Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡା:ଦୀପାବଳୀରେ ଫୁଟିଲା ବିଜେଡି ବାଣ

ସମ୍ବଲପୁର:ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ନୂଆପଡା ଉଠୁଛି ପଡୁଛି। ନିର୍ବାଚନ ପାଖେଇ ଆସିବା ସହିତ ରାଜନୈତିକ ଉଷ୍ମତା ବଢୁଛି। ସୋମବାର ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ନିଜର ପ୍ରାର୍ଥୀପତ୍ର ଦାଖଲ କରିବା ପରେ ନୂଆପଡାର ରାଜନୈତିକ ପାଣିପାଗରେ ସାମାନ୍ୟ ପରିବର୍ତ୍ତନର ଆସିଛି।
ଏହି ଉପନିର୍ବାଚନରେ ସର୍ବମୋଟ ୧୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ହିଁ ଅସଲ ଚିତ୍ର ମିଳିବ। ତେବେବି ମୁଖ୍ୟତଃ ତିନୋଟି ପ୍ରମୁଖ ଦଳ ବିଜେପି,ବିଜେଡି ଓ କଂଗ୍ରେସ ମଧ୍ୟରେ ନିର୍ବାଚନ ସୀମିତ ରହିବ। ଏହି ତିନି ଦଳର କେହି କାହାକୁ କମ ନଥିବାରୁ ତ୍ରିମୁଖୀ ନିର୍ବାଚନ ବର୍ତ୍ତମାନ ପାଇଁ ଚର୍ଚ୍ଚା ର ବିଷୟ ହୋଇଛି। ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ସୋମବାର କଣାଭଇରା ମା’ଙ୍କ ମନ୍ଦିରରେ ପୂଜା କରି ସ୍ଥାନୀୟ ବିଜେଡି କର୍ମୀ ଓ ଗାଁ ମୁଖିଆମାନଙ୍କ ଆଶୀର୍ବାଦ ନେଇ ଲୋକ ସଂପର୍କ ଆରମ୍ଭ କରିଥିଲେ।ଏହି ସମୟରେ ସହସ୍ରାଧିକ ନେତା, କର୍ମୀ ଓ ଜନତାଙ୍କ ଭିଡ଼ ସବୁ ରାଜନୈତିକ ଦଳକୁ ଚମକାଇ ଦେଇଛି।
ଏପରିକି ସ୍ନେହାଙ୍ଗିନୀ ନବୀନ ଆଶା, ସଭିଙ୍କ ଭରସାର ଡାକରା ଦେଇ ବିକାଶ ଦେଖିବ ତ ବିଜେଡି ରଖ କହି କେବଳ ଭୋଟରଙ୍କ ମନ ମୋହିବାକୁ କେବଳ ଚେଷ୍ଟା କରିନାହାନ୍ତି ବରଂ ନୂଆପଡା ଲୋକଙ୍କ ହୃଦୟରେ ମୁଁ ଅଛି ଓ ସେମାନେ ମୋତେ ନିଜ ଝିଅ ଭାବରେ ଦେଖୁଛନ୍ତି କହି ଏକ ଭାବାବେଗର ମାହୋଲ ତିଆରି କରିବାକୁ ନିଜର କଳ ବଳ ପାରଦର୍ଶିତାର କୌଶଳ ପ୍ରୟୋଗ କରିଥିଲେ। ଏହି ସମୟରେ ବିପୁଳ କରତାଳିରେ ସଭାସ୍ଥଳ କମ୍ପିଉଠିଥିଲା।ଏପରିକି ବିଜେପି ସରକାର ଉପରେ ସେ ଆକ୍ରମଣ କରି କହିଛନ୍ତି, “ଦେଢ଼ ବର୍ଷରେ ଚାକିରି ବିକ୍ରି, ଦରଦାମ ବୃଦ୍ଧି, ମହିଳା ଅସୁରକ୍ଷା ସବୁଠି ବିଜେପି ଅସଫଳ ହୋଇଛି ।” ବିପକ୍ଷ ଆରୋପ ଉପରେ ସେ ଉତ୍ତର ଦେଇ କହିଛନ୍ତି, “ମୁଁ ପଦ୍ମପୁର ଅଞ୍ଚଳର ଝିଅ ହେଲେ ମଧ୍ୟ ନୂଆପଡା ମୋର ଘର । ମୋ ମାମୁଁ ଘର ଏଠାରେ ଅଛି, ଏବଂ ମୁଁ ଏଠାରେ ଦଳୀୟ ପର୍ଯ୍ୟବେକ୍ଷକ ଥିଲି। ଜିଲ୍ଲା ବିକାଶ ସମ୍ପର୍କରେ ସେ କହିଛନ୍ତି, “ରାସନ, ଭତ୍ତା, ବିଜୁଳି ଓ ଆଦିବାସୀ ଯୋଜନା ପ୍ରତି ଘରକୁ ପହଞ୍ଚିବ ଏହା ମୋର ପ୍ରଥମ ଲକ୍ଷ୍ୟ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ସମ୍ପର୍କରେ ସେ କହିଛନ୍ତି, “କିଏ ଆସିଲା କିଏ ଗଲା ସେଥିରେ କିଛି ଫରକ ନାହିଁ । ରାଜେନ୍ଦ୍ର ଢୋଲକିଆ ବିଜେଡିର ନେତା ଥିଲେ, ତାଙ୍କ ଫଟୋକୁ ବିଜେପି ପୋଷ୍ଟରରେ ଲଗାଇବା ମାନେ ତାଙ୍କ ପ୍ରତି ଅସମ୍ମାନ । ସ୍ନେହାଙ୍ଗିନୀ ଆଶା ବ୍ୟକ୍ତ କରିଛନ୍ତି “ଭଗବାନ ଓ ଲୋକଙ୍କ ଆଶୀର୍ବାଦରେ ନୂଆପଡାର ସେବା ପାଇଁ ସେ ବିଜୟୀ ହେବେ।
ଅନ୍ୟପକ୍ଷରେ ଏହି ନିର୍ବାଚନୀ ପ୍ରଚାରରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ(ବବି), ସଞ୍ଜୟଦାସ ବର୍ମା, ଅରୁଣ ସାହୁ, ରୋମଞ୍ଚ ବିଶ୍ୱାଳ, ରଞ୍ଜନ ବଳିୟାରସିଂ, ପ୍ରଦୀପ ମାଝୀ, ପ୍ରତାପ ଜେନା, ବର୍ଷା ସିଂ ବରିହା, ପ୍ରୀତି ରଞ୍ଜନ ଘଡେଇ, ଟୁକୁନି ସାହୁ, ମନୋରମା ମହାନ୍ତି ଙ୍କ ସହିତ ବିଜେଡିର ବହୁ ପୂର୍ବତନ ମନ୍ତ୍ରୀ, ନେତା ମାନେ ଯୋଗ ଦେଇ ବିଜେଡିର ଉପସ୍ଥିତିକୁ ଜାହିର କରିବାକୁ ଚେଷ୍ଟା କରିଥିଲେ।
ଏହା ଫଳରେ ରବିବାର ଯାଏ ଯେଉଁ ଚର୍ଚ୍ଚା ହେଉଥିଲା ସୋମବାର ସେଥିରେ ପରିବର୍ତ୍ତନ ହୋଇ କେହି କାହାକୁ କମ ନୁହଁନ୍ତି, ନୂଆପଡା ଦେଖାଇବ ଏଥର ଅସଲ କରାମତି ଏଭଳି ଜନ ବାଇଦ ଏତୁଣ୍ଡରୁ ସେତୁଣ୍ଡ ବାଜୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ