ନିଜେ ଭାଙ୍ଗୁଛନ୍ତି ଆଚାର ସଂହିତା, ନିନ୍ଦା କଲା ବିଜେଡି
ଭୁବନେଶ୍ୱର: ନିର୍ବାଚନକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ ସରକାରୀ କଳକୁ ରାଜନୀତି କାମରେ ବେଶ୍ ଉପଯୋଗ କରୁଛି ବିଜେପି । କ୍ଷମତା ଲୋଭରେ ଗଣତନ୍ତ୍ରକୁ ହତ୍ୟା କରିବାକୁ ପଛାଇ ନାହିଁ ଶାସକ ଦଳ । ଆଜି ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚାର ପାଇଁ ସରକାରୀ ସମ୍ପଦର ଦୁରୂପଯୋଗରେ ବିଜେପି ସବୁ ସୀମା ଟପି ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ଟେଣ୍ଟ ବାନ୍ଧି ଜାତୀୟ ରାଜପଥରେ ଲୋକଙ୍କ ଯିବା ଆସିବା ବନ୍ଦ କରିଦେଲେ । ଲୋକଙ୍କୁ ଯନ୍ତ୍ରଣା ଦେବାରେ ସାମାନ୍ୟ ହେଳା କରୁନାହିଁ ଲୋକଙ୍କ ସରକାର ବୋଲି ବିଜେଡି ମୁଖପାତ୍ର ଡ଼ ଲେନିନ୍ ମହାନ୍ତି କହିଛନ୍ତି ।
ଡ଼ ମହାନ୍ତି କହିଛନ୍ତି, ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସଭା ପାଇଁ ବିଜେପି ପୁରା ପ୍ରଶାସନକୁ କାମରେ ଲଗାଇ ଦେଇଛି । ଖରିଆର ରୋଡ୍ ଏନଏସି ଓ ନୂଆପଡା ଏନଏସିରେ ଭାରତୀୟ ଜନତା ପାର୍ଟି ରୋଡ୍ ଶୋ’ କାମରେ ସରକାରୀ ବ୍ୟବସ୍ଥା ଦୁରୁପଯୋଗ କରିଛି । ପୁରା ପ୍ରଶାସନ ରାଜନୀତି କାମରେ ବ୍ୟସ୍ତ । କ୍ଷମତା ଲୋଭରେ ଅନ୍ଧ ବିଜେପି ଆଦର୍ଶ ଆଚରଣ ବିଧିକୁ ମାନୁ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସଭା ପାଇଁ ରାଇପୁର ଜାତୀୟ ରାଜପଥକୁ ବନ୍ଦ କରି ବିଶାଳ ଷ୍ଟେଜ୍ ନିର୍ମାଣ କରାଯାଇଛି । ସେଥିପାଇଁ ଗତ ରାତିରୁ ସେହି ବାଟେ ଗାଡ଼ି, ମୋଟର ଓ ଲୋକଙ୍କ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜନୀତି ପାଇଁ ବିଜେପି ଲୋକଙ୍କୁ ଦୁର୍ଦ୍ଦଶା ମୁହଁକୁ ଠେଲି ଦେଉଛି । ବିଜେପି ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସାଧାରଣ ଲୋକଙ୍କ ପାଇଁ କାଳ ହେଲା । ଜରୁରୀ, ବାଣିଜି୍ୟକ ପରିବହନ ଠପ୍ କରିଦେଲେ । ଲୋକଙ୍କ ସରକାର ବୋଲାଉଛନ୍ତି, ଲୋକଙ୍କୁ ଦହଗଞ୍ଜ କରି ମାରୁଛନ୍ତି ବୋଲି ଡ଼ ମହାନ୍ତି କ୍ଷୋଭର ସହ କହିଛନ୍ତି ।
ଡ଼ ମହାନ୍ତି ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ପ୍ରଚାର କାମ ପାଇଁ ୨୦୦ଟି ବସ୍ ବରଗଡ଼ ଜିଲ୍ଲାରୁ ଓ କଳାହାଣ୍ଡି ଜିଲ୍ଲାରୁ ୧୫୦ଟି ବସ୍ ଆଣି କାମରେ ଲଗାଇଛନ୍ତି । ଦଳୀୟ କାମ ପାଇଁ ସରକାରୀ ସମ୍ପତ୍ତିର ବେଶ ଦୁରୁପଯୋଗ କରି ରାଜନୈତିକ ପ୍ରଚାର କରିଛି ବିଜେପି । ଦୁଃଖର କଥା ରାଜନୀତି ପାଇଁ ଲୋକଙ୍କୁ କାହିଁକି କଷ୍ଟ ଦିଆଯାଉଛି ବୋଲି ଡ଼ ମହାନ୍ତି ପ୍ରଶ୍ନ କରିବା ସହ ବିଜେପିକୁ କାଠଗଡ଼ାରେ ଛିଡା କରିଛନ୍ତି ।

