Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଡଭଗା କେମ୍ପ୍‌ରେ ବାହୁଡା ଯାତ୍ରା ଶେଷ, ଚତୁର୍ଦ୍ଧା ଜୀଉ ରତ୍ନବେଦୀକୁ ଫେରିଲେ

ସମ୍ବଲପୁର:ଧନକଉଡ଼ା ବ୍ଲକ୍ ଅନ୍ତର୍ଗତ କଳାମାଟି ପଞ୍ଚାୟତ ଅଧିନସ୍ଥ ଗୋଡଭଗା କେମ୍ପ୍‌ଠାରେ ଚତୁର୍ଦ୍ଧା ଜୀଉଙ୍କ ଘର ବାହୁଡା ପର୍ବ ଆଜି ଭକ୍ତିଭରା ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ନବଦିନାତ୍ମକ ଯାତ୍ରା ଶେଷକରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନ ମନ୍ଦିର ପୂଜକ କୃପାସିନ୍ଧୁ ମିଶ୍ର ଓ ଶୁଭମ୍ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ମାଙ୍ଗଳିକ ପୂଜା ରୀତିନୀତି ସହ ଶଙ୍ଖ ଧ୍ୱନି, ଘଣ୍ଟ ନାଦ ଓ ହୁଳ‌ହୁଳି ମଧ୍ୟରେ ଧାଡି ପହଣ୍ଡିରେ ଆସି ରଥାରୂଢ଼ ହୋଇଥିଲେ। ଛେରାପହଁରା କାର୍ଯ୍ୟ ସମାପନ କରିଥିଲେ ରାଉରକେଲା ହୋମିଓପାଥିକ କଲେଜର ଅବସରପ୍ରାପ୍ତ ପ୍ରଫେସର୍ ତଥା ସ୍ଥାନୀୟ ବାସିନ୍ଦା ଡାକ୍ତର ଅନିଲ କୁମାର ମିଶ୍ର। ଅପରାହ୍ନ ପାଞ୍ଚଟାରେ ଚତୁର୍ଦ୍ଧା ଜୀଉଙ୍କ ରଥାରୂଢ଼ ପରେ ସଂକୀର୍ତ୍ତନର ରସାତଳେ ଶତାଧିକ ଭକ୍ତ ରଥଟାଣି ସ୍ଥାନୀୟ ହାଇସ୍କୁଲ ପଡିଆକୁ ଆଣିଥିଲେ। ଆକାଶ ମେଘାଚ୍ଛନ୍ନ ଥିଲେ ସୁଦ୍ଧା ଏଠାରେ ଆଖପାଖ ଗ୍ରାମଗୁଡିକରୁ ସହସ୍ରାଧିକ ଭକ୍ତ ଆସି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। ଏହି ଅବସରରେ ଛୋଟ ଛୋଟ ପିଲାମାନଙ୍କୁ ରଥ ଉପରେ ଶ୍ରୀଜୀଉମାନଙ୍କ ଦର୍ଶନ କରାଯାଇଥିଲା। ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ଅବନୀ କୁମାର ମିଶ୍ର (ସୁନୀଲ)ଙ୍କ ତତ୍ତ୍ଵାବଧାନରେ ସମସ୍ତ କମିଟି ସଦସ୍ୟ ଓ ସ୍ଥାନୀୟ ବାସିନ୍ଦାଙ୍କ ସକ୍ରୀୟ ସହଯୋଗରେ ଚଳିତ ବର୍ଷର ବାହୁଡା ଯାତ୍ରା ବେଶ୍ ସୁରୁଖୁରୁରେ ଶେଷ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ