ସମ୍ବଲପୁର ମହୋତ୍ସବ୍-୨୦୨୫ ମୌଳିକ ଲୋକଗୀତ ସହ ଲୋକଗୀତ ଉପରେ ଗୁରୁତ୍ୱ
ସମ୍ବଲପୁର:ଗୀତନୃତ୍ୟ ବାଦ୍ୟ କମିଟି, ସମ୍ବଲପୁର ମହୋତ୍ସବ୍-୨୦୨୫ ର ବୈଠକରେ ଏ ବର୍ଷ ପାଇଁ ମୌଳିକ ଲୋକଗୀତ ସହ ଲୋକଗୀତ ଉପରେ ଆଧାରିତ ଗୀତ,ଆଦିବାସୀ ଗୀତ,ସମ୍ବଲ୍ପୁରୀ ସୁଗମ ସଂଗୀତ ଏବଂ ସାଂପ୍ରତିକ ସମ୍ବଲପୁରୀ ଗୀତକୁ ସ୍ଥାନିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗୀତସଂଗୀତ କମିଟୀର ଆବାହକ ଗାୟକ ରବିନ୍ଦ୍ର ପଣ୍ଡାଙ୍କ ସହ ଗାୟକ ରାଜ୍କୁମାର ଜାଲ୍, କଳାକାର ଧରଣୀଧର ନାଥଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ଗୁରୁ ଦୁର୍ଗାପ୍ରସାଦ ଦାଶ ଓ ଗୁରୁ ରଂଜନ ସାହୁଙ୍କ ପରାମର୍ଶରେ ମଂଚରେ ପରିବେଷଣ ହେବାକୁ ଥିବା ଅନ୍ୟାନ୍ୟ ସମସ୍ତ କାର୍ଯ୍ୟକ୍ରମ ପାଇଁ ଅନେକ ଗୁରୁତ୍ବପୂର୍ଣ ନିଷ୍ପତ୍ତି ନିଆଯାଇଛି। ପଶ୍ଚିମାଂଚଳର ପାରଂପାରିକ ବାଦ୍ୟ ସହ ଆବଶ୍ୟକ ସ୍ଥଳରେ ଢ଼ୋଲକ୍ ଓ ଡୁବି ତବ୍ଲାର ମଧ୍ୟ ଉପଯୋଗ କରାଯିବ।
ସେହିପରି ‘ସାମାଜିକ ଗଣ ମାଧ୍ୟମ କମିଟୀ’ ର ବୈଠକରେ ସମ୍ବଲପୁର ମହୋତ୍ସବ ର ପ୍ରଚାର ଓ ପ୍ରସାର ପାଇଁ କଣ୍ଟେଟ୍ କ୍ରିଏଟର୍ସମାନଙ୍କୁ ପଶ୍ଚିମାଂଚଳର ସଂସ୍କୃତିର ସୁଦୂର ପ୍ରସାର ପାଇଁ ଆହ୍ବନ ଦିଆ ଯାଇଛି। ବିଭିନ୍ନ ସାମାଜିକ ମାଧ୍ୟମ,’ଇନଷ୍ଟାଗ୍ରାମ୍’,’ଫେସ୍ବୁକ୍’ ଓ ‘ୟୁ-ଟ୍ୟୁବ୍’ ମାଧ୍ୟମରେ ଏହାର ବ୍ୟାପକ ପ୍ରଚାର ବ୍ୟବସ୍ଥା କରାଯାଇଛି। ଇନ୍ଷ୍ଟାଗ୍ରାମ୍ରେ ‘ସମ୍ବଲପୁର ଅଣ୍ଡର୍ ସ୍କୋର୍ ମହୋତ୍ସବ୍’ ଓ ‘ଫେସ୍ବୁକ୍’ ରେ ‘ସମ୍ବଲପୁର ମହୋତ୍ସବ୍’ କୁ ଯାଇ ସମସ୍ତେ ଏବାବଦରେ ସବୁ ବିଷୟ ପ୍ରସଙ୍ଗ ସଂପର୍କରେ ଅବଗତ ହୋଇପାରିବେ। ଏହି କମିଟୀର ଆବାହକ ସ୍ପନ୍ଦନ ବେହେରା ଓ ଆବାହକ ଲୋକନାଥ ପୂଝାରୀ ଏ ବାବଦରେ ଆବଶ୍ୟକୀୟ ସଂଯୋଜନା କରୁଛନ୍ତି।
ସ୍ମରଣିକା କମିଟୀର ଆବାହକତ୍ବରେ ସମ୍ବଲପୁର ମହୋତ୍ସବର ‘ଭାଷା-ସାହିତ୍ୟ କମିଟୀ’ର ଦିଗଦର୍ଶକ ଡ. ଶଶାଙ୍କ ଶେଖର ପଣ୍ଡା,ସାହିତ୍ୟିକ ଡ. ପ୍ରଦୀପ ପଣ୍ଡା,ସାହିତ୍ୟିକ କ୍ଷେତ୍ରମଣି ବିଭାର,ଡ. ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ ପ୍ରମୂଖ ଏବର୍ଷ ସମ୍ବଲପୁର ମହୋତ୍ସବ ଅବସରରେ ପ୍ରକାଶ ପାଇବାକୁ ଯାଉଥିବା ‘ସୋର୍ରଖା’ (ସ୍ମରଣିକା),ମଂଚରେ ହେବାକୁ ଥିବା ‘ସାହିତ୍ୟୋତ୍ସବ’, ଭାବ୍ ବିଚାର୍(ସେମିନାର) ର ବିଷୟ ବସ୍ତୁ,ଉଦ୍ଘାଟକ,ବକ୍ତା, ଆଲୋଚକଙ୍କ ବାବଦରେ ସବିଶେଷ ପରାମର୍ଶ ଦେଇଥିଲେ। ସୋରରଖା(ସ୍ମରଣିକା) କମିଟୀର ଆବାହକ ଡ.ସୋମଦତ୍ତ ପ୍ରଧାନ କେବଳ ସମ୍ବଲପୁରୀ ଓ ଇଂରାଜୀ ଭାଷାରେ ପ୍ରକାଶ ପାଇବାକୁ ଥିବା ସୋର୍ରଖାର ଅଗ୍ରଗତି ସଂପର୍କରେ ଜଣାଇଥିଲେ। ଏଥିପାଇଁ ଆହୁରି ଲେଖା ପାଇଁ ସେ ଅଂଚଳର ଲେଖକ,ପ୍ରବନ୍ଧକ,ଚିନ୍ତା ନାୟକଙ୍କୁ ଆହ୍ବାନ ଜଣେଇଥିଲେ। ଅଧ୍ୟାପକ ତୁଷାର ରଂଜନ ବାରିକ ଏସବୁ ବିଷୟରେ ତାଙ୍କର ସୁଚିନ୍ତିତ ମତାମତ ଦେଇଥିଲେ। ଆବାହକ ମାନସ କୁମାର ଷଡ଼ଙ୍ଗୀ ‘ସାହିତ୍ୟୋତ୍ସବ’ ଓ କବିତା ପାଠ ପାଇଁ ଅଭିନବ ପ୍ରୟୋଗ ବାବଦରେ ତଥ୍ୟ ପ୍ରଦାନ କରିଥିଲେ। ପ୍ରବୀଣ ସୂପକାର ଓ ରାଜେଶ ଚଇନି ଏହି କମିଟୀର ସହଯୋଗୀ ଭାବରେ କାର୍ଯ୍ୟ ନିର୍ବାହ କରିବାକୁ ମନୋନିତ ହୋଇଛନ୍ତି। ଉଦଦେଷ୍ଟା ମଣ୍ଡଳୀର ସଦସ୍ୟ ଶିକ୍ଷାବିତ ଭକ୍ତ ପ୍ରସାଦ ନନ୍ଦ,ସାଧକଶ୍ରୀ ସଦାନନ୍ଦ ପଣ୍ଡା ଓ ଅନ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ନିଜ ନିଜର ମତ ଦେଇଥିଲେ।
ଖାଦ୍ୟ ଓ ରହଣୀ କମିଟୀ,ପରିବହନ ଓ ଆତିଥ୍ୟ କମିଟା,ସମ୍ବର୍ଦ୍ଧନା କମିଟୀର ସ୍ବତନ୍ତ୍ର ବୈଠକରେ ସ୍ବ ସ୍ବ ବିଭାଗର ଅଗ୍ରଗତି ବାବଦରେ ଆଲୋଚନା କରାଯାଇ କେତେକ ନିର୍ଦ୍ଧିଷ୍ଟ ନିଷ୍ପତ୍ତି ନିଆଯାଇଥିଲା।
ସ୍ବଛ୍ଛତା କମିଟୀର ଆବାହକ ସୌରୀନାରାୟଣ ପାଣିଗ୍ରାହୀ ବିର୍ସା ମଇଦାନ,ପିଏଚ୍ଡ଼ି ପଡ଼ିଆକୁ ପ୍ରଥମେ ସଫା ସୁତୁରା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଶୋଭାଯାତ୍ରା କମିଟୀର ଆବାହକ କାହ୍ନୁ ଜେନା ଉତ୍ସବ ପୂର୍ବରୁ ଶୋଭାଯାତ୍ରା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଉପସ୍ଥାପନା କମିଟୀର ଆବାହକ ଭବତୋଷ ବିଶି ସମସ୍ତ ଉଦ୍ଘୋଷକ,ଉଦ୍ଘୋଷିକାଙ୍କୁ ଉଭୟ ସମ୍ବଲପୁରୀ ଓ ଇଂରାଜୀ ଭାଷାରେ ପ୍ରଭାବୀ ଢ଼ଙ୍ଗରେ ଉପସ୍ଥାପନା କରିବାକୁ ଏକ ଅଭିନିବେଶ(ଓରିଏଣ୍ଟେସନ୍) ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିଛନ୍ତି।ଏଥିରେ ନାଟ୍ୟକାର ରାମାଶିଷ ତ୍ରିପାଠୀ,ନାଟ୍ୟକାର ବିରୂପାକ୍ଷ ପ୍ରଧାନ ପ୍ରମୂଖ ଦିଗ ଦର୍ଶନ ଦେଇଥିଲେ।
ଚିତ୍ରାଙ୍କନ, ଫଟୋଗ୍ରାଫୀ(ଚିତ୍ର ଉତ୍ତୋଳନ) ଓ ଚିତ୍ର,କଳାକୂତି ପ୍ରଦର୍ଶନ କମିଟୀର ଆବାହକ ଚିତ୍ର ଗୁରୁ ସନ୍ତୋଷ ପଟ୍ଟନାୟକ,ଚିତ୍ର ଗୁରୁ ଦେବାଶିଷ ପ୍ରଧାନ,ଗୁରୁ ଲୋକନାଥ ପୂଝାରୀ,ମାଷ୍ଟର ଫଟୋଗ୍ରାଫର ଶିଶିର କର, ପ୍ରମୂଖ କଳା ଓ ଐତିହ୍ୟ ସଂପର୍କିତ ବିଭିନ୍ନ କାର୍ଯ୍ଯକ୍ରମର ରୂପରେଖ ପ୍ରସ୍ତୁତ କରିଥିଲେ। ଆଗାମୀ ୯ ନଭେମ୍ବର,ରବିବାର ଦିନ ସକାଳ ୯ ଟାରୁ ସ୍କୁଲ୍,କଲେଜ ସ୍ତରୀୟ ପୁଅଝିଅଙ୍କ ଚିତ୍ରାଙ୍କନ ପ୍ରତିଯୋଗୀତା ଜି. ଏମ୍. ବିଶ୍ବବିଦ୍ୟାଳୟଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ସମସ୍ତ ସ୍କୁଲ,କଲେଜ ଓ ଚିତ୍ର ଅନୁଷ୍ଠନର ଛାତ୍ରଛାତ୍ରୀଙ୍କୁ ଅଂଶଗ୍ରହଣ କରାଯାଇଛି। ଏଥିପାଇଁ କୌଣସି ଶୁଳ୍କ ଦେୟ ନାହିଁ। ଚିତ୍ରକଳା,ଅନ୍ୟାନ୍ୟ କଳାକୃତିର ପ୍ରଦର୍ଶନୀ ପାଇଁ ଶିଳ୍ପୀମାନେ ନିଜ ନିଜର କ ଳାକୂତିକୁ ନଭେମ୍ବର ୧୨ ତାରିଖ ସୁଦ୍ଧା ମହୋତ୍ସବର ଆୟୋଜକ, ‘ଆର୍ଟ,କ୍ରାଫ୍ଟ୍ସ୍ ଓ ଫଟୋଗ୍ରାଫୀ କମିଟୀ’ର କର୍ମକର୍ତ୍ତାଙ୍କ ଜରିଆରେ କିମ୍ବା ନିଜେ ଆସି ସମ୍ବଲପୁର ମହୋତ୍ସବର ଅଫିସ,ଏଲ୍ଆଇସି ଡିଭିଜନ ଅଫିସ ପାଖ,ଆଇଓବି ଓ ଏସ୍ବିଆଇ ଏଟିଏମ୍ ଉପର ମହଲାଠାରେ ଜମା ଦେବାକୁ ଅନୁରୋଧ କରାଯାଇଛି। ଅବସରରେ ମହୋତ୍ସବର ଷ୍ଟିକର୍ ଲୋକାର୍ପିତ ହୋଇଥିଲା।

