Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥ ମହାପ୍ରଭୁଙ୍କ ନିଜସ୍ୱ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ

ସମ୍ବଲପୁର:ସମ୍ବଲପୁରର ସର୍ବପୁରାତନ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟୀର ବଂ ବଂ ବରାଡ ବାଲୁଙ୍କେଶ୍ୱର ଓ ଜଗତଜନନୀ ମାତା ପାର୍ବତୀଙ୍କର ଲୌକିକ ବିବାହ ପାଇଁ ସାକ୍ଷୀପଡା ସ୍ଥିତ ଭଗବାନ ବିଷ୍ଣୁଙ୍କ ଅନ୍ୟତମ ଅବତାର ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥଙ୍କ ସାକ୍ଷୀ ରୂପେ ରହିବାର ପରମ୍ପରା ଆରମ୍ଭରୁ ହିଁ ରହି ଆସିଛି । ଏଣୁ ଦେବ ବିବାହ ପୂର୍ବରୁ ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥ ନନ୍ଦପଡାର ବାଲୁଙ୍କେଶ୍ୱର ମନ୍ଦିରରେ ଅବସ୍ଥାନ କରୁଥିବା ବେଳେ ବୁଧବାର ସନ୍ଧ୍ୟାରେ ଶ୍ରୀ ସତ୍ୟନାରାୟଣ ପୂଜାର ସମାପନ ହୋଇଛି । ପରମ୍ପରାନୁଯାୟୀ ଶ୍ରୀ ଗୁଣ୍ଡିଚା ଯାତ୍ରା (ରଥ ଯାତ୍ରା) ରୁ ବାହୁଡା ଯାତ୍ରା ମଧ୍ୟରେ ହିଁ ଶ୍ରୀ ସାକ୍ଷୀଗୋପିନାଥ ମନ୍ଦିରକୁ ପ୍ରତ୍ୟାବର୍ତ୍ତନର ରିତି ରହିଥିବାରୁ ଶନିବାର ଅପରାହ୍ନରେ ବାହୁଡା ଯାତ୍ରା ଅବସରରେ ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥ ତାଙ୍କର ସାକ୍ଷୀପଡା ସ୍ଥିତ ନିଜସ୍ୱ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏଣୁ ଭବ୍ୟ ରୂପେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇ ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥ ଙ୍କୁ ନନ୍ଦପଡାରୁ ତାଙ୍କର ମନ୍ଦିରକୁ କମିଟି ସଦସ୍ୟ ଓ ପଡାବାସୀ ପାଛୋଟି ନେଇ ଯାଇ ପହୁଞ୍ଚାଇଛନ୍ତି । ଏହ ରିତିନିତିର ସମାପନ ସହିତ ଚଳିତ ବର୍ଷର ଶୀତଳଷଷ୍ଠୀ ଯାତ୍ରା ଆନୁଷ୍ଠାନିକ ରୂପେ ସମ୍ପନ୍ନ ହୋଇଛି । ସୁଚନାଯୋଗ୍ୟ ଯେ, ପୁରାଣ ଅନୁଯାୟୀ ମହାଦେବ ଓ ମାତା ପାର୍ବତୀଙ୍କ ଦେବ ବିବାହର ଦାୟିତ୍ୱ ଶ୍ରୀ ବିଷ୍ଣୁ ନେଇଥିଲେ । ଏଣୁ ଏହି ଦେବ ବିବାହ କାର୍ଯ୍ୟର ଆରମ୍ଭ ଠାରୁ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ରିତିନିତି ଓ ପୁଜା କାର୍ଯ୍ୟରେ ଶ୍ରୀ ବିଷ୍ଣୁଙ୍କ ଅନ୍ୟତମ ଅବତାର ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ସାକ୍ଷୀ ରହିଥାନ୍ତି । ଏହି ପରମ୍ପରା ଦେବ ବିବାହ ଉତ୍ସବ ଶୀତଳ ଷଷ୍ଠୀ ଆରମ୍ଭ ଦିନ ଠାରୁ ଚାଲି ଆସିଛି ଏବଂ ଏହି ନିତି କେବଳ ନନ୍ଦପଡା ଶୀତଳ ଷଷ୍ଠୀ ଯାତ୍ରାରେ ହିଁ ରହିଆସିଛି ବୋଲି ଆୟୋଜନ କମିଟି ସୂଚନା ପ୍ରଦାନ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ