Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନରେଗାରେ ବ୍ୟାପକ ଦୁର୍ନିତୀ ଅଭିଯୋଗ

ଖଡ଼ିଆଳ : ଦାଦନ ପ୍ରବଣ ନୂଆପଡା ଜିଲ୍ଲାରେ ଗରୀବ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ମନରେଗା ଅର୍ଥ ବିଭିନ୍ନ ସ୍ଥାନରେ ସୁନିୟୋଜିତ ଢଙ୍ଗରେ ଖୋଲାଖୋଲି ତଳୁ ଉପର ସଲା ସୁତୁରାରେ ହରଣଚାଲ କରାଯାଉଥିବା ଅଭିଯୋଗ ହୋଇଛି। ମନରେଗା ଯୋଜନାର ଅର୍ଥ ବାଟମାରଣା, ଦୁର୍ନୀତି,ମେସିନ ଜରିଆରେ କାମ ହେବାର ପ୍ରମାଣ ସହିତ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଓଲଟି ଦୁର୍ନୀତିଖୋର ଲୋକମାନେ ଅଭିଯୋଗକାରୀଙ୍କ ଉପରେ ବିଭିନ୍ନ ପ୍ରକାର ଚାପ ପ୍ରାୟୋଗ କରି ପାଟି ବନ୍ଦ କରେଇବାର ଉପାୟ କରାଯାଉଛି।ସାରା ଜିଲ୍ଲାରେ ଏହା ଏକ ରେକେଟ ଭଳି ବ୍ୟବସ୍ଥିତ ଢଙ୍ଗରେ କରାଯାଉଛି ଓ ଏଥିରେ ସରକାରୀ ଅଧିକାରୀ ମାନଙ୍କ ସହଯୋଗୀତା ଓ ସହଭାଗୀତା ରହୁଛି। ଆଜି ଏଭଳି ଏକ ଜ୍ୱଳନ୍ତ ଉଦାହରଣ ବୋଡେ଼ନ ବ୍ଲକର କେଶରାଜପୁର ଗ୍ରାମରେ ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘର ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ଦ୍ୱାରା ଲୋକଙ୍କ ଠାରୁ ଅଭିଯୋଗ ପାଇଲା ପରେ ପର୍ଦ୍ଦାଫାସ କରିଛନ୍ତି। ସୂଚନା ମୁତାବକ କେଶରାଜପୁର ହରିଜନପଡା ଠାରୁ ବନିଆପଡା ରାସ୍ତା କାମ ପାଇଁ ମନରେଗା ଯୋଜନାରେ ନଅ ଲକ୍ଷ ନବେ ହଜାର ଟଙ୍କା ବ୍ୟୟ ଅଟକଳ ଦୁଇ ସପ୍ତାହ ପୂର୍ବରୁ ମଞ୍ଜୁରୀ ହୋଇଛି। ଦେଖିବାକୁ ମିଳିଲା ଉକ୍ତ କାର୍ଯ୍ୟରେ କୌଣସି ଶ୍ରମିକଙ୍କୁ ନିଯୁକ୍ତି କରାଯାଇନାହିଁ କିମ୍ବା କାମ ଆରମ୍ଭ ହୋଇ ନାହିଁ। କିନ୍ତୁ ମାଷ୍ଟରରୋଲ ଦାଖଲ କରି ସାତ ଜଣ ଶ୍ରମିକ ଦୁର୍ବଳ ମାଝୀ, ଚନ୍ଦ୍ର ଦୀପ, ଜେମା ବେୱା, ମହୁଲ ପଡେନ ମାଝୀ, ରସିଦ ଦୁରିଆ, ଯୁଧିଷ୍ଠିର ଦୀପ, ରବୀନ୍ଦ୍ର ଦଲଙ୍କ ନାମରେ ତୁରନ୍ତ ୯୩୨୪ ଟଙ୍କା ଉଠାଣ ହୋଇଛି। ଗ୍ରାମବାସୀ ଅଭିଯୋଗ କଲା ପରେ ଆଜି ଦୁଇଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନ ଲଗେଇ ରାସ୍ତା କାମ ଆରମ୍ଭ କରାଯାଇଛି। ଏହି ଖବର ପାଇବା ପରେ ନିଫଟୁ ଜିଲା ସଭାପତି ଭକ୍ତବନ୍ଧୁ ଧରୁଆ, ଗ୍ରାମର ୱାର୍ଡ ସଭ୍ୟ ଓ ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ବୋଡେ଼ନ ଯାଇ ବିଡ଼ିଓଙ୍କୁ ଅଭିଯୋଗ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ତାଙ୍କ କଥା ବିଡ଼ିଓ କର୍ଣ୍ଣପାତ ନ କରିବାରୁ ଜିଲ୍ଲା ଶ୍ରମିକ ମହାସଙ୍ଘର ଆବାହକ ଶ୍ରୀପାଣିଗ୍ରାହୀ ବିଡ଼ିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଓ ତାଙ୍କୁ ମଧ୍ୟ ବିଡ଼ିଓ କୌଣସି କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ନ ଦେଇ ନିଜ ଗାଡ଼ିରେ ପଳାଉଥିଲେ। ଏଥିରେ ଶ୍ରୀ ପାଣିଗ୍ରାହୀଙ୍କ ସମେତ ଗ୍ରାମବାସୀ ଉତ୍ୟକ୍ତ ହୋଇ ଆପଣଙ୍କୁ ଯିବାକୁ ଦିଆଯିବନାହିଁ,ଆପଣ ଦୁର୍ନୀତି ବିରୁଦ୍ଧରେ ଠୋସ ପଦକ୍ଷେପ ନ ନେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ। ଏହାପରେ ବିଡ଼ିଓ ବାଧ୍ୟହୋଇ ଏକ ଦୁଇ ଜଣିଆ ଟିମ ତଦନ୍ତ ପାଇଁ ପଠେଇଥିଲେ। ତଦନ୍ତକାରୀ କନିଷ୍ଠଯନ୍ତ୍ରୀ ସଞ୍ଜୟ ବେହେରା ଓ ଅତିରିକ୍ତ ପୋଗ୍ରାମ ଅଧିକାରୀ ରବି ନାରାୟଣ ରାଉତ କାମ ନ କରି ଶ୍ରମିକଙ୍କ ନାମରେ ଟଙ୍କା ଉଠାଣ ହୋଇଥିବା ସ୍ୱୀକାର କରିଛନ୍ତି ଓ ରିପୋର୍ଟ ବିଡ଼ିଓଙ୍କୁ ଦେବେ ବୋଲି ପ୍ରକାଶ କରିଛନ୍ତି।ଭାତ ହାଣ୍ଡିରୁ ଗୁଟେ ଭାତ ଚିପିଲା ପରି କେଶରାଜପୁର ଗ୍ରାମର ଦୁର୍ନୀତି ସାରା ଜିଳରେ ମନରେଗା କାମର ସ୍ଥିତି ଓ ପରିସ୍ଥିତିକୁ ବର୍ଣନା କରୁଛି ବୋଲି ଶ୍ରମିକ ମହାସଙ୍ଘ ର ଜିଲ୍ଲା ଆବାହକ ଶ୍ରୀପାଣିଗ୍ରାହୀ ପ୍ରକାଶ କରିଛନ୍ତି। ବୋଡେ଼ନ ପ୍ରଶାସନ ଏହି ଦୁର୍ନୀତର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବୋଡେ଼ନରେ ଜୋରଦାର ଶ୍ରମିକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ