କାଳୀପୂଜା ରେ କାଳ:ଟାଣିଆଣି ପିଟିପିଟି ମାରିଦେଲେ
ସମ୍ବଲପୁର: କାଳୀପୂଜା ଦେଖି ଯିବା କାଳ ସାଜିଲା। ବରଗଡ଼-ସୋହେଲା ରାସ୍ତାର ଦଶମାଇଲ ଛକ ନିକଟରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ଯୁବକ ଜଣକ ସ୍ଥାନୀୟ ଛୁରିଆପାଲି ନିକଟ ଗୋବିନ୍ଦପୁର ଗ୍ରାମର ଅଜିତ ବାଗ(୨୩) ।
ବରଗଡ଼ ସଦର ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହିତ ଜିଲା ମୁଖ୍ୟ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇଛି। ଏହା ସହିତ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଥାନାରେ ଅଟକ ରଖି ପୋଲିସ ଅଧିକ ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ମୃତ ଯୁବକ ଦଶମାଇଲ ଛକରେ ହେଉଥିବା କାଳୀପୂଜା ଏବଂ ଲକ୍ଷ୍ମୀ ପୂଜା ଦେଖିବାକୁ ଯାଇଥିଲେ। ତେବେ ସେଠାରୁ କେତେକ ଯୁବକ ତାଙ୍କୁ ଟାଣି ଆଣି ନିକଟସ୍ଥ କେନ୍ଦପାଲି ବଜାର ପାଖରେ ନିସ୍ତୁକ ମାଡ଼ ମାରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ବରଗଡ଼ ଏସଡ଼ିପିଓ ପଦାରବିନ୍ଦ ତ୍ରିପାଠୀଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ଅନୁସନ୍ଧାନୀ କୁକୁର ସହିତ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟାକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବ୍ୟାପକ ତନାଘନା ଚଲାଇଛି।ଏହି ଘଟଣାକୁ ନେଇ ବରଗଡ଼ ଜିଲ୍ଲାରେ ଚାପା ଉତ୍ତେଜନା ଦେଖାଦେଇଛି। ଏଇ ଏକ ମାସ ଭିତରେ ଏହିପରି ହତ୍ୟା ଘଟଣା ୩କୁ ବୃଦ୍ଧି ପାଇଥିବା ବେଳେ ଆଇନ ଶୃଙ୍ଖଳାକୁ କୁ ନେଇ ବରଗଡ଼ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ନୈରାଶ୍ୟ ଭାବ ଦେଖାଦେଇଛି।

