Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଡଭଗା ନାଗରିକ କମିଟି ପକ୍ଷରୁ ନୂଆଁଖାଇ ଭେଟଘାଟ

ସମ୍ବଲପୁର:ପ୍ରତିବର୍ଷ ପରି ଚଳିତ ବର୍ଷ ଗୋଡଭଗା ନାଗରିକ କମିଟି ପକ୍ଷରୁ ନୂଆଁଖାଇ ଭେଟଘାଟ ଉତ୍ସବ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଅତିଥିମାନେ ମାଆ ସମଲେଶ୍ଵରୀଙ୍କ ଠାରେ ପୂଜାର୍ଚ୍ଚନା କରି ଅଞ୍ଚଳର ସାମଗ୍ରୀକ ବିକାଶ କାମନା କରିଥିଲେ।

ଏହାପରେ ନାଗରିକ କମିଟିର ପୂର୍ବତନ ସଭାପତି ସ୍ୱର୍ଗୀୟ ହାରାଧନ ବାରିକଙ୍କ ଆକସ୍ମିକ ପରଲୋକ ଗମନରେ ମ୍ରିୟମାଣ ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ୱର୍ଗତ ବାରିକଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ନବନିର୍ବାଚିତ ସଭାପତି ବିଶିଷ୍ଟ ସମାଜସେବୀ ତଥା ସାମ୍ବାଦିକ ସୁରେଶ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବରିଷ୍ଠ ଉପଦେଷ୍ଟା ସୁଶୀଲ କୁମାର ସିଂ, ଉପଦେଷ୍ଟା ମଧୁସୂଦନ ଶର୍ମା, ଉପ-ସଭାପତି ବିଭୁ ରଞ୍ଜନ ମହାନ୍ତି, ସଂପାଦକ ଅନିରୁଦ୍ଧ ଖମାରୀ ଏବଂ ସହ-ସଂପାଦକ କୁନୁ ବାବୁ ଗଡତିଆ ମଞ୍ଚାସୀନ ଥିଲେ। ଅଞ୍ଚଳର ବୁଦ୍ଧିଜୀବୀ, ଗୁଣୀଜ୍ଞାନୀ, ସମାଜସେବୀ ତଥା ସାମ୍ବାଦିକଙ୍କ ଗହଣରେ ନିରାଡମ୍ବର ଭାବେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ କୈଳାସ ମହାରଣା, ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ପଣ୍ଡା ବାବୁ, ସମାଜସେବୀ କୃଷ୍ଣଚନ୍ଦ୍ର ନନ୍ଦ, ହାଡୁ କର୍ଣ୍ଣ ଏବଂ ଗୋପାଳ ପ୍ରଧାନ ସ୍ୱର୍ଗତ ବାରିକଙ୍କ ବିଗତ ଦିନର ସ୍ମୃତିଚାରଣ କରି ତାଙ୍କ ପ୍ରଦର୍ଶିତ ମାର୍ଗକୁ ଅନୁସରଣ କଲେ ତାଙ୍କ ଅମର ଆତ୍ମା ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ନିଜସ୍ୱ ବକ୍ତବ୍ୟରେ କହିଥିଲେ। କମିଟିର ବରିଷ୍ଠ ଉପଦେଷ୍ଟା ସୁଶୀଲ ସିଂ ନୂଆଁଖାଇ ପାଳନର ଉଦ୍ଦେଶ୍ୟ ଓ ମହନୀୟତା ବିଷୟରେ କହିଥିଲେ। ଅନ୍ୟତମ ଯୁବନେତା ତଥା ଉପଦେଷ୍ଟା ମଧୁସୂଦନ ଶର୍ମା ଗୋଡଭଗା ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ ସମସ୍ତଙ୍କୁ ଏକଜୁଟ ହୋଇ ନବଗଠିତ ନାଗରିକ କମିଟିକୁ ସାହାଯ୍ୟ ଓ ସହଯୋଗର ହାତ ବଢେଇବାକୁ ସଭାରେ ଉପସ୍ଥିତ ସମସ୍ତଙ୍କୁ ନିବେଦନ କରିଥିଲେ। ସଭାପତି ସୁରେଶ ଦାଶ ଗୋଡଭଗା ଅଞ୍ଚଳର ସାମଗ୍ରୀକ ବିକାଶ ଦିଗରେ ନାଗରିକ କମିଟି ପଛଘୁଞ୍ଚା ଦେବନାହିଁ ବୋଲି କହି ଅଞ୍ଚଳବାସୀଙ୍କ ସମର୍ଥନ ଆଶାପୋଷଣ କରିଥିଲେ। ସଭା ଶେଷରେ ଉପ-ସଭାପତି ବିଭୁ ରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ଅନ୍ତେ ମାଆ ସମଲେଶ୍ଵରୀଙ୍କ ଠାରେ ଲାଗି ହୋଇଥିବା ଭୋଗ ସଭାରେ ଉପସ୍ଥିତ ସମସ୍ତେ ସେବନ କରିଥିଲେ।