ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଏଚ୍ଓଡି ସମୀର ସାହୁ ବାଲେଶ୍ବର ଜିଲ୍ଲା କାରାଗାରରେ.. ଟିଭି ଦେଖୁ ନାହାନ୍ତି କି ଖବରକାଗଜ ପଢ଼ୁ ନାହାନ୍ତି..ଚୁପଚାପ ବସି ରହୁଛନ୍ତି


ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଏଚ୍ଓଡି ସମୀର ସାହୁ ବାଲେଶ୍ବର ଜିଲ୍ଲା କାରାଗାରରେ ରହିଛନ୍ତି। ଏଚ୍ଓଡି କାରାଗାରର ୩ ନମ୍ବର ସେଲ୍ରେ ରହିଥିବା ବେଳେ ଅଧ୍ୟକ୍ଷଙ୍କୁ ୧୫ ନମ୍ବର ସେଲ୍ରେ ରଖାଯାଇଛି। ଶ୍ରୀ ସାହୁଙ୍କ ସହିତ ୩ ଜଣ କଏଦୀ ରହୁଥିବା ବେଳେ ଶ୍ରୀ ଘୋଷଙ୍କ ସହିତ ୨୯ ଜଣ କଏଦୀ ରହୁଛନ୍ତି।

ସେମାନଙ୍କର ପ୍ରତିଟି ଗତିବିଧି ଉପରେ ନଜର ରଖାଯାଇଛି। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା କିମ୍ବା ମିଳାମିଶା ନହେବା ପାଇଁ କାରାଗାର ପକ୍ଷରୁ କଡ଼ା ନଜର ରଖାଯାଇଛି। ତେବେ କାରାଗାରକୁ ଆସିବା ପରଠାରୁ ଉଭୟ ଚୁପ୍ଚାପ୍ ରହୁଥିବା ଜଣାଯାଇଛି।

ଯାହା ଖାଇବାକୁ ଦିଆଯାଉଛି ଖାଉଛନ୍ତି
ଟିଭି ଦେଖୁ ନାହାନ୍ତି କି ଖବରକାଗଜ ପଢ଼ୁ ନାହାନ୍ତି
ଗତିବିଧି ଉପରେ ନଜର ରଖିଛୁ: ସୁପରିନ୍ଟେଣ୍ଡେଣ୍ଟ

ଗତ ୧୨ ତାରିଖ ଦିନ କାରାଗାରକୁ ଆସିଥିଲେ ଶ୍ରୀ ସାହୁ। କାହା ସହିତ କଥାବର୍ତ୍ତା କରି ନଥିଲେ। ଜେଲ୍ରେ ଯାହାସବୁ ଖାଇବାକୁ ଦିଆଯାଉଛି, ତାହା ଖାଉଛନ୍ତି। ସେଲ୍ରୁ ଆଦୌ ବାହାରକୁ ବାହାରୁ ନାହାନ୍ତି। ଅନ୍ୟ କଏଦୀ ଟିଭି ଦେଖୁଥିବା ବେଳେ ସେ ଯାଉନାହାନ୍ତି। ତେବେ ଆଜି ଜେଲ୍ ପରିସରରେ ହେଉଥିବା ଯୋଗ କ୍ଲାସ୍ରେ ସାମିଲ ହୋଇ ଯୋଗଶିକ୍ଷା କରିଥିଲେ। ଅନ୍ୟପକ୍ଷରେ ଗତ ୧୪ ତାରିଖ ରାତି ପାଖାପାଖି ୧୨ଟା ସମୟରେ କାରାଗାରକୁ ଆସିଥିବା ଅଧ୍ୟକ୍ଷ ମାନସିକସ୍ତରରେ ଦୃଢ଼ଥିବା ବେଳେ ତାଙ୍କ ସହିତ ରହୁଥିବା କଏଦୀଙ୍କ ସହିତ କଥାବାର୍ତ୍ତା କରୁ ନଥିବା ଜଣାପଡ଼ିଛି। ସେ ବି ନିଜ ସେଲ୍ରୁ ବାହାରୁ ନାହାନ୍ତି। ଦୁଇଦିନ ହେଲା ଏକୁଟିଆ ଚୁପ୍ଚାପ୍ ବସି ରହୁଛନ୍ତି। ଆଜି ସମସ୍ତ କଏଦୀ ଯୋଗ କ୍ଲାସ୍ ଯାଇଥିବା ବେଳେ ସେ ନଯାଇ ନିଜେ ରୁମ୍ ଭିତରେ ଯୋଗ କରିଥିଲେ। ଟିଭି ଦେଖୁ ନାହାନ୍ତି କି ଖବରକାଗଜ ପଢ଼ୁ ନାହାନ୍ତି। ଜେଲ୍ ପକ୍ଷରୁ ଆଜି ସକାଳେ ଦିଆଯାଇଥିବା ଚୁଡ଼ାସନ୍ତୁଳା, ଦ୍ବିପ୍ରହରରେ ଡାଲି ଓ ସୋୟାବିନ୍ ତରକାରି ଉଭୟ ଖାଇଥିଲେ। ରାତିରେ ଭାତ ନଖାଇ ରୁଟି ଓ ତରକାରି ଖାଉଥିବା ଜଣାପଡ଼ିଛି। ଆସନ୍ତା ସୋମବାର ଦିନ ପରିବାର ଲୋକଙ୍କୁ ଭେଟିବାର ସୁଯୋଗ ଦିଆଯିବ ବୋଲି ଜଣାଯାଇଛି।

ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି ପାରଳାଖେମୁଣ୍ଡି:୧୭/୭(ଗରୁଡ ଧ୍ଵଜ ଚୌଧୁରୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ ଓ କାଶୀନଗର ଏନଏସି ଓ ବ୍ଲକ ଅଞ୍ଚଳରେ ସଫଳ ହୋଇଛି ବନ୍ଦ ପାଳନା। ସାରା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ସମ୍ପୂର୍ଣ ବ୍ୟାହତ ହୋଇଛି। ଚକ ଅଖ ବନ୍ଦ ଥିବା ବେଳେ ସମସ୍ତ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ଦୋକାନ ବଜାର, ସରକାରୀ ଅଫିସ ଓ ବ୍ୟାଙ୍କ ଆଦି ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀକୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରକାଶ କରି କହିଛନ୍ତିଯେ, ବାଲେଶ୍ବର ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ସୁରକ୍ଷା ଦେଇ ପାରି ନାହାଁନ୍ତି ସରକାର। ତାଙ୍କ ଅସ୍ଵାଭାବିକ ମୃତ୍ୟୁ ପଛରେ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ ପିଡିତାଙ୍କ ପରିବାରକୁ ୫ କୋଟି ସହାୟତା ପ୍ରଦାନ ଦାବି କରିଛନ୍ତି. ଏହି ବନ୍ଦ ପାଳନରେ ଗଜପତି ଜିଲ୍ଲା ସିପିଏମ ଦଳର ଦଣ୍ଡ ପାଣି ରଇତ, ସିପିଆଇର ଶ୍ରୀନିବାସ ବେହେରାଙ୍କ ସମେତ ବହୁ ବାମପନ୍ଥି ସଦସ୍ୟ ଯୋଗ ଦେଇ ବନ୍ଦ ପାଳନକୁ ସମ୍ପୂର୍ଣ ସଫଳ କରିଥିଲେ. କଂଗ୍ରେସ ନେତ୍ରୀ ଜସ୍ମିନ ଶେଖଙ୍କ ସମେତ ବହୁ ନେତା କର୍ମୀ ପାରଳାଖେମୁଣ୍ଡି ଠାରେ ବନ୍ଦ ପାଳନରେ ସାମିଲ ହୋଇଥିଲେ. ବିଜେପି ସରକାରଙ୍କ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଫଟୋଚିତ୍ରକୁ ଦାହ କରିବା ସହ ସେମାନଙ୍କ ଇସ୍ତଫା ଦାବି କରାଯାଇଥିଲା.