Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାର ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ, ବିପୁଳ ସମ୍ଭାବନାକୁ ବାସ୍ତବ ରୂପ ଦେବ ହୀରାକୁଦ – ଧର୍ମେନ୍ଦ୍ର ପ୍ରଧାନ

ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’ ଉଦଘାଟିତ
• ସମ୍ବଲପୁରରୁ ପ୍ରାୟ ୫୦୦ କୋଟି ଟଙ୍କା ମୂଲ୍ୟର ମାଛ ଉତ୍ପାଦନ

• ବସନ୍ତପୁରରେ ହେବ ଅତ୍ୟାଧୁନିକ ମାଛ ଚାଷ ଓ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର, ପ୍ରତିଷ୍ଠା ପାଇଁ ମୋଦୀ ସରକାର ଦେଲେଣି ପ୍ରାୟ ୧୦୦ କୋଟି ଟଙ୍କା

• ଜୈବିକ ମାଛ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ଓଡ଼ିଶା ସରକାରଙ୍କ ପକ୍ଷରୁ ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ସ୍ଥାପନ କରି ମାଛ ଚାଷ କରାଯିବାର ଆଧୁନିକ ପ୍ରଣାଳି ସ୍ୱାଗତଯୋଗ୍ୟ ପଦକ୍ଷେପ । ପ୍ରାୟ ୭ କୋଟି ଟଙ୍କା ବ୍ୟୟରେ ୩୭ ଏକର ପରିମିତ ଜମିରେ ନିର୍ମାଣ ହୋଇଥିବା ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’ ଆମ ରାଜ୍ୟର ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସହ ରତ୍ନଗର୍ଭା ହୀରାକୁଦ ଜଳଭଣ୍ଡାରର ବିପୁଳ ସମ୍ଭାବନାକୁ ବାସ୍ତବ ରୂପ ଦେବ ବୋଲି ଏହାକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବଲପୁରର ହୀରାକୁଦ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଞ୍ଜାମ ଓ ବାଲେଶ୍ୱର ପରେ ମାଛ ଉତ୍ପାଦନରେ ସମ୍ବଲପୁର ଜିଲ୍ଲା ଅଗ୍ରଣୀ ରହିଛି । ହୀରାକୁଦ ଜିଲ୍ଲା ସମେତ ଆଖପାଖ ଅଞ୍ଚଳରୁ ପ୍ରାୟ ୫୦୦ କୋଟି ଟଙ୍କା ମୂଲ୍ୟର ମାଛ ଉତ୍ପାଦନ ହେଉଛି, ଯାହା ପ୍ରଶଂସନୀୟ । ଏଠାରେ ମାଛ ଉତ୍ପାଦନକୁ ଆହୁରି ବଢାଇବା ପାଇଁ ପଦକ୍ଷେପ ନିଆଯିବ । ମାଛକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ଶୀତଳ ଭଣ୍ଡାର, ବରଫ କାରଖାନା ଭଳି ଆଧୁନିକ ସୁବିଧା ଉପଲବ୍ଧ ହେବ । ଉନ୍ନତ ପ୍ରକ୍ରିୟାକରଣ ଯୋଗୁଁ ଆମ ମାଛର ମାନ ବୃଦ୍ଧି ପାଇବ । ଫଳରେ ଏହାକୁ କେବଳ ଓଡ଼ିଶା ନୁହେଁ, ଦେଶର ବଡ଼ ବଡ଼ ବଜାର ଏବଂ ଆନ୍ତର୍ଜାତୀୟ ବଜାରକୁ ପଠାଇବା ସହଜ ହେବ ।

ଓଡ଼ିଶାର ଅର୍ଥନୀତି ପାଇଁ ମତ୍ସ୍ୟଚାଷ ଓ ପଶୁପାଳନ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ରାଜ୍ୟରେ ପ୍ରାୟ ୧୨ ଲକ୍ଷ ମେଟ୍ରିକ୍ ଟନ ମାଛ ଉତ୍ପାଦନ ହେଉଛି । ଏହାକୁ ଦୁଇ ତିନି ଗୁଣା କରାଇଲେ ହିଁ ମତ୍ସ୍ୟଚାଷୀଙ୍କ ବିକାଶ ସହ ସ୍ଥାନୀୟ ଅର୍ଥନୀତିକୁ ବଳ ମିଳିବ । ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନା ହେଉଛି ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ । ସେହି କଳ୍ପନାକୁ ସାକାର କରିବା ଦିଗରେ ସମ୍ବଲପୁର ଗୋଶାଳା ବସନ୍ତପୁରରେ ଏକ ଅତ୍ୟାଧୁନିକ ମାଛ ଚାଷ ଓ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ମୋଦୀ ସରକାର ପ୍ରାୟ ୧୦୦ କୋଟି ଟଙ୍କା ଦେଇଛନ୍ତି । ଡବଲ ଇଞ୍ଜିନ ସରକାରର ସହଯୋଗରେ ଏଠାରେ ସମୟୋପଯୋଗୀ ତାଲିମ ଶିବିର ଆୟୋଜନ କରାଯିବ । ଏଠାରେ ମାଛ ଧରିବାର ନୂଆ ଉପାୟ, ସ୍ୱଚ୍ଛତା ଓ ପ୍ରକ୍ରିୟାକରଣର ଆଧୁନିକ ଜ୍ଞାନକୌଶଳ ଶିଖିପାରିବେ । ଏହା କେବଳ ମତ୍ସ୍ୟଜୀବୀଙ୍କ ଆୟ ବଢାଇବ ନାହିଁ, ବରଂ ଏହି ଅଞ୍ଚଳରେ ଅନେକ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ