ହ୍ୟୁମାନ୍ ସାଗରଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ଅଭିଯୋଗରେ ୨ ମ୍ୟାନେଜର ଙ୍କ ନାଁରେ ଥାନାରେ ଏତଲା ।
ବଲାଙ୍ଗୀର : ଓଲିଉଡ଼ ତଥା ଓଡ଼ିଆ ଆଲବମ୍ ସଙ୍ଗୀତ ଗାୟକ ହ୍ୟୁମାନ୍ ସାଗରଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ନେଇ ଆଜି ବଲାଙ୍ଗୀର ଟାଉନ୍ ଥାନାରେ ଅଭିଯୋଗ କରିଛି ବଲାଙ୍ଗୀରର ସମସ୍ତ କୋଶଳବାଦୀ ଏବଂ ସାଂସ୍କୃତିକ ସଂଗଠନ।
ହ୍ୟୁମାନ୍ ସାଗର ଶାରୀରିକ ଅସୁସ୍ଥ ଥିବା ସମୟରେ ତାଙ୍କୁ ଠିକ୍ ସମୟରେ ଚିକିତ୍ସା ନକରିବା, ଦେହ ଅସୁସ୍ଥତା ସତ୍ତ୍ଵେ ତାଙ୍କୁ ବାଧ୍ୟ କରି କାମ କରାଇବା ଫଳରେ ତାଙ୍କ ଶରୀର ଆହୁରି ବିଗିଡି ଯାଇ ତାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛି ଅଭିଯୋଗକାରୀ ସଂଗଠନ ।
ମ୍ୟାନେଜର ଦିନେଶ ବେହେରା ଓରଫ୍ (ପପୁ) ଏବଂ ପ୍ରଶାନ୍ତ ବେହେରାଙ୍କ ନାଁରେ ଏହି ଅଭିଯୋଗ ହୋଇଛି ।
ହ୍ୟୁମାନ୍ ସାଗର ପଶ୍ଚିମ୍ ଓଡ଼ିଶାର ଏକ ଆଗଧାଡ଼ିର ଗାୟକ ହୋଇଥିବାରୁ ତାଙ୍କୁ ଅସହିଷ୍ଣୁ ମନୋଭାବ ନେଇ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି ।
ସେହିପରି ହ୍ୟୁମାନ୍ ସାଗରଙ୍କ ମୃତ୍ୟୁ ପରେ ତାଙ୍କ ଶୋକାକୂଳ ପରିବାରକୁ ସ୍ୱାନ୍ତନା ପରିବର୍ତ୍ତେ ହ୍ୟୁମାନ୍ ସାଗର ଙ୍କ ମା’ଙ୍କୁ ଦୁଃର୍ବ୍ୟବହାର ଘଟଣାକୁ ତୀବ୍ର ବିରୋଧ କରିଛନ୍ତି ଅଭିଯୋଗକାରୀ ସଂଗଠନର କର୍ମକର୍ତ୍ତା । ଅଭିଯୋଗକୁ ଆଧାର କରି ଉପଯୁକ୍ତ ତଦନ୍ତ କରିବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ୍ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଭିଯୋଗକାରୀ ଅନୁଷ୍ଠାନର କର୍ମକର୍ତ୍ତା ।

