Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଡିଆବାହାଲ ଶାରଦୀୟ ଉତ୍ସବ ବଦଳିବ ଢାଞ୍ଚା: ଆଧ୍ୟାତ୍ମିକରେ ମହକିବ ପୂଜା ମଣ୍ଡପ, ଭକ୍ତିଭାବ ଓ ଲୋକ କଳାରେ ଝଲସିବ ମଞ୍ଚ

ସମ୍ବଲପୁର:ପଡିଆବାହାଲ ଶାରଦୀୟ ଉତ୍ସବ ୫୨ ବର୍ଷରେ ପହଞ୍ଚିଥିବା ବେଳେ ଚଳିତ ବର୍ଷ ନିଆରା ଢଙ୍ଗରେ ପାଳନ କରାଯିବ ମା ଦେବୀ ଦୂର୍ଗା ଙ୍କ ଶାରଦୀୟ ଉତ୍ସବ। ସମ୍ପୂର୍ଣ୍ଣ ଅନୁକୂଳ ଭକ୍ତି ଭାବାବେଗରେ ଏହାକୁ ପାଳନ କରିବାକୁ କମିଟି ନିଷ୍ପତ୍ତି ନେଇଛି।

ପୂର୍ବ ବର୍ଷ ପରି ଅତ୍ୟାଧୁନିକ ଗୀତ ନାଚ ବା ରାମଲୀଳା କାର୍ଯ୍ୟକ୍ରମ ନକରି ଏକ ଭକ୍ତିପୂର୍ଣ୍ଣ ଅନୁକୂଳ ପରିବେଶରେ ସ୍ୱଚ୍ଛ, ନିର୍ମଳ ଓ ଶାନ୍ତି ଶୃଙ୍ଖଳା ସହିତ ଏହା ପାଳନ କରାଯିବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଜିଲ୍ଲା ପ୍ରଶାସନର ନିବେଦନକୁ ଗ୍ରହଣ କରି ପୂର୍ବ ଢାଞ୍ଚାକୁ ବଦଳାଇ ଆଧ୍ୟାତ୍ମିକ ଓ ଭକ୍ତି ରସାମୃତ ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ସମଗ୍ର ଜିଲ୍ଲାରେ ଏକ ନିଆରା ଶାରଦୀୟ ଉତ୍ସବ ଭେଟି ଦେବାକୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଚଳିତ ବର୍ଷ ସମ୍ପୂର୍ଣ୍ଣ ବୈଦିକ ରୀତିନୀତି ଅନୁଯାଇ ମାଙ୍କ ପୂଜା ଵିଧି କରାଯିବ। ପର୍ଯ୍ୟାୟକ୍ରମେ ମାଙ୍କ ମଙ୍ଗଳ ଆଳତୀ, ମହାସ୍ନାନ, ପୀଠ ପୂଜା, ପାର୍ଶ୍ୱ ଦେବଦେବୀ, ମୁଖ୍ୟ ଦେବୀ ,ଷୋଡଶ ଉପଚାର ପୂଜା, ଚଣ୍ଡିପାଠ, ହୋମ, ମହାଆଳତୀ, ଶୟନ ଆଳତୀ, ସନ୍ଧିପୂଜା, ଚଣ୍ଡିହୋମ, ଅପରାଜିତା ପୂଜା ଭଳି ପୂଜାବିଧି ହେବ। ଦିଲ୍ଲୀ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ସର୍ବଭାରତୀୟ ପୌରାହିତ୍ୟ କର୍ମକାଣ୍ଡରେ ସ୍ବର୍ଣ୍ଣପଦକ ବିଜେତା ହୋଇଥିବା ଆଚାର୍ଯ୍ୟ ସୌମ୍ୟରଞ୍ଜନ ବଡ଼ପଣ୍ଡା ଦେବଶର୍ମା ମାଙ୍କ ପୂଜାବିଧି କାର୍ଯ୍ୟ ସମ୍ପାଦନା କରିବେ।

ଜାତୀୟ ଶିକ୍ଷା ନୀତିରେ ପରିବର୍ତ୍ତନ ହୋଇଥିବାରୁ ବ୍ୟବସାୟିକ ସାଂସ୍କୃତିକ କାର୍ଯ୍ୟକ୍ରମରୁ ଦୁରେଇ ରହି ଜିଲ୍ଲା ସ୍ତରୀୟ ପ୍ରତିଭା ବିକାଶକୁ ଆଖି ଆଗରେ ରଖି ବିଭିନ୍ନ ସ୍କୁଲ, କଲେଜ, ମହାବିଦ୍ୟାଳୟ, ବିଭିନ୍ନ କ୍ଳବ ଓ ଗୋଷ୍ଠି ମାନଙ୍କ ସାମାଜିକ, ଆଧ୍ୟାତ୍ମିକ, ଦେଶ ଓ ମାତୃ ବନ୍ଦନା, ଓଡିଶୀ, ଦଶବତାର, ଲୋକ ସଂସ୍କୃତି, ଲୋକ ଗୀତ,ପାରମ୍ପରିକ ନୃତ୍ୟ ଗୀତ, ସାମାଜିକ ବାର୍ତ୍ତା ଭଳି କେବଳ ଗୋଟିଏ ମଞ୍ଚରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ସାଂସ୍କୃତିକ ସମ୍ପାଦକ ଝସକେତନ ନାଏକ ଓ ସଂଯୋଜକ ଡାକ୍ତର ରାଜାରାମ ଷଡ଼ଙ୍ଗୀଙ୍କ ସହିତ ଯୋଗାଯୋଗ କରିବାକୁ ପୂଜା କମିଟି ପକ୍ଷରୁ ସଭାପତି ହରିହର ନାୟକ ଓ ସମ୍ପାଦକ ଦେବାନନ୍ଦ ଭୁସାଗର ସୂଚନା ଦେଇଛନ୍ତି। ସମସ୍ତ ଅଂଶଗ୍ରହଣ କାରି ଦଳ ଓ କଳାକାରଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରମାଣପତ୍ର ଓ ସିଲଡ଼ ପ୍ରଦାନ କରାଯାଇ ସମ୍ମାନିତ କରାଯିବା କାର୍ଯ୍ୟକ୍ରମ ରହିଛି। ଏହି ଶାରଦୀୟ ଉତ୍ସବକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବମନ୍ତ୍ରୀ ସୁରେଶ ପୁଝାରୀ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ, ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ଆଇଜି ହିମାଂଶୁ କୁମାର ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ଆରକ୍ଷୀ ଅଧିକାରୀ ମୁକେଶ କୁମାର ଭାମୁଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ କରାଯାଇଛି।ଚଳିତ ବର୍ଷ ସବୁ ଢାଞ୍ଚା ପରିବର୍ତ୍ତନ ହୋଇଥିଲେ ମଧ୍ୟ ପୂର୍ବ ବର୍ଷ ମାନଙ୍କ ପରି ଦଶମୀ ତିଥିରେ ରାବଣପୋଡି କାର୍ଯ୍ୟକ୍ରମ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ