Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୁଣିଲେନି ପ୍ରଶାସନ, ସରକାର:ସାହସ ବାନ୍ଧି ନିଜ ଗାଁ କୁ ରାସ୍ତା ନିର୍ମାଣ କଲେ ପଡାବାସୀ

ସମ୍ବଲପୁର: ସ୍ୱାଧୀନତାର ୭୭ ବର୍ଷ ପୂରିବାକୁ ଆଉ ଗୋଟିଏ ମାସ ବାକି ରହିଥିବା ବେଳେ ଏକ ଅବହେଳିତ ଅଞ୍ଚଳର ନଗ୍ନ ଉଦାହରଣ ସାମ୍ନା କୁ ଆସିଛି। ପଶ୍ଚିମ ଓଡିଶା ପ୍ରତି ଉପେକ୍ଷା, ଅବହେଳା ଭଳି ଅଭିଯୋଗର ଏକ ବାସ୍ତବ ଚିତ୍ର ଲୋକ ଲୋଚନ କୁ ଆସିବା ପରେ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ବର୍ତ୍ତମାନ ଏକ ବଡ଼ ନିଷ୍ପତ୍ତି ନେବାର ସମୟକୁ ଅପେକ୍ଷା ରଖୁଛି।
ଏଭଳି ଏକ ସାହସ ଭରା ପରିଶ୍ରମର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ। ଜିଲ୍ଲାର କୋମନା ବ୍ଲକ ବୁଦ୍ଧିକୋମନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଣ୍ଡରାପଥର ଗ୍ରାମ ନିକଟସ୍ଥ ଗୋହିରାପଦର ଓ ଗୋଡ଼ଭଟା ପଡ଼ାର ଏ ହେଉଛି ବାସ୍ତବ କାହାଣୀ। ସ୍ବାଧୀନତାର ସାତ ଦଶନ୍ଧି ବିତିଯିବା ପରେ ମଧ୍ଯ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ।ରାଜ୍ୟ ଓ କେନ୍ଦ୍ର ସରକାର ରାସ୍ତାଘାଟ ଓ ପାନୀୟ ଜଳ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସତ, କିନ୍ତୁ ଏହି ମୌଳିକ ସୁବିଧା ଅନେକ ଙ୍କ ପାଇଁ ଏବେବି ଅପହଞ୍ଚ।ଏଭଳି ଦାରୁଣ କଷ୍ଟ ସହି ସହି ଶେଷରେ ନିରୁପାୟ ଗ୍ରାମବାସୀ ସାହସ ଜୁଟାଇ ନିଜ ହାତରେ ନିଜ ଗାଁ କୁ ରାସ୍ତା ନିର୍ମାଣ କରି ଦେଖାଇଛନ୍ତି ନୁଆଁ ନିଦର୍ଶନ। ପ୍ରଶାସନିକ ଉଦାସୀନତା ଓ ଜନପ୍ରତିନିଧି ମାନଙ୍କ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଆଗରେସବୁ ଯେମିତି ହାର ମାନିଛି। ରାସ୍ତା ଭଳି ମୌଳିକ ସୁବିଧାସୁଯୋଗରୁ ବଞ୍ଚିତ ହେଉଛନ୍ତି ପଡ଼ାବାସୀ। ପଣ୍ଡରାପଥର ଗ୍ରାମ ଠାରୁ ଗୋହିରାପଦର ଓ ଗୋଡ଼ଭଟା ପଡ଼ା ପ୍ରାୟ ଅଢେଇ କିଲୋମିଟର ଦୂର। ଏହି ପଡ଼ାରେ ୪୦ ଟି ପରିବାର ବସବାସ କରନ୍ତି। ଜନସଂଖ୍ୟା ପାଖାପାଖି ୨୫୦ ହେବ । ଏହି ପଡ଼ାକୁ ଯିବା ଆସିବା ପାଇଁ ହେଲେ ଖଣ୍ଡିଏ ମାଟି ରାସ୍ତା ପଡି ରହିଛି। ବର୍ଷାଦିନେ ଅଳ୍ପ ବର୍ଷାରେ ନୟାନ୍ତ ହେବାକୁ ପଡେ। ରାସ୍ତା ସାରା ଖାଲଖମା। କାଦୁଅ ଓ ପାଣି ପଚପଚ ରାସ୍ତା ଯେମିତି ପଡ଼ାବାସୀଙ୍କ ସମ୍ମାନ ର ପ୍ରଶ୍ନ ହୋଇଛି। ବାଇକ ଓ ସାଇକେଲ ଯିବ କଣ, ପାଦରେ ଚାଲିଯିବାର ଭୟ ବି ରହିଛି ରାସ୍ତାରେ।
ବିଦ୍ୟାଳୟରେ ପାଠ ପଢୁଥ‌ିବା କୋମଳମତୀ ଛାତ୍ରଛାତ୍ରୀ ମାନେ ଏହି ରାସ୍ତା ଦେଇ ଗଲାବେଳେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇ ବିଦ୍ୟାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି ।ବରିଷ୍ଠ ନାଗରୀକ ମାନେ ନିଜର ଭତ୍ତା ପାଇଁ ଗ୍ରାମପଞ୍ଚାୟତ ଓ ବ୍ୟାଙ୍କକୁ ଯିବା ପାଇଁ ଭାରି କଷ୍ଟ ଭୋଗୁଛନ୍ତି।ରାସ୍ତା ମରାମତି ପାଇଁ ପଞ୍ଚାୟତ ଗ୍ରାମ ସଭାରେ ପାରିତ ହେଲେ ମଧ୍ୟ ହୋଇପାରୁନି ମରାମତି।ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଜଣାଇଲା ପରେ ମଧ୍ୟ
ପ୍ରଶାସନିକ ଦୃଷ୍ଟି ପଡୁନାହିଁ।ପଞ୍ଚାୟତ, ବ୍ଲକ, ଜିଲ୍ଲା ପ୍ରଶାସନ ସବୁଠି ହାର ମାନିବା ପରେ ପରିଶେଷରେ ବାଧ୍ୟ ହୋଇ
ଗ୍ରାମବାସୀ ଅଣ୍ଟା ଭିଡ଼ିଛନ୍ତି। ନିଜସ୍ବ ଉଦ୍ୟମରେ କୋଡ଼ି କୋଦାଳ ଝୁଟି ଧରି ମାଟି ମୋରମ ପକାଇ ରାସ୍ତା ତିଆରି କରିଛନ୍ତି। ଏଥିରେ ସାମିଲ ହୋଇଛନ୍ତି ପଡ଼ାବାସୀ। ଏହି ପଡ଼ାକୁ ଯାଇ ଦେଖିବା ପରେ ପାଣି ମଧ୍ୟ ଏକ ମୁଖ୍ୟ ସମସ୍ୟା ହୋଇ ଠିଆ ରହିଛି। ନଳକୂପରୁ ପର୍ଯ୍ୟାପ୍ତ ପାଣି ବାହାରୁ ନାହିଁ।ଜଳ ଯୋଗାଣ ପାଣି କେବେ ଆସୁଛି ତ କେବେ ନାହିଁ। ନିକଟସ୍ଥ ଝରଣା ଓ ନାଳ ପାଣି ପଡ଼ାବାସୀଙ୍କ ସାଜିଛି ଭରସା। ଏହି ପାଣିର ବ୍ୟବହାର ସମ୍ଭାବ୍ୟ ସ୍ୱାସ୍ଥ୍ୟ ସମସ୍ୟା କାରଣ ହୋଇଛି। ପଡ଼ାବାସୀଙ୍କ ସାଧାରଣ ଜୀବନ ଯାତ୍ରା କଷ୍ଟେ ମଷ୍ଟେ ଚଲିଯାଉଛି ସତ, କିନ୍ତୁ ବାସ୍ତବ ଜୀବନ ପାଇଁ ଦୁର୍ବିସହ।
ପଡ଼ାର ଦାଉ ମାଝୀ, ମଧୁମାଝୀ, ଦୁର୍ଜନ ଖରସେଲ, ହୀରାଲାଲ ମାଝୀ, ପରମେଶ୍ବର ଧରୁଆ, ରେବାଲାଲ ବାରିକ, ପ୍ରତାପ ମାଝୀ, ଯୋଗୀନ୍ଦ୍ର ଧରୁଆ, ଅମ୍ବିକା ମାଝୀ, ବିମଳା ମାଝୀ, ରଥୁମାଝୀ, ଜୟଧର ମାଝୀ, ତୁଳସୀରାମ ମାଝୀ ଭଳି ସମସ୍ତ ପଡା ବାସୀଙ୍କ ଗୋଟିଏ ଦାବି ପଡ଼ାକୁ ଭଲ ରାସ୍ତା ଟିଏ ଓ ପିଇବାକୁ ସ୍ୱଚ୍ଛ ନିର୍ମଳ ପାନୀୟ ଜଳ ମିଳିଲେ ସେମାନଙ୍କ ଜୀବନ ହେବ ସାର୍ଥକ।ଏବେବି ସେମାନେ ଖୁବ ଆଶାବାଦୀ ଲୋକଙ୍କ ସରକାର ତାଙ୍କ ହାରି ଗୁହାରୀ ଶୁଣିବ। ହେଲେ ସବୁଠୁ ବଡ଼ କଥା ହେଲା ତାଙ୍କର ଏହି ଆଶା ଭରସାର ନିବେଦନ ସରକାରଙ୍କ ନିକଟରେ ପହଁଞ୍ଚିପାରୁନି। ତେଣୁ ସେମାନେ ଗଣମାଧ୍ୟମର ସହଯୋଗ ଲୋଡି ସେମାନଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ଆଶା ବାନ୍ଧିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଗୋହିରାପଦର ଓ ଗୋଡ଼ଭଟା ପଡ଼ାର ଏହି କରୁଣ ଆବେଦନ ଲୋକଙ୍କ ସରକାର ପାଖରେ କେବେ ପହଞ୍ଚୁଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ