ରାଜ୍ୟରେ ୯୧୩ ନୂତନ ଅଙ୍ଗନବାଡି କେନ୍ଦ୍ର ହେଲା ଲୋକାର୍ପିତ

ସମ୍ବଲପୁର:ରାଜ୍ୟର ନୂତନ ଅଙ୍ଗନୱାଡି କେନ୍ଦ୍ର ଲୋକାର୍ପିତ ପାଇଁ ମଙ୍ଗଳବାର ସମ୍ବଲପୁର ଜିଲ୍ଲା ପକ୍ଷ ରୁ ଏକ ସଭାର ଆୟୋଜନ କରାଯାଇଥିଲା। ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ସମାଜ କଲ୍ୟାଣ ଅଧିକାରୀ ସଞ୍ଜୁକ୍ତା ସାହୁ ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ, ପ୍ରମୁଖ ଉପସ୍ଥିତ ରହି ରାଜ୍ୟସ୍ତରୀୟ ନୂତନ ଅଙ୍ଗନବାଡି କେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମ ରେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।
ରାଜ୍ୟରେ ୯୧୩ ଟି ନୂତନ ଅଙ୍ଗନବାଡି କେନ୍ଦ୍ରଉଦଘାଟନ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାଏକ ସୂଚନା ଦେଇଥିଲେ। ଅଙ୍ଗନବାଡି କେନ୍ଦ୍ର ସରକାର ଙ୍କ ଅନେକ ଯୋଜନା ମଧ୍ୟରେ ଏକ ପ୍ରମୁଖ ଆଭିମୁଖ୍ଯ ବୋଲି ସେ କହିଥିଲେ। ପ୍ରତ୍ଯେକ ଅଙ୍ଗନବାଡି କେନ୍ଦ୍ର ୧୬ ଲକ୍ଷ ଟଙ୍କା ବ୍ୟୟ ବରାଦ ରେ ନିର୍ମାଣ କରାଯିବ।ଯେଉଁଠି ସ୍ଵଚ୍ଛ ପାନୀୟ ଜଳ ଯୋଗାଣ ସୋଲାର ସିଷ୍ଟମ ମାଧ୍ୟମରେ ଉପଲବ୍ଧ ରହିବ ବୋଲି ସେ ସୂଚନା ଦେଇଥିଲେ।ସମ୍ବଲପୁର ସହରାଞ୍ଚଳ ର କାନିଜୁରି ଅଙ୍ଗନବାଡି କେନ୍ଦ୍ର ଗୃହ ରେ ଅଙ୍ଗନବାଡି କେନ୍ଦ୍ର ପରିଚାଳନା ର ସୁଯୋଗ ପାଇଥିବାର ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ।ପ୍ରାକ ବିଦ୍ୟାଳୟ ର କୁନି କୁନି ପିଲାମାନଙ୍କୁ(୩-୫ ବର୍ଷ ର) ନୂତନ ଅଙ୍ଗନବାଡି କେନ୍ଦ୍ର ଗୃହରେ ପାଠ ପଢାଇବାର ସୁଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ।
ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲାରେ ୧୨ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଅନୋମୋଦନ ମିଳିଥିଲା। ଯେଉଁଥିରୁ ୫ ଟିର ନିର୍ମାଣ ସରିଯାଇଥିବାବେଳେ ଅନ୍ୟ ସାତୋଟି ନିର୍ମାଣଧୀନ ଅଛି। ଆଇସିଡ଼ିଏସ ପ୍ରକଳ୍ପ ଅଧୀନରେ ରେଢାଖୋଲ ର ୨ଟି, ନକଟିଦେଉଳ ର ୨ ଟି, ବାମରା ର ୧ଟି, ରେଙ୍ଗାଲି ର ୨ ଟି, ମାନେଶ୍ବର ର ୩ ଟି, ସମ୍ବଲପୁର ସହରାଞ୍ଚଳର ୨ଟି ଅଙ୍ଗନବାଡି କେନ୍ଦ୍ର ଅନ୍ତର୍ଭୁକ୍ତ ଅଛି।