Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାନଗର ନିଗମର କିଛି ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି

ସମ୍ବଲପୁର:ଆଜି ସୋମବାର ସକାଳୁ ମହାନଗର ନିଗମର ବରେଇପାଲି ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ଦେଖାଯାଇଥିଲା ।‌ ଏବିଷୟ ରେ ସୂଚନା ପାଇ ନିଗମ କର୍ତ୍ତୃପକ୍ଷ ପମ୍ପ ଜରିଆରେ ଜଳ ନିଷ୍କାସନର ସୁବିଧା କଲାପରେ ସେଠାକାର ସ୍ଥିତି ସାମାନ୍ୟ ହେବା ସହିତ ଲୋକେ ସୁରକ୍ଷିତ ଓ ଆଶ୍ବସ୍ତ ହୋଇପାରିଛନ୍ତି ।‌ ଇତିମଧ୍ୟରେ ସ୍ଥାନୀୟ ମିଡ଼ିଆ କର୍ମୀମାନଙ୍କ ପାଖରେ ଏଖବର ପହଞ୍ଚିବା କ୍ଷଣି ସେମାନେ ସୂଚନା ସଂଗ୍ରହ ପାଇଁ ସକ୍ରିୟ ହେବା ସ୍ବାଭାବିକ ଓ ଏହାଫଳରେ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ତଦାନୁସାରେ ସକ୍ରିୟତା ଦେଖିବାକୁ ମିଳୁଛି । ଏଣୁ ଏଣିକି ଆଉ ଅଧିକ ବର୍ଷାର ସମ୍ଭାବନା ବିଷୟରେ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେବା ପରେ ସେଠାକାର ଜନସାଧାରଣ ପୁଣିଥରେ ଆତଙ୍କିତ ହୋଇପଡିଛନ୍ତି । ଗତ କିଛି ଦିନ ହେଲା ସମଗ୍ର ରାଜ୍ୟରେ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ବର୍ଷା ହେଉଛି ତ ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରରୁ ତିନି ଲକ୍ଷ କ୍ୟୁସେକରୁ ଊର୍ଦ୍ଧ୍ବ ପରିମାଣରେ ଜଳ ନିଷ୍କାସନ ଯୋଗୁଁ ମହାନଦୀରେ ପ୍ରବଳ ବନ୍ୟାର ସ୍ଥିତି ପରିଲକ୍ଷିତ ହେଉଛି ।‌ ଏହି ପରିସ୍ଥିତିରେ ନଗର ଭିତରୁ ବର୍ଷାଜଳ ନିଷ୍କାସନ ପାଇଁ ବାଟ ପାଉନାହିଁ । ସେପଟେ ଛତିଶଗଡରେ ପ୍ରବଳ ବର୍ଷା ହେଉଛି ଆଗକୁ ଏହା ଜାରିରହିଡ ବୋଲି ସୂଚନା ମିଳୁଛି, ଏହା ଫଳରେ ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରୁ ବିପୁଳ ପରିମାଣରେ ବନ୍ୟାଜଳ ମାଡି ଆସୁଛି। ଏଭଳି ସ୍ଥିତିରେ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନର ପରିମାଣ ବୃଦ୍ଧି ପାଇବ, ଏଥିରେ କୌଣସି ଦ୍ବିମତ ନାହିଁ, ଏଣୁ ମହାନଦୀ କୁଳ ତଳିଆ ଅଞ୍ଚଳରେ ଜନସାଧାରଣଙ୍କ ଆଖିରୁ ନିଦ ହଜିଯାଇଛି।‌ ସେହିପରି ଏଠାରେ ମହାନଗର ନିଗମର ପ୍ରଭାବିତ ଅଞ୍ଚଳରେ ମଧ୍ୟ ଲୋକଙ୍କ ମନରେ ବନ୍ୟାଜଳ ପଶିବା ଆଶଙ୍କା ରହିଛି । ନଗର ପ୍ରଶାସନ ପକ୍ଷରୁ ଏବର୍ଷ ଏପର୍ଯ୍ୟନ୍ତ କୌଣସି ବନ୍ୟା ଆଶ୍ରୟସ୍ଥଳ ସକ୍ରିୟ କରାଯାଇନାହିଁ।‌ ଆଜିର ଘଟଣା ପରେ ଆଶା କରାଯାଉଛି ଯେ ଏବିଷୟରେ ବିହିତ କାର୍ଯ୍ୟାନୁଷ୍ଠାନ ଦିଗରେ ସକ୍ରିୟତା ପ୍ରକାଶ ପାଇବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ