ଜିଏସଟି ସଂସ୍କାର ୨.୦ ମୋଦୀ ସରକାରଙ୍କ ଐତିହାସିକ ନିଷ୍ପତ୍ତି, ଗାଁରୁ ଦେଶ ଯାଏ ମିଳିବ ଅର୍ଥନୀତିକୁ ବଳ – ଧର୍ମେନ୍ଦ୍ର ପ୍ରଧାନ

ହଜିଗଲା ସମାଲୋଚନା, ‘ଓ୍ୱାନ ନେସନ, ଓ୍ୱାନ ଟ୍ୟାକ୍ସ’କୁ ଦେଶବାସୀଙ୍କ ସ୍ୱାଗତ
ଭାରତର ଆର୍ଥିକ ଅଭିବୃଦ୍ଧି ୬.୩ ପ୍ରତିଶତରୁ ୬.୮ ପ୍ରତିଶତକୁ ବୃଦ୍ଧି
ସମ୍ବଲପୁରକୁ ନ୍ୟୁ ଏଜ୍ ଇକୋନୋମୀ କରିବା ପାଇଁ ଆହ୍ୱାନ
ସମ୍ବଲପୁର: ଜିଏସଟି ସଂସ୍କାର ୨.୦ ମୋଦୀ ସରକାରଙ୍କ ଐତିହାସିକ ନିଷ୍ପତ୍ତି। ୫୬ତମ ଜିଏସଟି ପରିଷଦ ବୈଠକରେ ହୋଇଥିବା ନିଷ୍ପତି ଦ୍ୱାରା ସାଧାରଣ ନାଗରିକମାନେ ବିଶେଷ ଭାବରେ ଲାଭବାନ ହେବା ସହ ଗାଁରୁ ଦେଶ ପର୍ଯ୍ୟନ୍ତ ଅର୍ଥନୀତିକୁ ବଳ ମିଳିବ ବୋଲି ଶୁକ୍ରବାର ‘ସମ୍ବଲପୁର ଚାମ୍ବର୍ସ ଅଫ୍ କମର୍ସ’ ପକ୍ଷରୁ ଆୟୋଜିତ ଜିଏସଟି ସଂସ୍କାର ସମ୍ପର୍କିତ “କନଭେସନ ୨.୦ ଫର୍ମ – ୨୦୨୫” କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରେଜେଣ୍ଟେସନ ମାଧ୍ୟମରେ ଟିକସ ପ୍ରକ୍ରିୟା ସରଳୀକରଣ ଦ୍ୱାରା ମୋଦୀ ସରକାରରେ ଆସିଥିବା ଅଭୁତପୂର୍ବ ପରିବର୍ତ୍ତନ ଏବଂ ଓଡ଼ିଶାକୁ ମିଳିବାକୁ ଥିବା ଲାଭ ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିଥିଲେ । ସବିଶେଷ ତଥ୍ୟ ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ଦାୟିତ୍ୱ ନେବା ପରେ ୨୦୧୭ରେ ଜିଏସଟି ଲାଗୁ କରାଗଲା । ସେ ସମୟରେ ସ୍ତମ୍ଭକାରଙ୍କ ସମେତ ଅନେକ ବୁଦ୍ଧିଜୀବୀ ମୋଦୀଙ୍କ ନିଷ୍ପତିକୁ ସମାଲୋଚନା କଲେ । ତେବେ ଦେଶରେ ‘ଓ୍ୱାନ ନେସନ, ଓ୍ୱାନ ଟ୍ୟାକ୍ସ’କୁ ପରବର୍ତ୍ତୀ ସମୟରେ ସବୁ ବର୍ଗର ଲୋକମାନେ ସ୍ୱାଗତ କରିଥିଲେ । ମୋଦୀ ସରକାରରେ ଜିଏସଟି ପ୍ରକ୍ରିୟାରେ ସଂସ୍କାର ଓ ଜିଏସଟି ହାରରେ ସରଳୀକରଣ ପ୍ରମୁଖ ଅର୍ଥନୈତିକ କ୍ଷେତ୍ରକୁ ତ୍ୱରାନ୍ୱିତ କରିବ ଏବଂ ଅର୍ଥନୈତିକ ଅଭିବୃଦ୍ଧି ସହ ସହଜ ଜୀବନଯାପନର ଏକ ନୂଆ ଯୁଗ ଆରମ୍ଭ କରିବ ।
ସେ ଆହୁରି କହିଛନ୍ତି ଯେ ଭାରତ ଜର୍ମାନୀକୁ ପଛରେ ପକାଇ ୪.୨ ଟ୍ରିଲିୟନ ଆମେରିକୀୟ ଡଲାର ସହ ବିଶ୍ୱର ଚତୁର୍ଥ ବୃହତମ ଅର୍ଥନୀତିର ଦେଶ ହୋଇଛି । ଆଗାମୀ ଦୁଇରୁ ୩ ବର୍ଷ ମଧ୍ୟରେ ଆମର ଅର୍ଥନୀତି ୭ ଟ୍ରିଲିୟନ ଆମେରିକୀୟ ଡଲାର ହେବ ଏବଂ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ । ସେ ଆହୁରି କହିଛନ୍ତି ଯେ ପୂର୍ବରୁ ଅର୍ଥନୀତିକୁ ବୁଝିବାକୁ ହେଲେ ରତ୍ପାନୀ ଓ ଆମଦାନୀକୁ ବୁଝିବାକୁ ହେବ । ୨୦୧୩-୧୪ରେ ଦେଶର ରପ୍ତାନୀ ପରିମାଣ ୪୬୬.୨୨ ବିଲିୟନ ଆମେରିକୀୟ ଡଲାର ଥିବା ବେଳେ ଆଜି ତାହା ୭୭ ପ୍ରତିଶତ ବଢି ୮୨୪.୯ ବିଲିୟନ ଆମେରିକୀୟ ଡଲାର ହୋଇଛି । ଭାରତର ଆର୍ଥିକ ଅଭିବୃଦ୍ଧି ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ହୋଇଛି । ସେହିପରି ୨୦୧୯ରେ ଦେଶରେ ପ୍ରାୟ ୪.୯ କୋଟି ନିବେଶକ ଥିଲେ । ଏହି ସଂଖ୍ୟା ୫ ବର୍ଷରେ ୩ ଗୁଣା ବଢି ୧୩.୨ କୋଟି ହୋଇଛି । ଏହା ହିଁ ଜିଏସଟି କ୍ରିୟାନ୍ୱୟନର ବଡ ଉପଲବ୍ଧି ।
ସେ ଆହୁରି କହିଛନ୍ତି ଯେ ଦେଶରେ ବିଦେଶ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ବା ଏଫଡିଆଇ ୨୦୧୩-୧୪ ବର୍ଷରେ ୩୬.୦୫ ବିଲିୟନ ଆମେରିକୀୟ ଡଲାର ଥିଲା । ଏହି ସଂଖ୍ୟା ଦୁଇ ଗୁଣା ହୋଇ ୮୧.୦୪ ବିଲିୟନ ଆମେରିକୀୟ ଡଲାର ହୋଇଛି । ଦେଶର ଜିଡିପି ହାର ୨୦୧୪-୧୫ରେ ୧୦୬.୫୭ କୋଟିରୁ ତିନିଗୁଣା ବଢି ୩୩୧.୦୩ କୋଟି ହୋଇଛି । ଆମ ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାର (ଫରେକ୍ସ ରିଜର୍ଭ) ୬୯୭.୯ ବିଲିୟନ ଆମେରିକୀୟ ଡଲାର ବଢିଛି । ମୁଦ୍ରା ସ୍ଫିତି ନିୟନ୍ତ୍ରଣ ହୋଇଛି । ୨୦୨୦ରେ ଜିଏସଟି କଲେକ୍ସନ ୧୧ ଲକ୍ଷ କୋଟି ହୋଇଥିବା ବେଳେ ଏବେ ତାହା ବଢି ୨୨ ଲକ୍ଷ କୋଟି ହୋଇଛି । ପ୍ରତି ମାସରେ ହାରାହାରି ୨ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହେଉଛି । ଏହାର ଶ୍ରେୟ ଭାରତର ଉପଭୋକ୍ତା, ବ୍ୟବସାୟୀଙ୍କୁ ଯିବ । ନିକଟରେ ଡୋଲୋଏଟର ଏକ ସର୍ଭେ କରିଥିଲା, ଯେଉଁଥିରେ ୮୫% ବୃହତ୍ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ବର୍ଗର ବ୍ୟବସାୟୀମାନେ ଜିଏସଟି କ୍ରିୟାନ୍ୱୟନକୁ ନେଇ ସନ୍ତୋଷପ୍ରକାଶ କରିଥିଲେ । ୨୦୧୭ରେ ୬୭ ଲକ୍ଷ ବ୍ୟବସାୟୀ, ଜିଏସଟି ଅନ୍ତର୍ଭୁକ୍ତ ଥିଲେ । ଏହି ସଂଖ୍ୟା ବଢି ୨୦୨୫ରେ ୧.୫ କୋଟି ହୋଇଛି, ଯାହା ଦ୍ୱରା ଆମର ଅର୍ଥନୀତି ଫର୍ମାଲାଇଜେସନ ହେବା ସହ ଷ୍ଟକ୍ଚରାଲ ରିଫର୍ମ ହେଉଛି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆମ ଦେଶ ୨୦୪୭ରେ ସ୍ୱାଧୀନତା ପାଇବା ପରେ ୧ ଟ୍ରିଲିୟନ ଡଲାର ଅର୍ଥନୀତି ହେଲା ୨୦୦୭ରେ । ଅର୍ଥାତ୍ ୧ ଟ୍ରିଲିୟନ ଡଲାର ଅର୍ଥନୀତି ହେବାକୁ ଭାରତକୁ ୬୦ ବର୍ଷ ଲାଗିଲା । ପରେ ଦେଶ ୨୦୧୪ରେ ୨ ଟ୍ରିଲିୟନ ଡଲାର, ୨୦୨୧ରେ ୩ ଟ୍ରିଲିୟନ ଡଲାର ଏବଂ ୨୦୨୫ରେ ୪ ଟ୍ରଲିୟନ ଡଲାର ଅର୍ଥନୀତି ହେଲା । ଅର୍ଥାତ ମୋଦୀଙ୍କ ଶାସନ ପୂର୍ବରୁ ୬୭ ବର୍ଷ ଶାସନରେ ଦେଶ ୨ ଟ୍ରିଲିୟନ ଡଲାର ଅର୍ଥନୀତି ଏବଂମୋଦୀଙ୍କ ୧୧ ବର୍ଷ ଶାସନରେ ୨ ଟ୍ରିଲିୟନ ଡଲାର ଇକୋନୋମୀ ହେଲା ।
ଜିଏସଟି ୨.୦ରେ ଦୈନନ୍ଦିନ ବ୍ୟବହାର କରୁଥିବା ପେଷ୍ଟ, ସାବୁନ ଭଳି ସାମଗ୍ରୀ ଶସ୍ତା ହେବ । ସ୍କୁଲ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି ଦେଶର ଗରିବ ଓ ସମାଜର ମଧ୍ୟମ ବର୍ଗର ନାଗରିକ, କୃଷକ, ଏମଏସଏମଇ, ମଧ୍ୟବିତ୍ତ, ମହିଳା ଏବଂ ଯୁବକମାନେ ଲାଭବାନ ହେବେ । କେନ୍ଦୁ ପତ୍ର ଉପରେ ଜିଏସଟି ସ୍ଲାବ ୧୮% ରୁ ୫% କୁ ହ୍ରାସ କରାଯାଇଛି । ଏହି ନିଷ୍ପତି ଦ୍ୱାରା କେନ୍ଦୁ ପତ୍ର ଶିଳ୍ପ ସହିତ ଜଡିତ ୧୫ ଲକ୍ଷରୁ ଅଧିକ ଲୋକମାନେ ଉପକୃତ ହେବେ । ସୂତା ଉପରେ ଜିଏସଟି ୧୨% ରୁ ହ୍ରାସ ପାଇ ୫% ହୋଇଛି ଏବଂ ଏହାଦ୍ୱାରା ଓଡ଼ିଶା ବିଶେଷ ଭାବରେ ରାଜ୍ୟର ପଶ୍ଚିମାଞ୍ଚଳର ବୁଣାକାର ମାନେ ଲାଭବାନ ହେବେ । କୋଇଲା ଉପରେ ଜିଏସଟି ୧୮%କୁ ବୃଦ୍ଧି କରାଯାଇଛି । ଏହା ଦ୍ୱାରା ଓଡ଼ିଶା ବିଶେଷ ଲାଭବାନ ହେବ ।
ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ବିଭିନ୍ନ କୃଷି ଉପକରଣ ଯଥା ଔଷଧ ସିଞ୍ଚନକାରୀ ଯନ୍ତ୍ର, ଅମଳ କାମରେ ଲାଗୁଥିବା ଯନ୍ତ୍ରପାତି, ଟ୍ରାକ୍ଟର ଓ ଏହାର ଟାୟାର ତଥା ସାର ପାଇଁ ବ୍ୟବହୃତ କଞ୍ଚାମାଲ ଉପରୁ ଜିଏସଟି ହ୍ରାସ ନିମନ୍ତେ ପ୍ରସ୍ତାବିତ ପଦକ୍ଷେପ କୃଷକମାନଙ୍କ ଆର୍ଥିକ ବୋଝକୁ କମାଇବା ସହ କୃଷି ଉତ୍ପାଦନ ଲାଗି ହେଉଥିବା ଖର୍ଚ୍ଚକୁ ହ୍ରାସ କରିବ । କ୍ଷୁଦ୍ର ଓ ଷ୍ଟାର୍ଟଅପ୍ ବ୍ୟବସାୟୀମାନଙ୍କ ନିମନ୍ତେ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସରଳ ଓ ସହଜ କରିବା ପାଇଁ ନିଷ୍ପତି ନିଆଯାଇଛି । ସ୍ୱାସ୍ଥ୍ୟ ଓ ଜୀବନ ବୀମା ଜନିତ ସେବା ଉପରୁ କର ଆଦାୟ ନକରିବାର ନିଷ୍ପତ୍ତି ଏକ ସ୍ଵାଗତଯୋଗ୍ୟ । ଔଷଧ, ଦୁଗ୍ଧ-ଜାତ ଦ୍ରବ୍ୟ ଖାଦ୍ୟ ସହିତ ସାଧାରଣ ଲୋକ ବ୍ୟବହାର କରୁଥିବା ଅନେକ ସାମଗ୍ରୀରେ ଜିଏସଟି ଟିକସକୁ ବାଦ ଦିଆଯାଇଛି । ଏହି ସଂସ୍କାର ଯୋଗୁଁ ଦେଶର ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ । ଆନୁଷ୍ଠାନିକ ଶିକ୍ଷା କ୍ଷେତ୍ର (ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ) ଗୁଡ଼ିକ ପୂର୍ବରୁ ଜିଏସଟି ମୁକ୍ତ ହୋଇଥିବାବେଳେ ଏବେ ଶିକ୍ଷା ସମ୍ପର୍କିତ ବିଭିନ୍ନ ସେବା, ବହିପତ୍ର ଏବଂ ଲର୍ଣ୍ଣିଂ ଏଡ୍ ଆଦି ଜିଏସଟି ମୁକ୍ତ ହୋଇଛନ୍ତି । ଏହା ଭାରତର ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ସହ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବ ଏବଂ ଇଜ୍ ଅଫ୍ ଲିଭିଂକୁ ଗତି ଦେବ । ସର୍କୁଲାର୍ ଅର୍ଥନୀତିକୁ ବଡ ଗତି ମିଳିବ । ଏହି ଐତିହାସିକ ନିର୍ଣ୍ଣୟ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ ଓ ଜିଏସଟି ପରିଷଦକୁ କୃତଜ୍ଞତା ଜଣାଇଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ ଓଡ଼ିଶାରେ ରେକର୍ଡ ସଂଖ୍ୟକ ଚାଉଳ ଉତ୍ପାଦନ ହେଉଛି । ଏଥିପାଇଁ ଏକ ବଜାର ତିଆରି କରିବାକୁ ହେବ । ବିଦେଶକୁ ଚାଉଳ କିପରି ରପ୍ତାନୀ କରିହେବ, ତାହାର ବ୍ୟବସ୍ଥା କରାଯିବ । ସେହିପରି ସମ୍ବଲପୁରକୁ ନ୍ୟୁ ଏଜ୍ ଇକୋନାମୀକୁ କରିବା ଦିଗରେ ଶ୍ରୀ ପ୍ରଧାନ ମତ ପ୍ରକାଶ କରିବା ସହ ସ୍ଥାନୀୟ ଉତ୍ପାଦ ବିଶେଷ ଭାବରେ ସମ୍ବଲପୁରୀ ଶାଢୀ, ବସ୍ତ୍ର, କୃଷି ଉତ୍ପାଦିତ ସାମଗ୍ରୀକୁ ସମ୍ବଲପୁରୀ ବ୍ରାଣ୍ଡରେ ପ୍ରୋତ୍ସାହନ ଦେବା ଦିଗରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।