ବିଦ୍ୟୁତ୍ ଚୋରି ବିରୋଧରେ ଟିପିଡବ୍ଲୁଓଡିଏଲର ମେଗା ଏନଫୋର୍ସମେଣ୍ଟ ଅଭିଯାନ,ଉପକୃତ ହେବେ ପ୍ରକୃତ ବିଦ୍ୟୁତ୍ ଉପଭୋକ୍ତା

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ସଚ୍ଚୋଟ ତଥା ପ୍ରକୃତ ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ଲାଗି ବିଦ୍ୟୁତ୍ ଚୋରି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଅଭିଯାନକୁ ଅଧିକ ତୀବ୍ରତର କରାଯାଇଅଛି ।
ଚଳିତ ମାସରେ କମ୍ପାନୀ ପକ୍ଷରୁ ୧୨ ମେଗାୱାଟର ଅନଧିକୃତ ଲୋଡ୍ ସହିତ ୪,୬୪୭ଟି ବିଦ୍ୟୁତ୍ ଚୋରି ମାମଲାରେ ରେଡ଼ କରାଯାଇଅଛି । ଯେଉଁଥିରେ ଘଟଣା ସ୍ଥଳରେ ପ୍ରାୟ ୪୨.୨୭ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଅଛି । ଯାହାକୁ ମିଶାଇ ଚଳିତ ବର୍ଷ ଏହି ପରି ବିଦ୍ୟୁତ୍ ଚୋରି ମାମଲାରେ ଏପର୍ଯ୍ୟନ୍ତ ମୋଟ ୧.୬୪ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଅଛି ।
ତେବେ କମ୍ପାନୀ ପକ୍ଷରୁ ଏହି ପ୍ରଚଳିତ ଅଭିଯାନ କେବଳ ଯେ, ରାଜସ୍ୱ ଆଦୟକୁ ବୃଦ୍ଧି କରୁନାହିଁ ବରଂ ପଶ୍ଚିମ ଓଡ଼ିଶାର ସଚ୍ଚୋଟ ତଥା ପ୍ରକୃତ ବିଦ୍ୟୁତ୍ ଉପଭୋକ୍ତାମାନେ ଯେପରି ବେଆଇନ ବିଦ୍ୟୁତ୍ ବ୍ୟବହାର ଯୋଗୁଁ ଭାରଗ୍ରସ୍ତ ନ ହୁଅନ୍ତୁ, ତାହା ନିଶ୍ଚିତ କରାଯାଉଅଛି । ଅନୈତିକ ଉପାୟରେ ବ୍ୟବହାର କରାଯାଉଥିବା ବିଦ୍ୟୁତ୍ ଦେୟ ସଚ୍ଚୋଟ ଉପାୟରେ ବିଦ୍ୟୁତ୍ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ଉପରେ ନସ୍ତ ହୋଇଥାଏ । ତେଣୁ ବିଦ୍ୟୁତ୍ ଚୋରି ରୋକିବା ପ୍ରତ୍ୟେକ ବିଦ୍ୟୁତ୍ ଉପଭୋକ୍ତାଙ୍କ ଦାୟିତ୍ୱ ମଧ୍ୟ ।
ପ୍ରକାଶଥାଉ କି, କମ୍ପାନୀ ପକ୍ଷରୁ ବିଦ୍ୟୁତ୍ ଚୋରି ମାମଲାରେ ଜରିମାନ ଆଦାୟ ସହିତ ୫୫୨ଟି ନୂତନ ସଂଯୋଗ ପ୍ରକ୍ରିୟାକରଣ, ୭୯ଟି ସ୍ଥାନରେ ତୁରନ୍ତ ମିଟର ସ୍ଥାପନ, ୩୪୩ଟି ଅଭିଯୋଗର ସମାଧାନ ଏବଂ ଯୋଗାଣ ଗୁଣବତ୍ତା ଏବଂ ବିଲିଂ ସଠିକତା ଉନ୍ନତ କରିବା ପାଇଁ ୪୭୩ଟି ତ୍ରୁଟିପୂର୍ଣ୍ଣ ମିଟର ବଦଳାଯାଇ ଗ୍ରାହକମାନଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରାଯାଉଛି । ସେହିପରି କମ୍ପାନୀ ପକ୍ଷରୁ ମଧ୍ୟ ୨୧୩ଟି ଅବୈଧ ହୁକିଂକୁ ଡିହୁକିଂ କରାଯାଇଅଛି ।
ଉଲ୍ଲେଖଥାଉ କି, ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ସମସ୍ତ ଗ୍ରାହକ ତଥା ଜନସାଧାରଣଙ୍କୁ ପୁଣିଥରେ ଅନୁରୋଧ କରାଯାଉଅଛି ଯେ, ବିଦ୍ୟୁତ୍ ଚୋରି କେବଳ ଯେ ଏକ ଅନୈତିକ କାର୍ଯ୍ୟ ନୂହେଁ ବରଂ ଏହା ଆଇନ ଅନୁଯାଇ ଏକ ଦଣ୍ଡନୀୟ ଅପରାଧ । ଏହା ମଧ୍ୟ ଏକ ଅମାନବିକ କାର୍ଯ୍ୟ ଅଟେ । ଯଦି ଜନସାଧାରଣ କୌଣସି ସ୍ଥାନ, ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ଏହି ଅମାନବିକ କାର୍ଯ୍ୟ ପାଇଁ କମ୍ପାନୀକୁ ସୂଚନା ଦେବାକୁ ଚାହାଁନ୍ତି, ତେବେ ସେମାନେ 8093061179 ହେଲ୍ପଲାଇନ୍ ନମ୍ବରରେ ଯୋଗଯୋଗ କରିପାରିବେ । ସେମାନଙ୍କ ପରିଚୟ ଗୁପ୍ତ ରଖାଯିବ ।