ପଶ୍ଚିମ ଓଡ଼ିଶା ଲୋକ କଳାକାର ମହାସଂଘର ବୈଠକ: ଲୋକକଳାକାରଙ୍କ ଉନ୍ନତି ପାଇଁ କାର୍ଯ୍ୟକୁ ତ୍ବରାନ୍ତିତ କରାଯିବ

ସମ୍ବଲପୁର:ଲୋକ କଳାକାରମାନଙ୍କ ସମସ୍ତ ପ୍ରକାରର ସୁବିଧାସୁଯୋଗ ପାଇଁ ପଶ୍ଚିମ ଓଡ଼ିଶା ଲୋକ କଳାକାର ମହାସଂଘ ବିଗତ ଅନେକ ଦଶନ୍ଧୀ ଧରି କର୍ମ କରିଆସିଛି। ଏହି ମହାସଂଘ ସହ ପଜିିକୃତ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ସଦାସର୍ବଦା ବିଭିନ୍ନ ସରକାରୀ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ନିଜ ନିଜ ଦଳର କଳାକାର ମାନଙ୍କ ଉଚ୍ଚମାନର ସାଂସ୍କୃତିକ କଳାନୈପୁଣ୍ୟ ପ୍ରଦର୍ଶନ କରି ଦର୍ଶକୀୟ ଆଦୃତି ପାଇ ପାରିଛନ୍ତି ।
ଏହି ମହାସଂଘର ନିଜସ୍ଵ କାର୍ଯ୍ୟାଳୟ,ଧନକଉଡ଼ା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ରହିଛି।ସାଂପ୍ରତିକ ସମୟରେ ସୁଭଦ୍ରା ମେଳା, ବିକାଶ ମେଳା ଓ ମୂଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟ ସ୍ତରୀୟ ନୁଆଁ ଖାଇଭେଟ୍ ,ପ୍ରଭୃତି ସମ୍ମାନଜନକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦର ସମନ୍ବୟରେ ମହାସଂଘର ସାଂସ୍କୃତିକ ଦଳଗୁଡ଼ିକର କଳାକାରମାନେ ଗୀତ ନୃତ୍ୟ ପରିବେଷଣ କରି ଦର୍ଶକୀୟ ଆଦୃତି ପାଇପାରିଛନ୍ତି।
ଆଜି ସମ୍ୱଲପୁରସ୍ଥିତ ସାମ୍ବାଦିକ ସଂଘ ଭବନରେ ଅନୁଷ୍ଠିତ ଏକ ବୈଠକରେ ଏଭଳି ଅନେକ ନିଷ୍ଣତ୍ତି ନିଆଯାଇଛି।
ଲୋକକଳାକାରମାନଙ୍କର ସମସ୍ତ ପ୍ରକାରର ମୌଳିକ ସୁବିଧା ଓ ସୁଯୋଗ ପାଇଁ ଏହି । ପଶ୍ଚିମ ଓଡ଼ିଶା ଲୋକ କଳାକାର ମହାସଂଘକୁ ଆଗାମୀ ଦିନରେ ଆହୁରି ସକ୍ରୀୟ କରାଯିବାକୁ ସ୍ଥିରୀକୃତ ହୋଇଛି।
ମହାସଂଘର ସଂପାଦକ ଭୋଲା ଶଙ୍କର ମହତ୍ତମ କହିଛନ୍ତି ଯେ ମହାସଂଘ ସହ ପଜିକୃତ ସମସ୍ତ ସଦସ୍ୟଙ୍କ ଜୀବନ ବୀମା, ସାଂସ୍କୃତିକ ପ୍ରଦର୍ଶନ ପାଇଁ ଯାତ୍ରା ସମୟର ଆକସ୍ମିକ ଦୁର୍ଦ୍ଦଟଣା ବୀମା, ସ୍ଵାସ୍ଥ୍ୟବୀମା, ଭତ୍ତା, ଆଦିର ସୁବିଧା ପାଇଁ
ମହାସଂଘ କାର୍ଯ୍ୟକରିବ। ସଂଯୋଜକ ଗୁରୁ ସୂର୍ଯ୍ୟ ପ୍ରକାଶ ଗୁରୁ ମହାସଂଘକୁ ସକ୍ରୀୟ କରିବା ପାଇଁ ଆଗାମୀ ବୈଠକ ଅନୁଷ୍ଠାନର ନିଜସ୍ଵ ଗୃହ ଧନକଉଡ଼ାଠାରେ କରିବାକୁ ପ୍ରସ୍ତାବ ଦେଇଥିଲେ। ସଭାପତି ଡ.ସପନ ମିଶ୍ର ମହାସଂଘକୁ ପରିବର୍ଦ୍ଧନ କରିବାକୁ, ନୂତନ ସଦସ୍ୟ ହେବାକୁ ଆଗ୍ରହୀ ସମସ୍ତ ଅନୁଷ୍ଠାନ ଓ ବିଶିଷ୍ଟ କଳାକାରଙ୍କୁ ଆହ୍ଵାନ ଦେଇଥିଲେ । ଲୁପ୍ତପ୍ରାୟ ଲୋକ କଳାର ଉଦ୍ଧାର, ପ୍ରଚାର, ପ୍ରସାର ଓ ସଂରକ୍ଷଣ ଦିଗରେ ପଶ୍ଚିମାଂଚଳର ସମସ୍ତ ସ୍ଥାନର ଲୋକ କଳାକାର ଓ ଲୋକକଳା ଅନୁଷ୍ଠାନଗୁଡ଼ିକର କର୍ମକର୍ତ୍ତାଙ୍କ ସଦସ୍ୟତା ପାଇଁ ମହାସଂଘ ସମସ୍ତଙ୍କ ସହଯୋଗ କାମନା କରିଛି।
ନାଟ୍ୟଗୁରୁ ଅତୀଶ ଶତପଥି ମହା ସଂଘ ତରଫରୁ ସରକାରଙ୍କୁ ନୂତନ ରଚନାତ୍ମକ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତାବ ଦେବାକୁ କହିଥିଲେ। ବିଶିଷ୍ଟ କଳାକାର ଶଙ୍କର ପ୍ରସାଦ ପ୍ରଧାନ କହିଥିଲେ ଯେ ଯୋଗ୍ୟତା, ଦକ୍ଷତା, ଅନୁଭୂତି ଭିତ୍ତିରେ ସମସ୍ତ ଲୋକକଳାକାର ଦଳକୁ ସରକାରୀ କାର୍ଯ୍ୟକ୍ରମ କରିବାକୁ ସୁଯୋଗ ଉପଲବ୍ଧ କରେଇବାକୁ ମହାସଂଘକୁ ପରାମର୍ଶ ଦେଇଥିଲେ। ଗୁରୁ ସତ୍ୟ ସାହୁ ମହାସଂଘ ନିରପେକ୍ଷତାର ସହ କାର୍ଯ୍ୟ କରିବାର ଆବଶ୍ୟକତା ବିଷୟରେ ସମସ୍ତଙ୍କୁ ସଚେତନ କରାଇଥିଲେ। ଗୁରୁ ଶଶାଙ୍କ ଶେଖର ଦୁବେ ମହାସଂଘର ସଦସ୍ୟତା ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ। ମହାସଂଘର ଉପ ସଭାପତି ଗୁରୁ କୃଷ୍ଣ ବାଗ ସହମତି ଭିତ୍ତିରେ ମହାସଂଘ ସମସ୍ତ ସରକାରୀ କାର୍ଯ୍ୟକ୍ରମ କରି ସାରା ଓଡ଼ିଶାରେ ବଳିଷ୍ଠ ଦୃଷ୍ଟାନ୍ତ ତିଆରି କରୁ ବୋଲି ଆଶା ବ୍ୟକ୍ତ କରିଥିଲେ।