ଅଭିଶପ୍ତ ଗାଁ ଡେରାପଥର ଓ ହିତମ:ଅପହଞ୍ଚ ବିକାଶର ନଗ୍ନ ନମୁନା

ସମ୍ବଲପୁର:ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଗାଁ କୁମିଳିନି ମୌଳିକ ସୁବିଧା।ପହଞ୍ଚି ପାରିନି ବିକାଶ। ରାସ୍ତା ପୋଲ ଦୂର କଥା ପିଇବାକୁ ମିଳୁନି ସ୍ୱଛ ଜଳ। ଶିକ୍ଷା ସ୍ୱାସ୍ଥ୍ୟ କଥା ତେଣିକି ଥାଉ ରାସନ ଆଣିବାକୁ ନାକେଦମ ହେବାକୁ ପଡିଥାଏ ଗ୍ରାମବାସୀଙ୍କୁ।କହିଲେ ହୁଏତ ବିଶ୍ୱାସ ହେବନି କିନ୍ତୁ ଏବେବି ଏମିତି କିଛି ଗାଁ ରହିଛି ଯେଉଁଠି ଏବେବି ବିକାଶ ଅପହଞ୍ଚ।
ଏଭଳି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ର ସରାପାଲି ଗ୍ରାମ ପଞ୍ଚାୟତ ଅଧୀନ ଡେରାପଥର ଓ ହିତମ।ଏହି ଗାଁ ୨ଟିରେ ଏବେବି ବିକାଶ ଅପହଞ୍ଚ ହୋଇ ରହିଛି।
ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟ ରୁ ଗାଁ ର ଦୂରତା ପାଖା ପାଖି ୯୦ କିମି ଦୂରତା। ନିଘଞ୍ଚ ଜଙ୍ଗଲ ଭିତର ପାହାଡ଼ ତଳେ ରହିଛି ଏହି ଗାଁ ଡେରାପଥର।ଏହା ଏକ ରାଜସ୍ବ ଗାଁ।ଏହି ଗାଁ ସହ ପାଖରେ ରହିଛି ଆଉ ଏକ ଛୋଟ ଗାଁ ହିତମ।ଏହି ୨ ଗାଁ ରେ ପ୍ରାୟ ୧୫ ଆଦିବାସୀ କନ୍ଧ ପରିବାର ବହୁ ଦିନରୁ ରହି ଆସୁଛନ୍ତି ଓ ଜନ ସଂଖ୍ୟା ପ୍ରାୟ ୧୦୦ ହେବ।ଗାଁ ର ସମସ୍ତେ ଆଦିବାସୀ ଅଟନ୍ତି ସେମାନଙ୍କ ଜମିବାଡ଼ି ନାହିଁ କହିଲେ ଚଳେ l ସେଥିପାଇଁ ଏହି ଗାଁ ର ଲୋକେ ସମ୍ପୂର୍ଣ୍ଣ ରୂପେ ଦିନ ମଜୁରୀ ଅଥବା ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି l ତେବେ ସବୁଠାରୁ ବିଡମ୍ବନା ର କଥା ହେଲା ଗାଁ କୁ ରାସ୍ତା ନାହିଁ କି ବିଜୁଳୀ ନାହିଁ l ଘନ ଘୋର ଅନ୍ଧାର ଭିତରେ ବନ୍ୟ ଜନ୍ତୁଙ୍କ ସହ ଲଢେଇ କରି ବଞ୍ଚନ୍ତି ଗ୍ରାମବାସୀ।ଗାଁ ରେ ପାନୀୟ ଜଳ ପାଇଁ ଗୋଟିଏ ସୋଲାର ପରିଚାଳିତ ଟ୍ୟୁବୱେଲ ରହିଛି ସତ ତେବେ ସେଥିରେ ପର୍ଯ୍ୟାପ୍ତ ପାଣି ଆସେନାହିଁ l ଗାଁ ରେ ଛୋଟ ଛୋଟ ପିଲା ଛାତ୍ର ଛାତ୍ରୀ ଥିଲେ ମଧ୍ୟ ସ୍କୁଲ ଟିଏ ନାହିଁ। କେଵଳ ରହିଛି ଏକ ପୁରୁଣା ସ୍କୁଲ କୋଠା ଯେଉଁଠି ୨୦୦୭ ମସିହାରୁ ଶିକ୍ଷା ଦାନ ବନ୍ଦ ରହିଛି। ପିଲା ମାନଙ୍କୁ ପ୍ରାଥମିକ ଶିକ୍ଷା ପାଇଁ ୫ କିମି ଦୂତତା ରେ ଥିବା ହିକପାଲି ପ୍ରାଥମିକ ସ୍କୁଲ କୁ ଯିବାକୁ ପଡେ l ତେବେ ଏହି ୫ କିମି ମଧ୍ୟରେ ସେମାନଙ୍କୁ ୭ ଟି ନାଳ ବା ପ୍ରାକୃତିକ ଝରଣା ପାରି ହୋଇ ବଡ଼ ବିପଦଜନକ ଅବସ୍ଥା ରେ ସ୍କୁଲ ଯିବାକୁ ପଡିଥାଏ।ଅନ୍ୟପଟେ ହାଇସ୍କୁଲ ଶିକ୍ଷା ପାଉଁ ଏହି ଗାଁ ରୁ ପ୍ରାୟ ୧୦ କିମି ଦୂରତା ରେ ଥିବା ସାରାପାଲି ହାଇସ୍କୁଲ ହିଁ ଏକମାତ୍ର ଭରସା। ଏଠାକୁ ଯିବାକୁ ହେଲେ ସେହି ୭ ନାଳ ପାରି ହୋଇ ଯିବାକୁ ପଡିଥାଏ। ନକଟିଦେଉଳ ଗାଁ ରୁ ଏହି ଗାଁ କୁ ଯିବାକୁ ହେଲେ ହିକପାଲି ପର୍ଯ୍ୟନ୍ତ ରାସ୍ତା ରହିଛି। ଏହା ପରେ ହିକପାଲି ଠାରୁ ପ୍ରାୟ ୫ କିମି ର ଜଙ୍ଗଲ ଭିତରେ ଅଣ ଓସାରିଆ ମାଟି ଓ ପଥର ରହିଛି।ଏହି ରାସ୍ତା ରେ ବାଇକ ରେ ଅଥବା ସାଇକେଲ ରେ ଯିବା ମଧ୍ୟ ଅସମ୍ଭବ।ତେଣୁ ଲୋକେ ଚାଲି ଚାଲି ଏହି ରାସ୍ତା ରେ ଯିବା ଆସିବା କରିବା ଲୋକଙ୍କ ଏକ ନୀତି ଦିନିଆଁ ଅଭ୍ୟାସ ହୋଇଗଲଣି।ଏହି ରାସ୍ତା ରେ ଭାଲୁ ଓ ହାତୀ ପରି ବନ୍ୟା ଜନ୍ତୁ ର ଭୟ ଲାଗି ରହିଥାଏ l ତେଣୁ ପୁରୁଷ ହୁଅନ୍ତୁ କି ମହିଳା ଏହି ରାସ୍ତା ରେ ଯିଏ ଯାଏ ହାତରେ ଏକ ଫାରସା ବା ଟାଙ୍ଗିଆ ଧରି ଯିବା ଆସିବା ଖବର ସଂଗ୍ରହ କରିବାକୁ ଯିବା ସମୟରେ ଦେଖିବାକୁ ମିଳିଥିଲା।
ଅନ୍ୟପଟେ ନାକଟିଦେଉଳ ବ୍ଲକ ର ବିଡ଼ିଓ ବିଦ୍ୟାଧର ରାଉତରାୟ କହିଛନ୍ତି ଯେ ଡେରାପଥର ଓ ହିତମ ଗାଁ ଯାହା ସରାପାଲି ପଞ୍ଚାୟତରେ ରହିଛି ତାହା ଭୌଗୋଳିକ ସ୍ଥିତି ଯୋଗୁଁ ବିଛିନ୍ନ ହୋଇ ରହିଛି।ପୁଣି ସେଠାରେ ବହୁତ କମ ପରିବାର ରହୁଛନ୍ତି। ମୌଳିକ ସମସ୍ୟାକୁ ଆଖି ଆଗରେ ରଖି ଡେରାପଥର ର କିଛିଟା ପରିବାର ଙ୍କୁ ସେହି ପଞ୍ଚାୟତ ର ଚନ୍ଦ୍ରପୁର କୁ ସ୍ଥାନାନ୍ତର କରିଥିଲୁ। ପ୍ରଶାସନର କଥା ଶୁଣିଲେନି ଅନେକ ଗ୍ରାମବାସୀ।ଫଳରେ ଏବେ ସେଠାରେ କିଛି ପରିବାର ରହୁଛନ୍ତି। ପୂର୍ବରୁ ବିଧାୟକ ପାଣ୍ଠିରୁ ସେହି ଗାଁ ର ରାସ୍ତା ରେ କେତେକ ନାଳରେ କଲଭଟ କାମ ହୋଇଥିଲା।କିନ୍ତୁ ଏହି ଅଞ୍ଚଳରେ ଭୌଗୋଳିକ କାରଣଯୁକ୍ତ ବାଧା ରହିଛି ଓ ବର୍ଷା ଦିନେ କିଛି କାମ କରି ହୁଏ ନାହିଁ। ତେବେ ନିତିଦିନିଆ ରାସ୍ତା ତିଆରି ପାଇଁ ଆମ ପାଖରେ ପଶ୍ଚିମ ଓଡିଶା ବିକାଶ ପରିଷଦ ର କିଛି ପାଣ୍ଠି ରହିଛି ଯାହା ଆଗକୁ କାମ ହେବ ବୋଲି ବିଡ଼ିଓ କହିଥିଲେ ସୁଦ୍ଧା ଭାଗ୍ୟର ବିଡମ୍ବନା କି ଏହି ୨ ଗ୍ରାମବାସୀ ଏକୂଳର ନାଁ ସେ କୂଳର ହୋଇପାରୁଛନ୍ତି? ସରକାରୀ ନୀତିଗତ ନିଷ୍ପତ୍ତି ସ୍ୱଷ୍ଟ ହେଉନଥବାରୁ ଡେରାପଥର ଓ ହିତମ ପାଲଟିଛି ଅଭିଶପ୍ତ ଗାଁ।