ଆଇଆଇଏମ୍ ସମ୍ବଲପୁର ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ଦଶନ୍ଧିର ଉତ୍କର୍ଷ ପାଳନ

ସମ୍ବଲପୁର: ଆଇଆଇଏମ ସମ୍ବଲପୁର ଶିକ୍ଷାଗତ ଉତ୍କର୍ଷ, ଅନୁଷ୍ଠାନ ବିକାଶ ଓ ନବସୃଜନର ଦଶ ବର୍ଷ ପାଳନ କରିଛି। ୧୧ତମ ପ୍ରତିଷ୍ଠା ଦିବସ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବରେ ଯେ।।ଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନିଟି ନୂତନ କ୍ୟାମ୍ପସର ଉଦଘାଟନ କରିଛନ୍ତି । ଏହି ଗରୀମାମୟ ଦଶ ବର୍ଷ ଏକ ଅଭିବୃଦ୍ଧିଶୀଳ ଅନୁଷ୍ଠାନ ଓ ଜାତୀୟ ମାନ୍ୟତାପ୍ରାପ୍ତ ମ୍ୟାନେଜମେଣ୍ଟ ଅନୁଷ୍ଠାନ ଭାବରେ ଆଇଆଇଏମ ସମ୍ବଲପୁରର ଯାତ୍ରାକୁ ଉଜ୍ଜ୍ୱଳ କରିଛି।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ବିଏସ ପାଠ୍ୟକ୍ରମ ପାଇଁ ନିର୍ମାଣ ହୋଇଥିବା ଏକ ନୂତନ ହଷ୍ଟେଲ, ଅନୁଷ୍ଠାନର ଏକ ନୂତନ ରଙ୍ଗବତୀ ଓପନ୍ ଥିଏଟର ଏବଂ ଏକ କାଫେ ହବ୍ କମ୍ପେ୍ଲକ୍ସର ଉଦଘାଟନ କରିଛନ୍ତି । ମନୋରମ ପରିବେଶରେ ଅବସ୍ଥିତ ଏହି ସୁବିଧାଗୁଡ଼ିକ ଛାତ୍ରଛାତ୍ରୀଙ୍କ ରହଣୀ, ସାଂସ୍କୃତିକ ଅବକାଶ, ଏବଂ ସାମାଜିକ ବନ୍ଧୁତ୍ୱପୂର୍ଣ୍ଣ ଯୋଡ଼ିହେବା ଭଳି ସ୍ଥାନ ଭାବେ କାର୍ଯ୍ୟ କରିବ। ଅନୁଷ୍ଠାନ ଦ୍ୱିତୀୟ ଦଶନ୍ଧିରେ ପ୍ରବେଶ କରିବା ସହିତ ଟ୍ରି-କ୍ରାଉନ୍ (ଟ୍ରିପଲ କ୍ରାଉନ୍) ସ୍ୱୀକୃତିପ୍ରାପ୍ତ, ବିଶ୍ୱସ୍ତରୀୟ ମାନ୍ୟତାପ୍ରାପ୍ତ ଏକ ପରିଚାଳନା ଅନୁଷ୍ଠାନ ହେବାର ନିଜର ଲକ୍ଷ୍ୟ ପୂରଣ ପାଇଁ ଅତ୍ୟଧିକ ବିବିଧ ଡିଗ୍ରୀ କାର୍ଯ୍ୟକ୍ରମ ସହିତ ନିଜର ଶିକ୍ଷାଗତ କାର୍ଯ୍ୟକ୍ରମଗୁଡିକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦେଉଛି।
ନିଜ ସ୍ୱାଗତ ଭାଷଣରେ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ଆଇଆଇଏମ ସମ୍ବଲପୁରର ଦଶ ବର୍ଷ ପୂର୍ଣ୍ଣ ହେବା ଅବସରରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିକୁ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, “ଗତ ୧୦ ବର୍ଷରେ ଆଇଆଇଏମ ସମ୍ବଲପୁର ଦେଶର ୨୧ଟି ଆଇଆଇଏମ ମଧ୍ୟରେ ନିଜସ୍ୱ ଏକ ସ୍ଥାନ ସୃଷ୍ଟି କରିଛି। ରେକର୍ଡ ୨ ବର୍ଷରେ ଏକ ବିଶ୍ୱସ୍ତରୀୟ କ୍ୟାମ୍ପସ୍ ନିର୍ମାଣ କରି ଅନୁମୋଦିତ ବଜେଟରୁ ୩୫ କୋଟି ଟଙ୍କା ସଞ୍ଚୟ କରିଛି। ଏନଆଇଆରଏଫ ୨୦୨୫ ରାଙ୍କିଂରେ ଆଇଆଇଏମ ସମ୍ବଲପୁର ପୂର୍ବ ୫୦ତମ ସ୍ଥାନରୁ ୧୬ ସ୍ଥାନ ଉପରକୁ ଉଠି ପରିଚାଳନା ଅନୁଷ୍ଠାନଗୁଡିକ ମଧ୍ୟରେ ୩୪ତମ ସ୍ଥାନ ଅଧିକାର କରିଛି। ଆଇଆଇଏମ୍ ସମ୍ବଲପୁର କ୍ଲାସରୁମରେ ସକ୍ରିୟ ଶିକ୍ଷାର ସୁଯୋଗ ପ୍ରଦାନକାରୀ ଭାବରେ ଶିକ୍ଷକଙ୍କ ଭୂମିକାକୁ ସୁଗମ କରିବା ପାଇଁ କୃତ୍ରିମ ବୁଦ୍ଧିମତା (ଏଆଇ) ସମନ୍ୱିତ କ୍ଲାସରୁମ ଏବଂ ଶିକ୍ଷଣ ମଡ୍ୟୁଲ୍ ସହିତ ଶିକ୍ଷାଦାନ କରୁଥିବା ବିଶ୍ୱର ପ୍ରଥମ ଅନୁଷ୍ଠାନ ହୋଇଛି। ୨୦୧୯ ରୁ ଆଇଆଇଏମ୍ ସମ୍ବଲପୁର ନିଜର ଏମବିଏ ବ୍ୟାଚଗୁଡିକରେ ଏକ ସୁସ୍ଥ ଲିଙ୍ଗ ବିବିଧତା ହାସଲ କରିବା ଏବଂ ବଜାୟ ରଖିବାରେ ଉତ୍କୃଷ୍ଟ କାର୍ଯ୍ୟ କରୁଛି। ବର୍ତ୍ତମାନର ଦ୍ୱିତୀୟ ବର୍ଷ ବ୍ୟାଚରେ ୭୬% ଛାତ୍ରୀ ସହଭାଗିତା ରହିଛି। ଏଏସିଏସବି, ବିଜିଏ/ ଏଏମବିଏ ଓ ଇଏଏମଡି/ ଇକ୍ୟୁୟୁଆଇଏସ ଭଳି “ଟ୍ରିପଲ କ୍ରାଉନ୍” ଅନ୍ତର୍ଜାତୀୟ ସ୍ୱୀକୃତି ହାସଲ କରିବାରେ ଅନୁଷ୍ଠାନ ଉନ୍ନତ ପର୍ଯ୍ୟାୟରେ ରହିଛି। ମାଷ୍ଟର ବୁଣାକାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧୀନରେ ଆଇଆଇଏମ ସମ୍ବଲପୁର ୮୦ ଜଣ ମାଷ୍ଟର ବୁଣାକାରଙ୍କୁ ମାର୍ଗଦର୍ଶନ କରିଛି। ଆଜି, ଏହି ବୁଣାକାରମାନେ ସଶକ୍ତ ହୋଇଛନ୍ତି ଏବଂ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ସେମାନଙ୍କ ଉତ୍ପାଦକୁ ବିଶ୍ୱସ୍ତରରେ ପ୍ରଦର୍ଶିତ କରୁଛନ୍ତି।”
ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଭାରତ ସରକାରଙ୍କ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏମବିଏ ୨୦୨୪-୨୬ ବ୍ୟାଚର ଶ୍ରେଷ୍ଠ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ନିଜ ବକ୍ତବ୍ୟରେ ସେ କହିଥିଲେ ଯେ, “ଆଇଆଇଏମ ସମ୍ବଲପୁରକୁ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଗଠନରେ ଗତ ୧୦ ବର୍ଷ ଧରି ନିର୍ଣ୍ଣାୟକ ଭୂମିକା ନିମନ୍ତେ ଆଇଆଇଏମ ସମ୍ବଲପୁରର ଲିଡର ମହାଦେବ ଜୟସ୍ୱାଲଙ୍କୁ ମୋର ଅଭିନନ୍ଦନ। ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଉପଲବ୍ଧି ଏବଂ ଏଭଳି ବହୁବିଭାଗୀୟ ବ୍ୟକ୍ତିତ୍ୱ ଗଠନ ନିମନ୍ତେ ମୁଁ ଅଭିନନ୍ଦନ ଜଣାଉଛି। ଭଲ ଅନୁଷ୍ଠାନଗୁଡିକ କେବଳ ପୂର୍ଣ୍ଣ ନୁହନ୍ତି; ସେଗୁଡିକ ଆଇଆଇଏମ୍ ସମ୍ବଲପୁର ଭଳି କେସ ଷ୍ଟଡି ସୃଷ୍ଟି କରୁଛନ୍ତି। ଏହି ଅଞ୍ଚଳର ମାଷ୍ଟର ବୁଣାକାରମାନଙ୍କୁ ସଶକ୍ତ କରିବା ପାଇଁ ଏଭଳି ଅନନ୍ୟ ପଦକ୍ଷେପ ନେଇଥିବା ପାଇଁ ଆଇଆଇଏମ ସମ୍ବଲପୁରକୁ ପ୍ରଶଂସା କରିଥିଲେ। ସେମାନଙ୍କର ଅଂଶଗ୍ରହଣକୁ ସ୍ୱୀକୃତି ଦେଇ ସେ ମାଷ୍ଟର ବୁଣାକାରମାନଙ୍କୁ ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରିଥିଲେ। ସେ ଆଇଆଇଏମ୍ ସମ୍ବଲପୁରକୁ କଳା, ସଂସ୍କୃତି, ଏବଂ ଐତିହ୍ୟରେ ସମ୍ବଲପୁରର ସମୃଦ୍ଧ ସୁବର୍ଣ୍ଣ ଇତିହାସକୁ ଉଜାଗର କରୁଥିବା ଏକ କେସ୍ ଷ୍ଟଡି ପ୍ରସ୍ତୁତ କରିବାକୁ ଅନୁରୋଧ କରିଥିଲେ।”
ଓଡିଶା ସରକାରଙ୍କ ଗ୍ରାମୀଣ ବିକାଶ, ପଞ୍ଚାୟତୀରାଜ ଏବଂ ପାନୀୟ ଜଳ ବିଭାଗର ମାନନୀୟ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ; ସମ୍ବଲପୁର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଜିଲ୍ଲାପାଳ , ଆଇଏଏସ୍ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର; ପୁଲିସ ମହାନିରୀକ୍ଷକ, ସମ୍ବଲପୁର, ଶ୍ରୀ ହିମାଂଶୁ କୁମାର ଲାଲ୍; ଆରକ୍ଷୀ ଅଧିକ୍ଷକ, ସମ୍ବଲପୁର, ଶ୍ରୀ ମୁକେଶ କୁମାର ଭାମୁ; ଏବଂ ସମ୍ବଲପୁର ମ୍ୟୁନିସିପାଲ୍ କମିଶନର ଶ୍ରୀ ରେହାନ ଖତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଆଇଆଇଏମ ସମ୍ବଲପୁରର ମୁଖ୍ୟ ପ୍ରଶାସନିକ ଅଧିକାରୀ, ଶ୍ରୀ ଅମୃତ ଫାଲଗୁନୀ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ।