ନନ୍ଦନକାନନରେ ଧଳା ବାଘ ଶାବକ ମୃତ


ଭୁବନେଶ୍ୱର: ଜୁନ୍ ୭ ତାରିଖରେ ନନ୍ଦନକାନନରେ ଧଳା ବାଘୁଣୀ ମୌସୁମୀ ଠାରୁ ଦୁଇଟି ଛୁଆ ଜନ୍ମ ହୋଇଥିଲେ। ଯାହାକି ଚିଡ଼ିଆଖାନାର ସଂରକ୍ଷଣ ପ୍ରଜନନ କାର୍ଯ୍ୟକ୍ରମରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଥିଲା। କିନ୍ତୁ ଏବେ ଏଥିମଧ୍ୟରୁ ଗୋଟେ ଛୁଆର ମୃତ୍ୟୁ ହୋଇଯାଇଛି।

ଏହାକୁ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ରବିବାର ଦିନ ସୂଚନା ଦେଇଛନ୍ତି। ଛୁଆଟି ଜନ୍ମ ହେବା ଦିନରୁ ଅସୁସ୍ଥ ଥିବା ରିପୋର୍ଟରୁ ଜଣାପଡ଼ିଛି। ଜନ୍ମ ପରେ ଏହାକୁ ମା’ଠାରୁ ଦୂରରେ ରଖାଯାଇ ଚିଡ଼ିଆଖାନାର ପଶୁଚିକିତ୍ସା ୟୁନିଟରେ ସ୍ୱତନ୍ତ୍ର ଭାବରେ ଚିକିତ୍ସା କରାଯାଉଥିଲା।

କିନ୍ତୁ ଶନିବାର ରାତିରେ ଏହି ଛୁଆଟିର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ପରେ ବର୍ତ୍ତମାନ ନନ୍ଦନକାନନରେ ଧଳା ବାଘଙ୍କ ମୋଟ ସଂଖ୍ୟା ପାଞ୍ଚକୁ ହ୍ରାସ ପାଇଛି।