Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଞ୍ଚଳିକ ଯୁବକ ସଂଘ ସ୍ପନ୍ଦନ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍ ଓ ବୟୋବନ୍ଦନା

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ୍ ଅନ୍ତର୍ଗତ କଳାମାଟି ପଞ୍ଚାୟତ ଅଧିନସ୍ଥ ଗୋଡଭଗା କେମ୍ପ୍ ଠାରେ ସାମାଜିକ ଅନୁଷ୍ଠାନ ‘ସ୍ପନ୍ଦନ’ର ଜନ୍ମଦିନ ପାଳନ ଅବସରରେ ନିଜସ୍ଵ ସ୍ଥାୟୀ କାର୍ଯ୍ୟାଳୟ ଉଦ୍‌ଘାଟନ ସହ ରକ୍ତଦାନ, ବୟୋବନ୍ଦନା ଓ ନୂଆଁଖାଇ ଭେଟ୍‌ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଡଭଗା କେମ୍ପ୍ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ସ୍ପନ୍ଦନର ସଭାପତି ବାଳକୃଷ୍ଣ ସାହୁଙ୍କ ସଭାତିତ୍ୱ ଏବଂ ଜଗନ୍ନାଥ ମନ୍ଦିର ପରିଚାଳନା ସମିତିର ସଭାପତି ସୁନୀଲ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନାଉରୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ପନ୍ଦନର ନିଜସ୍ଵ ସ୍ଥାୟୀ କାର୍ଯ୍ୟାଳୟ ଏବଂ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବରେ ବରଗଡ ସ୍ଥିତ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗ ର ଅଧ୍ୟାପିକା ଡଃ.ସଂଘମିତ୍ରା ମିଶ୍ର ସଭାମଣ୍ଡନ କରି ନୂଆଁଖାଇ ପାଳନର ମହନୀୟତା ଓ ବର୍ତ୍ତମାନ ସମୟର ଆବଶ୍ୟକତା ସଂପର୍କରେ ବିଭିନ୍ନ ଉଦାହରଣ ଦେଇ ଉପସ୍ଥିତ ସହସ୍ରାଧିକ ଅଞ୍ଚଳବାସୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ମୁଖ୍ୟ ଅତିଥି ନାଉରୀ ନାୟକ ମହୋଦୟ ନିଜକୁ ଏହି ଅଞ୍ଚଳର ସାମଗ୍ରୀକ ଉନ୍ନତି ସକାଶେ ବଦ୍ଧପରିକର ବୋଲି ନିଜ ଓଜସ୍ୱିନୀ ଭାଷଣରେ କହିବା ପୂର୍ବକ ସ୍ପନ୍ଦନ ଓ ଜଗନ୍ନାଥ ମନ୍ଦିର ସହ ଜଡିତ ଥିବାରୁ ନିଜକୁ ଧନ୍ୟ ମନେକରନ୍ତି ବୋଲି କହିଥିଲେ।ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳାମାଟି ସରପଞ୍ଚ ସୁଷମା ସାହୁ , ଗୋଡଭଗା ସରପଞ୍ଚ ମଞ୍ଜୁଲତା ସେଠ୍ , ଭୂତପୂର୍ବ ସମ୍ବଲପୁର ଜିଲ୍ଲା ପରିଷଦ ସଭ୍ୟା ସ‍ଂଯୁକ୍ତା ପ୍ରଧାନ , ମହେନ୍ଦ୍ର ମିଶ୍ର, ଅସିତ୍ ମିଶ୍ର, ଜୟନ୍ତୀ ମହାକୁର, ନାରୀନେତ୍ରୀ ସୌଭାଗିନୀ ମହାପାତ୍ର, ରାଧେଶ୍ୟାମ ପ୍ରଧାନ, ହରେକୃଷ୍ଣ ମହାକୁର, ସରୋଜ ଭୋଇ , ଗୋକୁଳାନନ୍ଦ ଭୋଇ, ପଞ୍ଚାନନ ଖେତି, ଗୋଡଭଗା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ କମଳାକାନ୍ତ ଛନ୍ଦ, କୋରାପ୍ରସାଦ(ସେଠୁ) ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବରଗଡ, ସଞ୍ଜୀବ ପୋଢ ପୂର୍ବତନ ଗୋଡଭଗା ସମିତି ସଭ୍ୟ ତଥା ସ୍ପନ୍ଦନ ଓ ଜଗନ୍ନାଥ ମନ୍ଦିରର ସମସ୍ତ ସଭ୍ୟ,ସଭ୍ୟା ତଥା କର୍ମକର୍ତ୍ତା ପ୍ରମୁଖ ଅନୁଷ୍ଠିତ ଉତ୍ସବକୁ ସଫଳ କରିବାକୁ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ଅତିଥି ସ୍ୱାଗତ ସମ୍ଭାଷଣ ସହ ନୂଆଁଖାଇ ଭେଟ୍‌ଘାଟ୍ ଉପରେ ନିଜସ୍ଵ ବକ୍ତବ୍ୟ ରଖିଥିଲେ ସୁସାହିତ୍ୟିକ ସୁଶାନ୍ତ ଶତପଥୀ। ବୟୋବନ୍ଦନା କାର୍ଯ୍ୟକ୍ରମରେ ଅଞ୍ଚଳର ବୟୋବୃଦ୍ଧ ସମ୍ମାନନୀୟ ବ୍ୟକ୍ତି ତଥା ଭାରତୀୟ ପ୍ରତିରକ୍ଷା ବିଭାଗର ପୂର୍ବତନ ଦେଶମାତୃକାର ସେବକମାନଙ୍କୁ ଫୁଲ ତୋଡା ଏବଂ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଏହି ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସ୍ୱର୍ଗତ ଡାକ୍ତର ଅଶ୍ୱିନୀ କୁମାର ମିଶ୍ର ଫାଉଣ୍ଡେସନ ତରଫରୁ ପ୍ରତିବର୍ଷ ପରି ତିନି ଜଣ ଗରୀବ ମେଧାବୀ ଛାତ୍ରଙ୍କୁ ପାଠପଢା କ୍ଷେତ୍ରରେ ଆର୍ଥିକ ସାହାଯ୍ୟ କରିବାକୁ ଘୋଷଣା କରାଯାଇଥିଲା। ସଭା ଶେଷରେ ଜଗନ୍ନାଥ କମିଟି ସଭାପତି ସୁନୀଲ ମିଶ୍ର ଉପସ୍ଥିତ ଅଞ୍ଚଳବାସୀ, ଗୁଣି ଜ୍ଞାନୀ, ବୁଦ୍ଧିଜୀବୀ , ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ସ୍ଥାନୀୟ ପୋଲିସ ପ୍ରଶାସନ ଏବଂ କାର୍ଯ୍ୟକ୍ରମ ଆୟୋଜନରେ ସଂପୃକ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ବୁର୍ଲା ମେଡିକାଲ ରକ୍ତ ଭଣ୍ଡାର ତରଫରୁ ଡ.ଦାମୋଦର ସିଂ, ଦେବାଶିଷ ମିଶ୍ର, ଲାଲୁ ବିଶ୍ୱାସ, ଜନକ ବେହେରା ଏବଂ ପ୍ରହଲ୍ଲାଦ ଭୋଇ ୨୮ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ରକ୍ତ ସଂଗହରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସହଯୋଗ କରିଥିଲେ ବିଶିଷ୍ଟ ଯୁବ ସମାଜସେବୀ ତଥା ସମ୍ବଲପୁର ରେଡକ୍ରସର ପୃଷ୍ଠପୋଷକ ଅମୃତ କୁମାର ବାରିକ। ଶେଷରେ ସ୍ଥାନୀୟ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରିଶେଷରେ ଜଗନ୍ନାଥ ମନ୍ଦିର ତରଫରୁ ଉପସ୍ଥିତ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।