Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବନ୍ଧୁ ଙ୍କ ଦାମ୍ପତ୍ୟ ଗଣ୍ଡଗୋଳ ରେ ହସ୍ତକ୍ଷେପ ଯୋଗୁଁ ହତ୍ୟାକାଣ୍ଡ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବାଘମାରି ଗାଁର ଅଜିତ ଖଣ୍ଡଗିରି (୩୫) ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ । ଆଜି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କେ.ହରିପ୍ରସାଦ
ବୀରମହାରାଜପୁର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ବନ୍ଧୁଙ୍କ ଦାମ୍ପତ୍ୟ ଗଣ୍ଡଗୋଳ ଓ ଘରୋଇ ହିଂସାରେ ହସ୍ତକ୍ଷେପ ଯୋଗୁଁ ଉକ୍ତ ହତ୍ୟାକାଣ୍ଡ ଘଟିଥିବା ପୁଲିସ ସ୍ପଷ୍ଟ କରିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ପାତ୍ରଙ୍କ ସହିତ ଏକାଧିକ ଲୋକ ସାମିଲ ଥିବା ପୋଲିସ କହିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ, ଲାଠି ଓ ମୋଟର ସାଇକେଲକୁ ପୋଲିସ ଜବତ କରିଛି ।
ସୂଚନା ଅନୁସାରେ ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ପାତ୍ରଙ୍କ ଭଉଣୀକୁ ବଡ଼ଖମାର ଗାଁ ଛନ୍ଦସାହିର କିଶୋର ଛନ୍ଦ ବିବାହ କରିଥିଲେ । କିଶୋର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବୈବାହିକ ଗଣ୍ଡଗୋଳ ରହିଥିଲା । ସେମାନଙ୍କ ମଧ୍ୟରେ ଘରୋଇ ହିଂସା ମଧ୍ୟ ଦେଖାଦେଇଥିଲା । ମୃତ ଅଜିତ ଖଣ୍ଡଗିରି କିଶୋର ଛନ୍ଦଙ୍କ ବାଲ୍ୟ ବନ୍ଧୁ ଥିଲେ । ତେଣୁ ମୃତ ଅଜିତ ଖଣ୍ଡଗିରି ସେମାନଙ୍କ ବୈବାହିକ ଗଣ୍ଡଗୋଳର ସମାଧାନ ପାଇଁ ହସ୍ତକ୍ଷେପ କରୁଥିଲେ । ମୃତ ଅଜିତ ଖଣ୍ଡଗିରି ବିଭିନ୍ନ ସମୟର ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ପାତ୍ର ଓ ଅନ୍ୟମାନଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ଧମକଚମକ ମଧ୍ୟ ଦେଇଥିଲେ । ଘଟଣା ଦିନ ସନ୍ଧ୍ୟାରେ ଉଭୟ ଦେବେନ୍ଦ୍ର ପାତ୍ର ଓ ମୃତ ଅଜିତ ଖଣ୍ଡଗିରିଙ୍କ ମଧ୍ୟରେ ମୋବାଇଲ ଫୋନ୍ ମାଧ୍ୟମରେ ଯୁକ୍ତିତର୍କ ହୋଇ ଉଭୟେ ଉଭୟଙ୍କୁ ଚାଲେଞ୍ଜ କରିଥିଲେ । ସେହିଦିନ ସନ୍ଧ୍ୟା ୯.୩୦ ମିନିଟ ସମୟରେ ମୃତ ଅଜିତ ଖଣ୍ଡଗିରିଙ୍କ ସହିତ ସୂର୍ଯ୍ୟ ପ୍ରଧାନ, କିଶୋର ଛନ୍ଦ ଓ ହେମନ୍ତ ପ୍ରଧାନ ମେଣ୍ଡାମାଲ ଗ୍ରାମକୁ ଯାଇଥିଲେ । ସେମାନେ ପହଞ୍ଚିବା ଆଗରୁ ମାରଣାସ୍ତ୍ର ସହିତ ସଜାଗ ଥିବା ମେଣ୍ଡାମାଲ ଗାଁର ଅଭିଯୁକ୍ତ ଦେବେନ୍ଦ୍ର ପାତ୍ର, ରାଜେନ୍ଦ୍ର ପାତ୍ର, ସୁରେନ୍ଦ୍ର ପାତ୍ର, ଲକ୍ଷ୍ମଣ ପାତ୍ର ଓ ଦୁଶୁ ପାତ୍ର ମୃତ ଅଜିତ ଖଣ୍ଡଗିରି ଓ ସୂର୍ଯ୍ୟ ପ୍ରଧାନକୁ ଟାଙ୍ଗିଆ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଅଜିତ ଖଣ୍ଡଗିରିଙ୍କ ମୃତ୍ୟୁ ହୋଇଥିବାବେଳେ ସୂର୍ଯ୍ୟ ପ୍ରଧାନ ଗୁରୁତର ଆହତ ହୋଇଥିଲେ । ଘଟଣା ପରେ ସମସ୍ତ ଅଭିଯୁକ୍ତ ଗିରଫ ଭୟରେ ଫେରାର ମାରିଥିଲେ । ସେହିଦିନ ରାତିରେ ଅଭିଯୁକ୍ତ ରାଜେନ୍ଦ୍ର ପାତ୍ର ଓ ସୁରେନ୍ଦ୍ର ପାତ୍ର ଜାମଗାଁରେ ନିଜ ଭିଣୋଇ ସୁରେଶ ମହାକୁର ଘରେ ରହିଥିଲେ । ସକାଳେ ଉଭୟ ଅଭିଯୁକ୍ତ ରାଜେନ୍ଦ୍ର ପାତ୍ର ଓ ସୁରେନ୍ଦ୍ର ପାତ୍ରକୁ ଫେରାର କରିବା ପାଇଁ ତାଙ୍କ ଭିଣୋଇ ସୁରେଶ ମହାକୁର ଉଲୁଣ୍ଡା ବ୍ଲକ ପୋଢ଼ଟିକ୍ରା ଠାରେ ଛାଡ଼ିଥିଲେ । ସୁରେଶ ମହାକୁର ରାଜେନ୍ଦ୍ର ପାତ୍ରଙ୍କ ମୋଟର ସାଇକଲକୁ ଆଣି ତାଙ୍କ ପୁତୁରା କାଳିଆ ପାତ୍ରଙ୍କ ଘରେ ରଖି ଦେଇଥିଲେ । ସେହି ମୋଟର ସାଇକଲକୁ ପୋଲିସ ଜବତ କରିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ପାତ୍ର ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଥିବାବେଳେ ଜଣେ ନାବାଳକ ସମେତ ୨ ଜଣ ଲକ୍ଷ୍ମଣ ପାତ୍ର ଓ ସୁରେଶ ମହାକୁରଙ୍କୁ ପୋଲିସ ଗିରଫ କରିଥିଲା । ସୋମବାର ଦିନ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ରିମାଣ୍ଡରେ ଆଣି ତଦନ୍ତ କରିଥିଲା । ତଦନ୍ତ ସମୟରେ ଅଭିଯୁକ୍ତ ବନ୍ଧରେ ଫିଙ୍ଗି ଥିବା ଟାଙ୍ଗିଆକୁ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଉଦ୍ଧାର କରିଥିଲା । ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପ୍ରକାଶ କରିଛି । ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ ଓ ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ ।