ରାଉରକେଲା ସହରରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାରେ ଆସିଲା ସୁଧାର,ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଚାରୋଟି ପ୍ରମୁଖ ପ୍ରକଳ୍ପ ହେଲା କାର୍ଯ୍ୟକ୍ଷମ


ସମ୍ବଲପୁର: ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ରାଉରକେଲା ସହର ଅନ୍ତର୍ଗତ କଳିଙ୍ଗ ବିହାର, ଛେଣ୍ଡ, ସିଭିଲ୍ ଟାଉନସିପ୍ ଏବଂ ଇଣ୍ଟଷ୍ଟ୍ରିଆଲ୍ ଇଷ୍ଟେଟ୍ ଭଳି ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ଚାରିଗୋଟି ପ୍ରମୁଖ ପ୍ରକଳ୍ପର କାର୍ଯ୍ୟକ୍ଷମ କରାଯାଇଅଛି । ଏହି ଗୁରୁତ୍ୱପୂର୍ଣ୍ଣ ଚାରି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଫଳରେ ସହରର ପ୍ରାୟ ୩୦ ହଜାରରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତା ଉପକୃତ ହୋଇପାରିବେ ।

ପ୍ରଥମ ପ୍ରକଳ୍ପ ଭାବେ ଉଦିତନଗରଠାରେ ଏକ ନୂତନ ୧୧କେ.ଭି. ଆରଏମୟୁର ସ୍ଥାପନ କରାଯାଇଅଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ସହ ବିଭିନ୍ନ ସରକାରୀ କାର୍ଯ୍ୟଳୟ ଗୃହ ସମେତ ପାଖାପାଖି ୪ ହାଜରରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତା ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବାର ଲାଭ ଉଠାଇପାରୁଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ସହ ଲୋ-ଭୋଲଟେଜ ସମସ୍ୟ, ଟ୍ରିପିଂ ସମସ୍ୟ ଆଦିରେ ସୁଧାର ଆସିପାରିଛି ।

ଦ୍ବିତୀୟ ପ୍ରକଳ୍ପଟି ହେଉଛି ନୂଆବଜାର ଫିଡର ଲାଇନ୍ ପାଇଁ ଏକ ନୂତନ ଲିଙ୍କ ଲାଇନର ନିର୍ମାଣ । ଏହି ନୂତନ ଲିଙ୍କ ଲାଇନ୍ କାର୍ଯ୍ୟକ୍ଷମ ହେବା ସହ ଉକ୍ତ ଅଞ୍ଚଳର ପ୍ରାୟ ୪ ହଜାରରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ସୁନିଶ୍ଚିତ ହୋଇପାରୁଛି । ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ସଫ୍ଟୱେର୍ ପାର୍କ, ଓଟିଡିସି ସେଣ୍ଟର ଏବଂ ସ୍ଥାନୀୟ ଅଞ୍ଚଳର ଅନେକ ସ୍କୁଲ ଭଳି ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକ ଏବେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇପାରୁଛନ୍ତି ।

ସେହିପରି ତୃତୀୟ ପ୍ରକଳ୍ପ ଭାବେ କଳିଙ୍ଗ ବିହାର ପିଏସ୍ଏସ୍ ପାଇଁ ଏକ ନୂତନ ତଥା ବିକଳ୍ପ ୩୩କେଭି ଭୂତଳ ଲାଇନ୍ ବିଛାଯାଇଛି । ଏହି ପ୍ରକଳ୍ପ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ଥିର ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବ । ଏହି ପ୍ରକଳ୍ପ ସ୍ଥାନୀୟ ଶିଳ୍ପାଞ୍ଚଳ ଏବଂ ରାଉରେକେଲା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ସମେତ ୮ ହଜାର ୬୦୦ ରୁ ଅଧିକ ଗ୍ରାହକଙ୍କୁ ଲାଭ ପହଞ୍ଚାଇ ପାରୁଛି ।

ଚତୁର୍ଥ ପ୍ରକଳ୍ପଟି ହେଉଛି ପାୱାର ହାଉସ୍ ପିଏସ୍ଏସ୍ ପାଇଁ ଏକ ନୂତନ ବିକଳ୍ପ ୩୩ କେ.ଭି. ଲାଇନର ନିର୍ମାଣ । ଏହି ପ୍ରକଳ୍ପ ବାଣିଜ୍ୟିକ ଉପଭୋକ୍ତା ଏବଂ ପୌରପାଳିକା, ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ, ଏସପି ଅଫିସ୍, କୋର୍ଟ ଏବଂ ପୋଲିସ ନିୟନ୍ତ୍ରଣ କକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ସମେତ ୧୫ ହାଜରରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରୁଛି ।

ଏହି ମାଇଲଖୁଣ୍ଟ ଉପରେ ନିଜର ମତ ପ୍ରକାଶ କରି ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି, “ଏହି ପ୍ରକଳ୍ପଗୁଡ଼ିକ ପଶ୍ଚିମ ଓଡ଼ିଶାରେ ନିର୍ଭରଯୋଗ୍ୟ, ନିରାପଦ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ବୋଲି କର୍ପୋରେଟ୍ ଯୋଗାଯୋଗ ଏବଂ ସରକାରୀ ସମ୍ପର୍କ ମୁଖ୍ୟ
ଟିପିଡବ୍ଲୁଓଡିଏଲ୍, କର୍ପୋରେଟ୍ କାର୍ଯ୍ୟାଳୟ, ବୁର୍ଲା ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।