ପୋଲିସ୍ ପେଟ୍ରୋଲିଂ ବେଳେ ୧୨ ଦାଦନ ଉଦ୍ଧାର , ସର୍ଦ୍ଦାର ଫେରାର୍ !
ବଲାଙ୍ଗୀର : ଗତ ରାତି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ପୋଲିସ୍ ନାଇଟ୍ ପେଟ୍ରୋଲିଂ କରୁଥିବା ବେଳେ କୁର୍ଲୁବାହାଲ ଛକ ଠାରେ ବେଆଇନ୍ ଦାଦନ ଚାଲାଣ ହେଉଥିବା ୧୨ ଦାଦନକୁ ଉଦ୍ଧାର କରିଛି ।
ଏଥିସହ ଦାଦନ ଚାଲାଣରେ ବ୍ୟବହୃତ ଏକ ଅଟୋକୁ ଜବତ୍ କରିବା ସହ ଅଟୋ ଡ୍ରାଇଭର ଚଣାବାହାଲ ଗାଁର ବିନୋଦ ଛନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସେହିପରି ଉଦ୍ଧାର ହୋଇଥିବା ଉକ୍ତ ଦାଦନ ଶ୍ରମିକ ମାନଙ୍କୁ ସଂପୃକ୍ତ ପୋଲିସ୍ ଥାନାକୁ ଆଣି ପଚରା ଉଚରା କରିଛି ।
ଉଦ୍ଧାର ଦାଦନ ଶ୍ରମିକ ମାନଙ୍କ ମଧ୍ୟରେ ୧ ଜଣ ଶିଶୁ ସମେତ ୪ ମହିଳା ଏବଂ ୮ ଜଣ ପୁରୁଷ ରହିଛନ୍ତି ।
ଏମାନେ କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ପୋଲିସ୍ ନିକଟରେ ପ୍ରକାଶ କରିଛନ୍ତି ।
ଏମାନଙ୍କୁ ଧାତୁକଜୁରୀ ଗାଁର ସର୍ଦ୍ଦାର ତେଜରାଜ୍ ନାଗ ବେଆଇନ୍ ଭାବେ ଚାଲାଣ କରୁଥିବା ବେଳେ ଘଟଣାସ୍ଥଳରୁ ସେ ଫେରାର୍ ମାରିଥିବା ପୋଲିସ୍ କହିଛି ।
ଉଦ୍ଧାର ହୋଇଥିବା ଦାଦନ ଶ୍ରମିକ ମାନେ ମୁରିବାହାଲ ଥାନା ଚଣାବାହାଲ ଗାଁର ବୋଲି ଜଣାପଡିଛି ।
ପୋଲିସ୍ ଏନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ମୁରିବାହାଲ ଥାନା ଏସ୍ ଆଇ ପ୍ରମୋଦ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

