ନାଗବାଚା ଶିଷ୍ୟଙ୍କ ଗୁରୁଦୀକ୍ଷାନ୍ତ ମହୋତ୍ସବ
ଜମନକିରା : ଜମନକିରା ବ୍ଲକ୍ ସଦର ମହକୁମା ନିକଟସ୍ଥ କଦଲୀମୁଣ୍ଡା ଠାରେ ନୂତନ ଭାବେ ଶିକ୍ଷାଲାଭ କରିଥିବା ନାଗବାଚା ଶିଷ୍ୟଙ୍କ ଗୁରୁଦୀକ୍ଷାନ୍ତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରତ୍ୟୁଷରୁ ବ୍ରତଧାରୀମାନେ ଗୁରୁ ସୁନୀଲ ପଧାନଙ୍କ ପୌରୋହିତ୍ୟରେ ଘଣ୍ଟ ଓ ଶଂଖ ବାଜା ତାଳେ ତାଳେ ସ୍ଥାନୀୟ ମହିଳା ସମିତି ବନ୍ଧରେ ଘାଟପୂଜା କରି କଳସ ଯାତ୍ରାକରି ଗୁଡ଼ି ତଳକୁ ଆସିଥିଲେ। ସେଠାରେ ପୁଷ୍ପ, ଧୂପ, ଦୀପ ନୈବେଦ୍ୟ ସହ ମହାଦେବ, ଭୈରୋ, ହନୁମାନଙ୍କ ସହ ଦେବାଦେବୀଙ୍କୁ ପୁଜା କରାଯାଇଥିଲା। ଏଥିରେ ବଳରାମ ପଧାନ, ଗୋବିନ୍ଦ ପଧାନ, କେଶବ ସାହୁ, ବୃନ୍ଦାବନ ପଧାନ ପ୍ରମୁଖ ସହଯୋଗ କରିଥିଲେ। ଏହି ବିରଳ ଦୀକ୍ଷାନ୍ତ ମହୋତ୍ସବକୁ ଦେଖିବାକୁ ଆଖ ପାଖର ଶ୍ରଦ୍ଧାଳୁମାନଙ୍କ ପ୍ରବଳ ସମାଗମ ହୋଇଥିଲା।ଅପରାହ୍ନରେ ବରୁଆମାନେ କୁଠିଶାଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ।
ନୂତନ ପିଢିର ୯ଜଣ ଯୁବକ ଯଥା ତୁଷାର ପଧାନ, କୁନାଲ୍ ସାହୁ, ଲିପନ୍ ସାହୁ, ଅମିତ ପଧାନ, ଜିତେଶ ପଧାନ, ଜଗନ ବିଶ୍ୱାଳ, ପପୁନ୍ ପଧାନ, ସୁଶାନ୍ତ ପଧାନ, ବବୁନ୍ ପଧାନ ଶିକ୍ଷା ଦୀକ୍ଷା ଲାଭକରି ବ୍ରତ ଧାରଣ କରିଥିଲେ। ରାତ୍ରିରେ ବିରିଗୁଡ଼ା ଜଙ୍ଗଲରେ ଶୀତଖିଆ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏଠାରେ ଉଲ୍ଲେଖନୀୟ ଏହିକି ଯେ ସେବା, ଭକ୍ତି, ନିଷ୍ଠା ଓ ବିଶ୍ବାସର ଏହି ପରମ୍ପରା ଶତାଧିକ ବର୍ଷରୁ ପ୍ରଚଳିତ ରହିଛି। ନାଗବାଚା ଶିଷ୍ୟମାନେ ବିଷାକ୍ତ ସାପ, ସରୀସୃପ କାମୁଡ଼ାଜନୀତ ବିଷକ୍ରିୟାର ଉପଶମ କରିଥାନ୍ତି l

