ସମ୍ବଲପୁର:ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ଦାରିଦ୍ର୍ୟ ନିବାରଣ ଯୋଜନା ଓ ବିକାଶ ମୂଳକ କାର୍ଯ୍ୟସୂଚୀଗୁଡ଼ିକର କାର୍ଯ୍ୟାନ୍ବୟନ ସମ୍ପର୍କରେ ଏକ ବ୍ୟାପକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର (ଭା .ପ୍ର .ସେ ) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ବ୍ଲକ୍ ଉନ୍ନୟନ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ବୈଠକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ନିଶ୍ଚିତା ଯୋଜନା (MGNREGS), ସୋସିଆଲ ଅଡିଟ, ଗ୍ରାମ ପଞ୍ଚାୟତ ନିବାସ ସମିତି (VSS) ଭବନ ନିର୍ମାଣ, ଗ୍ରାମୀଣ ଗୃହ ନିର୍ମାଣ, ଚିହ୍ନିତ ଅବ୍ୟାଙ୍କିତ ଗ୍ରାମପଞ୍ଚାୟତରେ ବ୍ୟାଙ୍କ ସଂଖ୍ୟା ବୃଦ୍ଧି, ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ସମ୍ପର୍କିତ ଅତିରିକ୍ତ ଶ୍ରେଣୀକକ୍ଷ ଏବଂ ଆଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ, ମୁଖ୍ୟମନ୍ତ୍ରୀ ବିଶେଷ ସାହାଯ୍ୟ , ପ୍ରାଥମିକ ବୈଷୟିକ ଓ ରାଜସ୍ୱ ପ୍ରତିଷ୍ଠାନର ପୁନରୁଦ୍ଧାର ଓ ମରାମତି, ORMAS, ଓଡିଶା ଜୀବିକା ମିସନ (OLM) ଏବଂ ମିଶନ ଶକ୍ତି ପରିଚାଳିତ ଉଦ୍ୟମଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଜିଲ୍ଲାପାଳ ଗଭୀର ଅନୁସନ୍ଧାନ ଓ ସକ୍ରିୟ ନିର୍ଦ୍ଦେଶ ମାଧ୍ୟମରେ ସମସ୍ତ ଯୋଜନା ଓ କାର୍ଯ୍ୟକଳାପକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିଗଦର୍ଶନ ଦେଇଛନ୍ତି । ସେ ଅଧିକାରୀ ମାନଙ୍କୁ ଯୋଜନାଗୁଡ଼ିକର କ୍ଷେତ୍ରସ୍ତରରେ ଫଳପ୍ରସୂ ଓ ଦୃଶ୍ୟମାନ ଫଳାଫଳ ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ ବ୍ଲକ୍ ଉନ୍ନୟନ ଅଧିକାରୀମାନଙ୍କୁ ପ୍ରତ୍ୟେକ ଯୋଜନାର ସ୍ୱୟଂ ମନିଟରିଂ କରି ବ୍ୟକ୍ତିଗତ ଭ୍ରମଣ କରିବା ଉପରେ ଜୋର ଦେଇଛନ୍ତି । ତଥା, ଦୈନିକ ଅବସ୍ଥା ରିପୋର୍ଟ ପ୍ରଦାନ କରି କେନ୍ଦ୍ରୀୟ ଏବଂ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଅନୁଯାୟୀ କାର୍ଯ୍ୟ ନିଷ୍ପାଦନ କରିବା ନିମିତ୍ତେ ଅନୁଶାସନ ଓ ଦାୟିତ୍ୱବୋଧ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।
ଏହି ବୈଠକ ମାଧ୍ୟମରେ ସମ୍ବଲପୁର ଜିଲ୍ଲାର ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଏବଂ ସେଗୁଡ଼ିକର ପ୍ରଭାବ ଲକ୍ଷ୍ୟକୁ ନେଇ ନୂଆ ଗତି ଏବଂ ଗୁଣବତ୍ତାମୂଳକ କାର୍ଯ୍ୟାନ୍ବୟନ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି । ଉକ୍ତ ବୈଠକ ରେ ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ଶ୍ରୀ ଭେଦ ଭୂଷଣ (ଭା .ପ୍ର .ସେ ) , ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ପାତ୍ର ,ପିଏ ଆଇଟିଡିଏ ହେମସାଗର ଭୋଇ ପ୍ରମୁଖ ମଞ୍ଚାସିନ ଥିଲେ।
ଦାରିଦ୍ର୍ୟ ନିବାରଣ ଯୋଜନା ଓ ବିକାଶ ମୂଳକ କାର୍ଯ୍ୟସୂଚୀଗୁଡ଼ିକର କାର୍ଯ୍ୟାନ୍ବୟନ ସମ୍ପର୍କରେ ବ୍ୟାପକ ସମୀକ୍ଷା ବୈଠକ
