Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତାକଡ଼ରୁ ମିଳିଲା ଵିଧବା ମହିଳାଙ୍କ ମୃତଦେହ, ହତ୍ୟା ମାମଲା ରୁଜୁ

ଜମନକିରା : ସମ୍ବଲପୁର ଜିଲା ଜମନକିରା ବ୍ଲକ କୁଚିଣ୍ଡା ଥାନା ଅନ୍ତର୍ଗତ ଡିମିରିମୁଣ୍ଡା ଛକରୁ ଡିମୁରିମୁଣ୍ଡା ଗାଁକୁ ଯିବା ନିଛାଟିଆ ରାସ୍ତା କଡ଼ରୁ ପୋଲିସ ରବିବାର ସକାଳୁ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ମୃତ ମହିଳା ଜଣକ ହେଲେ ଡିମିରିମୁଣ୍ଡା ଗ୍ରାମର ବନିତା ମହାକୁଳ (୪୮)। ମହିଳା ଜଣକ ପରିବା ବ୍ୟବସାୟ କରନ୍ତି। ସେ ଝାରସୁଗୁଡ଼ା ଓ ରାଉରକେଲାରୁ ପରିବା ଆଣି କୁଚିଣ୍ଡା ଦୈନିକ ଵଜାରରେ ବିକ୍ରି କରନ୍ତି। ପ୍ରତିଦିନ ସେ ସନ୍ଧ୍ୟାରେ ଆସି ଡିମିରିମୁଣ୍ଡା ଛକରେ ବସରେ ଓହ୍ଲାଇ ପୁଅ ସଞ୍ଜିଵଙ୍କ ସହ ଘରକୁ ଯାଆନ୍ତି। ହେଲେ ଘଟଣା ଶନିବାର ଦିନ ସନ୍ଧ୍ୟାରେ ମା” ବସ ରୁ ନଓହ୍ଲାଇଵାରୁ ତାଙ୍କୁ ଫୋନରେ ଯୋଗାଯୋଗ କରିଥିଲେ। କିନ୍ତୁ ଫୋନ୍ ସୁଇଚ ଅପ୍ ଆସିବାରୁ ପୁଅ ବିଭିନ୍ନ ସ୍ଥାନକୁ ଫୋନ୍ କରିଥିଲେ ହେଁ ମା’ଙ୍କ ଖୋଜ ଖବର ପାଇ ନଥିଲେ। ରବିବାର ସକାଳୁ ଡିମିରିମୁଣ୍ଡା ଛକରୁ ଡିମିରିମୁଣ୍ଡା ଗାଁ କୁ ଯିବା ଏକ ନିଛାଟିଆ ରାସ୍ତା କଡ଼ରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଲୋକଙ୍କ ଠାରୁ ସେ ଖବର ପାଇଥିଲେ। ଘଟଣାସ୍ଥଳକୁ ଯାଇ ଦେଖିବାରେ ମୃତଦେହ ଟି ତାଙ୍କ ମା’ର ବୋଲି ଜାଣି ସଞ୍ଜିଵ କୁଚିଣ୍ଡା ଥାନାକୁ ଫୋନରେ ଜଣାଇଥିଲେ। ମୃତ ମହିଳା ଜଣକ ବିଧବା ଓ ସେ ସ୍ୱର୍ଗତ ବିଦେଶୀ ମହାକୁଳଙ୍କ ସ୍ତ୍ରୀ ଅଟନ୍ତି। ସମ୍ବଲପୁରରୁ ସାଇଣ୍ଟିଫକ୍‌ ଟିମ୍‌ ସହ ସନ୍ଧାନୀ କୁକୁର ଘଟଣାସ୍ଥଳରେ ତଦନ୍ତ କରିଛନ୍ତି। କୁଚିଣ୍ଡା ଏସ୍‌ଡିପିଓ ପ୍ରଦୀପ କୁମାର ଦାଶ ଓ ଆଇଆଇସି ବାମଦେବ ଶଙ୍ଖୁଆଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପୋଲିସ ଏନେଇ କୁଚିଣ୍ଡା ଥାନା ଦଫା ୧୦୩(୧) ବିଏନଏସ (ନଂ. ୨୧୨/୨୫)ରେ ଏକ ହତ୍ୟା ମାମଲା ରୁଜୁ କରି ମହିଳାଙ୍କ ମୃତଦେହକୁ କୁଚିଣ୍ଡା ମେଡ଼ିକାଲରେ ବ୍ୟବଛେଦ କରାଇଛି। ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଆଇଆଇସି ଶଙ୍ଖୁଆଳ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories