ମଦ ନିଶାରେ ଚୁର ଡାକ୍ତରଙ୍କ କାର ଧକ୍କାରେ ଯୁବକ ଗୁରୁତର, ଆଇଜି ହିମାଂଶୁ କୁମାର ଲାଲ ଦେଖାଇଲେ ମହାନତା
ସମ୍ବଲପୁର:ଗୁରୁବାର ସନ୍ଧ୍ୟାରେ ଜଣେ ମଦ ନିଶାରେ ଚୁର୍ ହୋଇଥିବା ଜଣେ -ଯୁବ ଡାକ୍ତରଙ୍କ ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ସନ୍ତୋଷ ଶର୍ମାଙ୍କୁ ସହରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଉଦ୍ବେଗଜନକ ଥିବା ଜଣାପଡ଼ିଛି।ତେବେ ଦୁର୍ଘଟଣା ଗ୍ରସ୍ତ ଏହି ଯୁବକଙ୍କୁ ପୋଲିସ ଆଇଜି ହିମାଂଶୁ କୁମାର ଲାଲ ଜୀବନ ବଞ୍ଚାଇବାକୁ ନିଜର ମହାନତା ଦେଖାଇ ସମଗ୍ର ଜିଲ୍ଲାରେ ପ୍ରଶଂସା ର ପାତ୍ର ହୋଇଛନ୍ତି।
ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଚାଉଁରପୁର ନିବାସୀ ସନ୍ତୋଷ ଶର୍ମା କୌଣସି କାମରେ ବୁଢ଼ାରଜାକୁ ଆସିଥିଲେ। ଘରକୁ ଫେରିବା ସମୟରେ ଧୁତୁରାପଡ଼ାସ୍ଥିତ ଫ୍ଲାଇଓଭରକୁ ଚଢ଼ିବା ସମୟରେ ଫ୍ଲାଇଓଭର ଉପରୁ ତୀବ୍ର ଗତିରେ ଆସୁଥିବା ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା। ଆଇଜି କାର୍ଯ୍ୟାଳୟ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ସନ୍ତୋଷଙ୍କ ବୁଲେଟ୍ ଚୂରମାର ହୋଇଯାଇଥିବା ବେଳେ କାରର ସମ୍ମୁଖ ଭାଗ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।ଗୁରୁତର ଅବସ୍ଥାରେ ସନ୍ତୋଷ ରାସ୍ତା ଉପରେ ପଡ଼ିଥିଲେ | ଏହି ସମୟରେ ନିଜ କାର୍ଯ୍ୟାଳୟରୁ ବାହାରି ଆଇଜି ହିମାଂଶୁ କୁମାର ଲାଲ ଯାଉଥିବା ସମୟରେ ଆହତ ସନ୍ତୋଷଙ୍କୁ ରାସ୍ତାରେ ପଡ଼ିଥିବା ଦେଖି ଅଟକି ଯାଇଥିଲେ। ଆଇଜି ନିଜର ମହାନତା ଦେଖାଇ ଆହତ ସନ୍ତୋଷଙ୍କୁ ନିଜ ଗାଡ଼ିକୁ ଆଣିବା ସହିତ ଚିକିତ୍ସା ପାଇଁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ପରବର୍ତ୍ତୀ ସମୟରେ ସନ୍ତୋଷଙ୍କ ସଂପର୍କୀୟମାନେ ଉତ୍ତମ ଚିକିତ୍ସା ନିମନ୍ତେ ସହରର ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ । ଏପଟେ ନିଶାରେ ଚୂର୍ ଥିବା ଏହି ସରକାରୀ ଡାକ୍ତର ଜଣଙ୍କ କାର୍ ଭିତରେ ଅନେକ ବିଅର୍ ବୋତଲ, ମଦ ବୋତଲ ସହିତ ପାଣି ବୋତଲ ରହିଥିବା ଦେଖିବାକୁ ମିଳିଥିଲା। କେତେକ ବୋତଲରେ ମଦ ଥିବା ମଧ୍ୟ କୁହାଯାଉଛି। ଟାଉନ ଥାନା ପୁଲିସ ଘଟଣାସ୍ଥଳରୁ ସଂପୃକ୍ତ ଡାକ୍ତରଙ୍କୁ ଥାନାକୁ ଧରି ନେଇଥିଲେ | ଥାନାରେ ଏହି ଡାକ୍ତର ଜଣକ ପୁଲିସ ବାବୁମାନଙ୍କୁ ମଧ୍ୟ ନାକେଦମ କରି ପକାଇଥିଲେ | ଗୋଟିଏ ପକ୍ଷରେ ଆଇଜି ଙ୍କ ମହାନତା ଓ ଅନ୍ୟ ପଟେ ଏହି ଯୁବ ଡାକ୍ତରଙ୍କ ଏଭଳି କାରନାମା ସହରରେ ଚର୍ଚ୍ଚାରେ ବିଷୟ ହୋଇଛି।

