ଭୁବନେଶ୍ୱର ମହାନଗର ନିଗମର ବଢ଼ିବ ପରିସୀମା; ଅଧିନକୁ ଆସିବ ୧୪ ପଞ୍ଚାୟତ
ଭୁବନେଶ୍ୱର,୩|୧୧: ଭୁବନେଶ୍ୱର ମହାନଗର ନିଗମର ପରିସୀମାକୁ ବୃଦ୍ଧି କରାଯିବ| ଉପକଣ୍ଠ ଅଞ୍ଚଳର ୭୧ ଗ୍ରାମ ଏ ପ୍ରକ୍ରିୟାରେ ସାମିଲ ହେବେ| ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ସରକାରଙ୍କ ସବୁଜ ସଙ୍କେତ ପରେ ପଞ୍ଚାୟତ ବିଏମ୍ସିରେ ମିଶିବା ପ୍ରକ୍ରିୟା ଆରମ୍ଭ ହେବ | ଏଥିପାଇଁ ୩ ବ୍ଲକର ବିଡିଓ ପ୍ରାଥମିକ ଭାବେ ଗ୍ରାମସଭା ରିପୋର୍ଟ ଦାଖଲ କରିଛନ୍ତି ।
ଭୁବନେଶ୍ୱର ମହାନଗର ନିଗମ ଅଧିନକୁ ୧୪ଟି ପଞ୍ଚାୟତ ଆସିବ । ସେଥିରେ ଭୁବନେଶ୍ୱର ବ୍ଲକ ଅଧିନରେ ଥିବା ୧୨ଟି ପଞ୍ଚାୟତ ରହିଛି । ଏହା ମଧ୍ୟରେ ତମାଣ୍ଡୋ, ଧଉଳି, ଲିଙ୍ଗିପୁର, ଇଟିପୁର, ରଘୁନାଥପୁର, ଦାରୁଠେଙ୍ଗ, ଅନ୍ଧାରୁଆ, ଦାସପୁର, ଗୋଠପାଟଣା ଭଳି ପଞ୍ଚାୟତ ରହିଛି । ବାଲିଅନ୍ତା ବ୍ଲକର ଅଣ୍ଡିଲୋ ଏବଂ ଜଟଣୀର ଗୋଟିଏ ପଞ୍ଚାୟତ ମଧ୍ୟ ବିଏମ୍ସି ଅଧିନକୁ ଆସିବାର ଯୋଜନା ରହିଛି|
ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲପାଳଙ୍କୁ ପୂର୍ବରୁ ଅବଗତ କରାଯାଇଥିଲା । ଏହା ପରେ ବ୍ଲକ ସ୍ତରରୁ ପ୍ରକ୍ରିୟା ଆରମ୍ଭ ହୋଇଛି | ଗ୍ରାମସଭାର ରିପୋର୍ଟକୁ ସରକାରଙ୍କ ପାଖକୁ ପଠାଯାଇଛି । ବିଏମ୍ସିରେ ବର୍ତ୍ତମାନ ୬୭ ୱାର୍ଡ ରହିଥିବା ବେଳେ ୩ଟି ଜୋନ୍ ତଥା ଦକ୍ଷିଣ-ପୂର୍ବ, ଦକ୍ଷିଣ-ପଶ୍ଚିଓ ଓ ଉତ୍ତର ଜୋନ୍ରେ ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକେ ରହୁଛନ୍ତି| ଏଥିସହିତ ୩ ଅତିରିକ୍ତ ଜୋନ୍ ଅଫିସ ଖୋଲିବ| ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବାକୁ ବିଏମ୍ସି ପକ୍ଷରୁ ଏ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି|
ଦକ୍ଷିଣ-ପୂର୍ବ ଜୋନ୍ରେ ବର୍ତ୍ତମାନ ୨୫ଟି ୱାର୍ଡ ରହିଛି । ଏଥିରେ ୧୨ଟି ଏକାମ୍ର ଏବଂ ୧୩ଟି ନିର୍ବାଚନ ମଣ୍ଡଳୀର ୱାର୍ଡ ରହିଛି । ଏହି ଦୁଇ ନିର୍ବାଚନ ମଣ୍ଡଳୀ ୱାର୍ଡକୁ ଅଲଗା କରାଯିବ । ଜଟଣୀର ବ୍ଲକର ନୂଆ ୱାର୍ଡ ସାମିଲ ହେବ । ଉତ୍ତର ଜୋନ୍କୁ ଦୁଇ ଭାଗ କରିବ ଜୟଦେବ ବିହାର- ନନ୍ଦନକାନନ ରାସ୍ତା| ଏନେଇ ବିଏମ୍ସି ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ବିଭାଗକୁ ଜୋନ୍ ଅଫିସ ପାଇଁ ଜାଗା ଦେବାକୁ ଚିଠି ଲେଖାହୋଇଛି । ବିଏମ୍ସି ଅଧିନକୁ ଗ୍ରାମ ସବୁ ଆସିବା ପରେ ଜୋନ୍ ଗୁଡିକର ନାମକରଣ କରାଯିବ ।
ଅଫିସ ଅଧୀନରେ ୨୪ରୁ ଅଧିକ ୱାର୍ଡ ରହୁଥିବାରୁ ଚାପ ବହୁତ ରହିଥିଲା | ତେଣୁ ଏ ସବୁକୁ ଦୃଷ୍ଟିରେ ରଖି ଏହାକୁ ଅଲଗା କରିବାକୁ ବିଏମ୍ସି ନିଷ୍ପତ୍ତି ନେଇଛି । ଏ ପ୍ରକ୍ରିୟାରେ ଆବଶ୍ୟକୀୟ କର୍ମଚାରୀ ସଂଖ୍ୟା ମଧ୍ୟ ବଢିବ । ଏଥପାଇଁ ଅତିରିକ୍ତ ଜୋନାଲ କମିଶନରଙ୍କୁ ନିଯୁକ୍ତି ଦିଆଯିବ। ପୂର୍ବ ସରକାରରେ ବିଏମ୍ସିରେ ଆଉ ୪୫୭ କର୍ମଚାରୀଙ୍କୁ ନିଯୁକ୍ତି କରିବାକୁ ନିଷ୍ପତ୍ତି କରାଯାଇଥିଲା । ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ । ଏହି ନୂଆ ପଞ୍ଚାୟତର ୭୧ଟି ଗ୍ରାମ ମିଶିବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଖାଲି ପଡିଥିବା ପଦବି ଏବଂ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି କରାଯିବ।

