ଟ୍ରେନ ସହ ଟ୍ରେନ ଧକ୍କା; ୬ ମୃତ, ବହୁ ଆହତ
ବିଳାସପୁର: ଛତିଶଗଡ ବିଳାସପୁର ଜିଲ୍ଲାର ଲାଲ ଖଦାନ ଅଞ୍ଚଳ ନିକଟ ବିଳାସପୁର-କଟନୀ ରେଳପଥରେ ଏକ ବଡ ଦୁର୍ଘଟଣା ଘଟିଛି। କୋରବା ପାସେଞ୍ଜର ଟ୍ରେନ୍ ସହ ଏକ ମାଲବାହୀ ଟ୍ରେନ୍ ଧକ୍କା ହୋଇଛି। ଫଳରେ ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହେବା ସହିତ ଅନେକ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ଫଳରେ ଅନେକ ବଗି ଲାଇନଚ୍ୟୁତ ମଧ୍ୟ ହୋଇଛି। ଧକ୍କାର ଏତେ ଜୋରରେ ହୋଇ ଥିଲା ଯେ ଯାତ୍ରୀବାହୀ ଟ୍ରେନର ଆଗ ଇଞ୍ଜିନ୍ ମାଲବାହୀ ଟ୍ରେନ ଉପରେ ଚଢ଼ି ଯାଇଥିଲା।
ବିଳାସପୁରର ଏସପି ରାଜନୀଶ ସିଂହ ମୃତ୍ୟୁ ସଂଖ୍ୟା ୬ ବୋଲି ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବଂ ଆହତ ମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି ।”ରେଳବାଇ ଅଧିକାରୀଙ୍କ ସୂଚନା ଅନୁସାରେ, ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଘଟଣାସ୍ଥଳକୁ ପଠାଯାଇଛି ଏବଂ ଆହତଙ୍କ ଚିକିତ୍ସା ପାଇଁ ସବୁ ବ୍ୟବସ୍ଥା କରାଯାଉଛି। ରେଳ ଅଧିକାରୀ, ସ୍ଥାନୀୟ ପ୍ରଶାସନ ଓ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ନଷ୍ଟ ହୋଇଯାଇଥିବା ବଗି ମଧ୍ୟରୁ ଜଣେ ଶିଶୁକୁ ନିରାପଦରେ ଉଦ୍ଧାର କରାଯାଇଛି। ଗୁରୁତର ଭାବେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଟ୍ରେନ୍ ଭିତରେ ହିଁ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଉଛି। ଧକ୍କା ଜୋର ହୋଇଥିବାରୁ ବିଦ୍ୟୁତ୍ ତାର ଓ ସିଗନାଲିଙ୍ଗ୍ ସିଷ୍ଟମ୍ ମଧ୍ୟ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଯାହା ଫଳରେ ରେଳ ଚଳାଚଳ ବ୍ୟାହତ ହୋଇଛି।
ଫଳରେ ଅନେକ ଏକ୍ସପ୍ରେସ୍ ଓ ଯାତ୍ରୀବାହୀ ଟ୍ରେନ୍ କୁ ବାତିଲ୍ କିମ୍ବା ଡାଇଭର୍ଟ କରାଯାଇଛି। ଅଟକି ରହିଥିବା ଯାତ୍ରୀଙ୍କ ପାଇଁ ବିକଳ୍ପ ଯାତାୟତର ବନ୍ଦୋବସ୍ତ ମଧ୍ୟ କରାଯାଉଛି। ଟେକ୍ନିକାଲ୍ ଟିମ୍, ଟ୍ରାକ୍ ଓ ବିଦ୍ୟୁତ୍ ସିଷ୍ଟମ୍ ମରାମତି କରୁଛନ୍ତି। ଦୁର୍ଘଟଣାର କାରଣ ଜାଣିବା ପାଇଁ ରେଳ ଅଧିକାରୀମାନେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତ ଅନୁସାରେ ରିପୋର୍ଟରେ ସିଗନାଲିଙ୍ଗ୍ ଫେଲ୍ୟୁର୍ ସମ୍ପର୍କିତ ତ୍ରୁଟି କିଛି ଥାଇପାରେ ବୋଲି ଅନୁମାନ କରାଯାଉଛି।

