‘୧୯୯୯’ମହାବାତ୍ୟା ଠାରୁ ମଧ୍ୟ ଅଧିକ ଭୟଙ୍କର ‘ମେଲିସା’; ଜାମାଇକାରେ ଭୀଷଣ କ୍ଷୟକ୍ଷତି, ୨୫ ମୃତ
ସାଣ୍ଟିଆଗୋ: ଆଟଲାଣ୍ଟିକ୍ରୁ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ବାତ୍ୟା ‘ମେଲିସା’ ବୁଧବାର ସକାଳେ ପୂର୍ବ କ୍ୟୁବାର ଚିଭିରିକୋ ସହର ନିକଟରେ ସ୍ଥଳଭାଗ ଛୁଇଁଥିଲା। ଏହା ପୂର୍ବରୁ କ୍ୟୁବା ସରକାର ଲକ୍ଷ ଲକ୍ଷ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାର ପଦକ୍ଷେପ ନେଇଥିଲେ |
ଜାମାଇକାରେ ମାଡ଼ ହୋଇଛି ବିଶ୍ୱର ସବୁଠାରୁ ଭୟଙ୍କର ବାତ୍ୟା ମେଲିସା । ରାତି ପ୍ରାୟ ୧୦ଟାରୁ ୧୧ଟା ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରି ଧ୍ୱଂସ ଲୀଳା ରଚିଥିଲା । ଫଳରେ ବହୁତ ଘରଦ୍ୱାର ଭାଙ୍ଗିବା ସହ ବଡ଼ ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ସବୁ ଉପୁଡ଼ି ପଡ଼ିଛି। ବାତ୍ୟା ମେଲିସାର ବେଗ ଘଣ୍ଟା ପିଛା ୩୦୦ କି.ମି ଥିଲା| ୧୦୦ ବର୍ଷ ଭିତରେ ଏହା ସବୁଠୁ ଶକ୍ତିଶାଳୀ ବାତ୍ୟା ବୋଲି ପାଣିପାଗ ବିଜ୍ଞାନୀ ମାନେ ଆକଳନ କରିଛନ୍ତି | ଓଡ଼ିଶାରେ ବିଧ୍ୱଂସ ଲୀଳା ରଚିଥିବା ୧୯୯୯ ମହାବାତ୍ୟା ଠାରୁ ମଧ୍ୟ ଏହା ଅଧିକ ପ୍ରଳୟଙ୍କାରୀ ଥିଲା |
ଏହି ପ୍ରଳୟଙ୍କାରୀ ଝଡ଼ରେ କାରିବିଆନ୍ରେ ୨୫ ଜଣ, ଜାମାଇକାରେ ୪ ଜଣ, ହାଇତିରେ ୨୦ ଏବଂ ଡୋମିନିକାନ୍ ରିପବ୍ଲିକ୍ରେ ଜଣେ ପ୍ରାଣ ହରାଇଛନ୍ତି। ‘ମେଲିସା’ ମଙ୍ଗଳବାର ଜାମାଇକାରେ ଲ୍ୟାଣ୍ଡଫଲ କରିବା ସମୟରେ ଘଣ୍ଟାପ୍ରତି ୨୯୮ କିମି ବେଗରେ ପବନ ବହିଥିଲା। ଜାମାଇକାର ବିପର୍ଯ୍ୟୟ ପରିଚାଳନା ପରିଷଦର ଉପାଧ୍ୟକ୍ଷ ଡେସମଣ୍ଡ ମ୍ୟାକେଞ୍ଜି କହିଛନ୍ତି ଯେ, ଦକ୍ଷିଣ ଜାମାଇକାର କ୍ଲାରେଣ୍ଡନ୍ ସହର ଏବଂ ସେଣ୍ଟ୍ ଏଲିଜାବେଥ୍ର ଦକ୍ଷିଣ-ପଶ୍ଚିମରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।
ଗ୍ରାନ୍ମା, ସାଣ୍ଟିଆଗୋ ଡି କ୍ୟୁବା, ଗୁଆଣ୍ଟାନାମୋ, ହୋଲଗୁଇନ୍ ଓ ଲାସ୍ ଟୁନାସ୍ ପ୍ରଦେଶ ପାଇଁ ବାତ୍ୟା ଚେତାବନୀ ପୂର୍ବରୁ ଜାରି କରାଯାଇଥିଲା। ବୁଧବାର ସକାଳେ ‘ମେଲିସା’ର ପ୍ରଭାବ କମି ଘଣ୍ଟାପ୍ରତି ୧୯୩ କିମି ବେଗରେ ପବନ ବହିଥିଲା। ଏହି ଘୂର୍ଣ୍ଣିବଳୟ ଚିଭିରିକୋର ପୂର୍ବରେ ୩୨ କିଲୋମିଟର ଓ କ୍ୟୁବାର ଗୁଆଣ୍ଟାନାମୋର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରାୟ ୯୭ କିଲୋମିଟର ଦୂରରେ କେନ୍ଦ୍ରିତ ହୋଇଥିଲା।

