ଆଜିଠୁ ଆରମ୍ଭ ବାଲିଯାତ୍ରା; ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଆରମ୍ଭ ହୋଇଛି ଏସିଆ ମହାଦେଶର ସବୁଠାରୁ ବଡ ଐତିହାସିକ ବାଣିଜ୍ୟ ମେଳା ବାଲିଯାତ୍ରା। ସୂଚନା ଅନୁଯାଇ , ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିବେ। ଏହି ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗଦେବେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ। ଏହି ମେଳା ଆଜିଠାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ | ଏହା ଏସିଆ ମହାଦେଶର ସର୍ବବୃହତ ବାଣିଜ୍ୟ ମେଳା।
ଏଥିପାଇଁ କେବଳ ବାଲିଯାତ୍ରା ପଡିଆ ନୁହେଁ ବରଂ ପୁରା କଟକ ସହର ସଜେଇ ହେବା ସହିତ ଆନନ୍ଦ ଉଲ୍ଲାସରେ ଭରିରହିଛି |
ମହାନଦୀ ପଠାର ଉଭୟ ଉପର ଓ ତଳ ପଡ଼ିଆ ଲୋକଙ୍କ ଭିଡ ଜମା ହୋଇଛି । ସକାଳୁ ଲୋକେ କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ଡଙ୍ଗା ଭସାଇବା ପାଇଁ ଗଡଗଡିଆ ଘଟ ପାଖରେ ଭିଡ ଜମାଇଛନ୍ତି | ୬୦ ଏକର ଜାଗାରେ ଜମିବ ଏବେ କିଣାବିକା, ବୁଲାବୁଲି ଓ ଖାଦ୍ୟପେୟର ଆସର । ହଜାର ହଜାର ବ୍ୟବସାୟୀ ନିଜ ପସରା ମେଲାଇ ବସି ସାରିଛନ୍ତି। ଏହି ୭ ଦିନ ପାଇଁ ଏକାଠି ହେବେ ଲକ୍ଷ ଲକ୍ଷ ଲୋକ। ବାଲିଯାତ୍ରାରେ ଏଥର ଓରମାସ ସହ ରାଜ୍ୟ ଓ ରାଜ୍ୟ ବାହାରର ପାଖାପାଖି ୧୭୦୦ ଷ୍ଟଲ ଖୋଲିଛି।
କଟକ ଇନ କଟକରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ସହ ଅନେକ କିଛି ଦେଖିବାକୁ ମିଳିବ। ସାଂସ୍କୃତିକ ମଞ୍ଚରେ ବଲିଉଡ କଳାକାର ଶ୍ରେୟା ଘୋଷାଲଙ୍କ ଠାରୁ ଆରମ୍ଭ କରି ଓଲିଉଡ ଜଗତର ନାମୀଦାମୀ କଣ୍ଠଶିଳ୍ପୀ କାର୍ଯ୍ୟକ୍ରମ ପରିବେଷଣ କରିବେ।
ବାଲିଯାତ୍ରାରେ ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି। ୨୦ଟି କଣ୍ଟ୍ରୋଲ ରୁମ୍ ସହ ସିସିଟିଭି, ଡ୍ରୋନ୍ ସର୍ଭେଲାନ୍ସ କରିବ ପୋଲିସ। ଟ୍ରାଫିକ ନିୟନ୍ତ୍ରଣ ଓ ପାର୍କିଂକୁ ବ୍ୟବସ୍ଥିତ ପାଇଁ ପଦକ୍ଷେପ ନିଆଯାଇଛି। ସେହିପରି ଅଘଟଣ ଏଡ଼ାଇବାକୁ ତୟାର ରହିଛି ଅଗ୍ନିଶମ ବାହିନୀ।

