Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ଓଡ଼ିଶାରେ ମୋଟ୍ ୬,୦୪୫ ଶିଳ୍ପ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସେବା ପ୍ରଦାନ କରୁଛି ଟିପିଡବ୍ଲୁଓଡିଏଲ୍

ସମ୍ବଲପୁର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ପଶ୍ଚିମ ଓଡ଼ିଶାର ଶିଳ୍ପ ବିକାଶକୁ ଶକ୍ତି ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି । ବିଗତ ୪ ବର୍ଷ ଧରି କମ୍ପାନୀ ପଶ୍ଚିମ ଓଡ଼ିଶାର ନଅ ଗୋଟି ଜିଲ୍ଲାର ୪୮ ହଜାର ବର୍ଗ କିଲୋମିଟର କ୍ଷେତ୍ରରେ ପ୍ରାୟ ୨୧ ଲକ୍ଷରୁ ଉର୍ଦ୍ଧ୍ୱ ଘରୋଇ, ଶିଳ୍ପ ତଥା କୃଷି ଭଳି ବିଭିନ୍ନ ବର୍ଗର ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦେଇ ଆସୁଅଛି ।

ଶିଳ୍ପ ପ୍ରାଧାନ୍ୟ ଅଞ୍ଚଳ ଭାବେ ପରିଗଣିତ ପଶ୍ଚିମ ଓଡ଼ିଶା ଏବଂ ଏହି ଅଞ୍ଚଳ ଗୁଡ଼ିକରେ ଶିଳ୍ପର ଅଭିବୃଦ୍ଧିକୁ ଟିପିଡବ୍ଲୁଓଡିଏଲର ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ଯଥେଷ୍ଟ ସମର୍ଥନ କରୁଅଛି । କମ୍ପାନୀ ପକ୍ଷରୁ ବର୍ତ୍ତମାନ ୬,୦୪୫ ଶିଳ୍ପ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସେବା ପ୍ରଦାନ କରାଯାଉଅଛି । ଯେଉଁଥିରେ ପ୍ରାୟ ୧,୦୦୦ ବୃହତ ଶିଳ୍ପ ଏବଂ ୫,୦୦୦ ରୁ ଅଧିକ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଅନ୍ତର୍ଭୁକ୍ତ ରହିଛି । ଏଥିମଧ୍ୟରୁ ୩୪ ଜଣ ଉପଭୋକ୍ତାଙ୍କୁ ଏକ୍ସଟ୍ରା ହାଇ ଟେନସନ୍ (ଇଏଚଟି) ବିଦ୍ୟୁତ୍ ଯୋଗାଣ ଏବଂ ୧୮୭୫ ଜଣ ଉପଭୋକ୍ତାଙ୍କୁ ହାଇ ଟେନସନ୍ (ଏଚଟି) ବିଦ୍ୟୁତ୍ ଯୋଗାଣ କରାଯାଉଅଛି । ତେବେ ସମଗ୍ର ପଶ୍ଚିମ ଓଡ଼ିଶାର ଶିଳ୍ପ ଉପଭୋକ୍ତାଙ୍କ ପାଇଁ ଚୁକ୍ତିବଦ୍ଧ ବିଦ୍ୟୁତ୍ ଚାହିଦା ୧୦୬.୨ ମେଗାୱାଟ୍ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏମାନଙ୍କ ସର୍ବାଧିକ ବିଦ୍ୟୁତ୍ ଚାହିଦା ୮୮.୯ ମେଗାୱାଟ୍ ରହିଛି ।

ପ୍ରକାଶଥାଉ କି, ବୃହତ ଶିଳ୍ପ ଠାରୁ ଆରମ୍ଭ କରି କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଶିଳ୍ପଗୁଡ଼ିକର ବିବିଧ ଆବଶ୍ୟକତା ପୂରଣ କରିବା ପାଇଁ କମ୍ପାନୀ ପକ୍ଷରୁ ନିରନ୍ତର ଭାବରେ ଏହାର ବିଦ୍ୟୁତ ଭିତ୍ତିଭୂମିକୁ ଉନ୍ନତ କରାଯାଉଛି । ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇସାରିଛି, ଯେତେବେଳେ ନେଟୱାର୍କକୁ ଅଧିକ ସୁଦୃଢ଼ କରିବା ଏବଂ ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଅନେକ ନୂତନ ପ୍ରକଳ୍ପ କାର୍ଯ୍ୟାଧିନ ରହିଛି । ତେବେ ଗତ ଚାରି ବର୍ଷ ମଧ୍ୟରେ ବିଦ୍ୟୁତ୍ ଭିତ୍ତିଭୂମିର ଧାରବାହିକ ଉନ୍ନତକରଣ ହେତୁ କେବଳ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ବିଦ୍ୟୁତ୍ ଚାହିଦାରେ ୪୦.୫୩ ପ୍ରତିଶତ ବୃଦ୍ଧି ଘଟିଛି ।

ସୂଚନାଥାଉ କି, ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଶିଳ୍ପାଞ୍ଚଳ ପାଇଁ କମ୍ପାନୀ ପକ୍ଷରୁ ମୋଟ୍ ୩୫.୭୦ ସର୍କିଟ୍ କିଲୋମିଟର (ସିକେଏମ୍)ର ସ୍ବତନ୍ତ୍ର ୩୩ କେ.ଭି ଫିଡର୍ ଲାଇନ୍ ବିଛାଯାଇଅଛି । ସେହିପରି ସୁନ୍ଦରଗଡ଼ ଓ ରାଜଗାଙ୍ଗପୁରର ଶିଳ୍ପାଞ୍ଚଳ ପାଇଁ ୫୧.୫୦ ସର୍କିଟ୍ କିଲୋମିଟର ଏବଂ ରାଉରକେଲା ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ରହିଥିବା ଶିଳ୍ପକ୍ଷେତ୍ର ପାଇଁ ସର୍ବମୋଟ୍ ୫୦.୩୦ ସର୍କିଟ୍ କିଲୋମିଟର (ସିକେଏମ୍)ର ସ୍ବତନ୍ତ୍ର ୩୩ କେ.ଭି ଫିଡର୍ ଲାଇନ୍ ବିଛାଯାଇବା ବେଳେ ୫୨.୪୨ ସର୍କିଟ୍ କିଲୋମିଟର (ସିକେଏମ୍)ର ସ୍ବତନ୍ତ୍ର ୩୩ କେ.ଭି ଫିଡର୍ ଲାଇନ୍ କାର୍ଯ୍ୟ ଏବେ ଜାରି ରହିଛି ।

ଏହି ବିକାଶ ବିଷୟରେ ସୂଚନା ଦେଇ ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ପ୍ରକାଶ କରିଛନ୍ତି ଯେ, ଶିଳ୍ପକ୍ଷେତ୍ର ହେଉଛି ପଶ୍ଚିମ ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ । ଆମ କମ୍ପାନୀ ନିରାପଦ, ନିର୍ଭରଯୋଗ୍ୟ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ସହ ଏହି ଶିଳ୍ପ ଅଭିବୃଦ୍ଧିକୁ ଅଧିକ ଶକ୍ତିଶାଳୀ କରୁଅଛି । ସେହିପରି ଭବିଷ୍ୟତର ବିଦ୍ୟୁତ୍ ଚାହିଦା ପୂରଣ କରିବା ପାଇଁ ମଧ୍ୟ ଆମେ ଆମର ବିଦ୍ୟୁତ୍ ଭିତ୍ତିଭୂମିକୁ ନିରନ୍ତର ଉନ୍ନତ କରିବାରେ ଲାଗିଛୁ । ଶିଳ୍ପଗୁଡ଼ିକୁ ବିଦ୍ୟୁତ୍ ଶକ୍ତି ପ୍ରଦାନ କରି ଟିପିଡବ୍ଲୁଓଡିଏଲ ସମଗ୍ର ଅଞ୍ଚଳରେ ଆର୍ଥିକ ଅଭିବୃଦ୍ଧି, ନିଯୁକ୍ତି ସୁଯୋଗ ଏବଂ ସ୍ଥାୟୀ ବିକାଶକୁ ଆଗେଇ ନେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ