Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱପ୍ରସିଦ୍ଧ ଶ୍ରୀରାମଲୀଳା ମହୋତ୍ସବର ଉଦଘାଟନ, ଜମିକିବ ସମ୍ବଲପୁର

ସମ୍ବଲପୁର : ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ ଆୟୋଜନ ସମିତି ପକ୍ଷରୁ ଗତ ୨୪ ତାରିଖ ବୁଧବାର ସନ୍ଧ୍ୟାରୁ ସ୍ଥାନୀୟ ଅଇଁଠାପାଲି ସ୍ଥିତ ବୀର ବିର୍ସା ମୁଣ୍ଡା ମୈଦାନ୍ ଠାରେ ବିଶାଳ ସୁସଜ୍ଜିତ ମଞ୍ଚରେ ଐତିହାସିକ ଶ୍ରୀରାମଲୀଳା ମହୋତ୍ସବର ଶୁଭାରମ୍ଭ ହୋଇ ଯାଇଛି | ନୁଆଁଦିଲ୍ଲୀରୁ ଆସି ପହଞ୍ଚିଥିବା ବିଶ୍ୱପ୍ରସିଦ୍ଧ ଲବକୁଶ ଶ୍ରୀରାମଲୀଳା ମଣ୍ଡଳୀ ଆସନ୍ତା ବିଜୟା ଦଶମୀ ପର୍ଯ୍ୟନ୍ତ ଚିତ୍ତାକର୍ଷକ ‘ରାମଲୀଳା’ ପରିବେଷଣ କରିବେ |
ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ ଆୟୋଜନ ସମିତିର ବରିଷ୍ଠ ଉପଦେଷ୍ଟା ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର ଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍’ଘାଟନୀ ସମାରୋହରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓଡ଼ିଶା ପ୍ରାନ୍ତର ପୂର୍ବତନ ପ୍ରାନ୍ତ ସଂଘଚାଳକ ତଥା ଅଖିଳ ଭାରତୀୟ ପ୍ରତିନିଧି ସଭାର ସଦସ୍ୟ, ବିଶିଷ୍ଟ ଶିକ୍ଷାବିତ୍ ବିପିନ ବିହାରୀ ନନ୍ଦ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ରାମଲୀଳା ମହୋତ୍ସବର ଶୁଭ ଉଦ୍’ଘାଟନ କରିଥିଲେ | ସମିତିର ସଭାପତି ଗିରିଶ ପଟେଲ ମୁଖ୍ୟଅତିଥି ଶ୍ରୀ ନନ୍ଦଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ |
ମୁଖ୍ୟଅତିଥି ବିପିନ ବିହାରୀ ନନ୍ଦ ନିଜ ଉଦ୍’ବୋଧନରେ ସର୍ବ ପ୍ରଥମ ଥର ଓଡ଼ିଶା ପ୍ରଦେଶର ସମ୍ବଲପୁର ଠାରେ ନୁଆଁଦିଲ୍ଲୀର ବିଶ୍ୱପ୍ରସିଦ୍ଧ ଲବକୁଶ ଶ୍ରୀରାମଲୀଳା ମଣ୍ଡଳୀ ଦ୍ୱାରା ଚିତ୍ତାକର୍ଷକ ‘ରାମଲୀଳା’ ପ୍ରଦର୍ଶନର ଆୟୋଜନ କରିଥିବାରୁ ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ ଆୟୋଜନ ସମିତିର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଭୁୟସୀ ପ୍ରଶଂସା କରିବା ସହ ରାମଲୀଳା ମହୋତ୍ସବର ସଫଳତା କାମନା କରିଥିଲେ |
ସମିତିର ମୁଖ୍ୟ ସଂଯୋଜକ ସରୋଜ କୁମାର ଘଡ଼ାଇ, ବରିଷ୍ଠ ଉପଦେଷ୍ଟା ସତ୍ୟ ନାରାୟଣ ବାବୁଲି ପଣ୍ଡା, ବରିଷ୍ଠ ଉପଦେଷ୍ଟା ଓ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ପ୍ରଦୀପ କୁମାର ବହିଦାର, ପ୍ରକୃତିବନ୍ଧୁ ମେଘୁ ମୁଣ୍ଡା ଓ ପ୍ରସନ୍ନ କୁମାର ପଣ୍ଡା ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ଅଗ୍ରପୂଜ୍ୟ ଶ୍ରୀ ଗଣପତି, ମାଁ ସମଲେଶ୍ୱରୀ ଏବଂ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର ଙ୍କର ପୂଜାର୍ଚ୍ଚନା ସହ ଆରତୀ କରିଥିଲେ | ଖୁସିରାମ ମେଲୋଡିର କଳାକାର ବୃନ୍ଦ ସମଲେଈ ଭଜନ ଓ ଶ୍ରୀରାମ ଭଜନ ପରିବେଷଣ କରିଥିଲେ | ତାପରେ ନୁଆଁଦିଲ୍ଲୀରୁ ଆସିଥିବା କଲାକାର ମାନେ ‘ରାମଲୀଳା’ ର ପ୍ରଥମ ଅଧ୍ୟାୟ ମଞ୍ଚରେ ପରିବେଷଣ କରିଥିଲେ | ଚିତ୍ତାକର୍ଷକ ‘ରାମଲୀଳା’ ଦେଖି ଦର୍ଶକମାନେ ବିଭୋର ହୋଇ ଯାଇଥିଲେ | ଶେଷରେ କାର୍ଯ୍ୟକ୍ରମର ସଂଯୋଜକ କାର୍ତ୍ତିକ ପ୍ରସାଦ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ