ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ୩୫ ତମ ସମାବର୍ତ୍ତନ ଉତ୍ସବ:ଶିକ୍ଷା ହିଁ ମାନବ ଜୀବନର ମାନଦଣ୍ଡ- ରାଜ୍ୟପାଳ

ଓଡ଼ିଆ ଭାଷା ର ସୁରକ୍ଷା ହିଁ ସମାଜର ସମୃଦ୍ଧି-ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର: ଶିକ୍ଷା ହିଁ ମାନବ ଜୀବନର ମାନଦଣ୍ଡ। ଶିକ୍ଷାର ସୁବିନିଯୋଗ କରି ନିଜ ସହ ଦେଶ ଓ ଜାତିର ସେବାରେ ନିଜକୁ ଦୃଢତାର ସହିତ ସାମିଲ କରି ଦେଶର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ସାମିଲ ହେବାକୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପଟି କହିଛନ୍ତି।
ଆଜି ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ୩୫ ତମ ସମାବର୍ତ୍ତନ ଉତ୍ସବରେ ମାନ୍ୟବର ରାଜ୍ୟପାଳ ଯୋଗଦେଇ ଶିକ୍ଷାର ମହତ୍ୱ ଉପରେ ଦିଗଦର୍ଶନ କରିଥିଲେ।
ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ସ୍ଵଭାଵ କବି ଗଙ୍ଗାଧର ମେହେର ଉଚ୍ଚ ହେବା ପାଇଁ କର ଯେବେ ଆଶା ପଂକ୍ତି କୁ ଉଦ୍ଧାର କରି ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ବିଶ୍ୱବିଦ୍ୟାଳୟ ର ଗୁରୁତ୍ୱ ପୂର୍ଣ୍ଣ ଭୂମିକା କୁ ମନେପକାଇ ମାତୃଭାଷା ହିଁ ସମୃଦ୍ଧି ର ମୂଳମନ୍ତ୍ର ବୋଲି ଅବିହିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା,କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଓ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାର ଆବଶ୍ୟକତା ଓ ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ସ୍ୱାଗତ ଭାଷଣ ଦେବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ସିଣ୍ଡିକେଟ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ନିଜର ଯଥୋଚିତ ଅବଦାନ ସକାଶେ ଯୋଗ୍ୟ ପ୍ରମାଣିତ ହୋଇଥିଲେ ସେମାନଙ୍କୁ ଡକ୍ଟର ଅଫ ସାଇନ୍ସ, ଡକ୍ଟର ଅଫ ଲିଟ୍ରେଚର, ଡକ୍ଟର ଅଫ ଫିଲୋସଫିର, ଡ଼ିଏସସି, ଡିଲିଟ, ପିଏଚଡି, ଡିପ୍ଲୋମା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।୧୦୨ ଜଣଙ୍କୁ ପିଏଚଡି, ୪୯ ଜଣଙ୍କୁ ସ୍ବର୍ଣ୍ଣ ପଦକ ଓ ଅନ୍ୟ ୨୦ ଜଣଙ୍କୁ ଦାନ ସ୍ବର୍ଣ୍ଣ ପଦକ ରାଜ୍ୟପାଳ ପ୍ରଦାନ କରିଥିଲେ।ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।