମା ପ୍ରଧାନ, ଅଲକା ମହାପାତ୍ର,ଭୁମିସୁତା ମେହେର, ରାହୁଲ ଗୁପ୍ତା, ଅମିତାଭ ମାଝୀ, ସୁବୋଧ କୁମାର ଦୋରା, ପ୍ରଥମ କୁମାର ପଣ୍ଡା, ଭବାନୀ ଶଙ୍କର ମେହେର, ଦଶରଥ ମେହେର, ରାମଦାସ ପଣ୍ଡା,ପଙ୍କଜିନୀ ବୈଠାରୁ ପ୍ରମୁଖ ସାମିଲ ରହିଥିଲେ ।