ଭୋଜପୁର ବି.ଆର୍.ଜି. ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ୍ସ ଦିବସ ପାଳନ
ଜମନକିରା : ଜମନକିରା ବ୍ଲକ ଭୋଜପୁର ବି.ଆର୍.ଜି. ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ୍ସ ଦିବସ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସଚେତନତା ଅଭିଯାନର ଅଂଶ ଭାବେ ବିଦ୍ୟାଳୟ ପରିସରରୁ ଛାତ୍ରଛାତ୍ରି ମାନଙ୍କ ଏକ ବିରାଟ ଶୋଭାଯାତ୍ରା ବାହାରି ମାତାମହୁଲ ଗ୍ରାମ ପରିକ୍ରମା କରିଥିଲା।ପଥଚାରୀ ଓ ଜନସାଧାରଣଙ୍କ ମଧ୍ୟରେ ଏଡ୍ସ ସଚେତନତା ସୃଷ୍ଟି ପାଇଁ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଳୋଗାନ୍ ଉଚ୍ଚାରଣ ଓ ବାନର ଦ୍ଵାରା ସଚେତନ କରିଥିଲେ। ଏହା ପରେ ବିଦ୍ୟାଳୟ ସଭାକକ୍ଷରେ ଅଧ୍ୟକ୍ଷ ଘାସିରାମ ବାରିକଙ୍କ ଅଧ୍ୟକ୍ଷତାରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରତାପ କୁମାର ମହାକୁଳ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଏଡ୍ସ ରୋଗର କାରଣ, ଲକ୍ଷଣ, ଚିକିତ୍ସା ପ୍ରକ୍ରିୟା ଓ ପ୍ରତିରୋଧକ ଉପାୟ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ବରିଷ୍ଠ ଅଧ୍ୟାପିକା ସୁବାସିନୀ ଶତପଥୀ, ଅନିତା ପଟେଲ ଓ ଅନ୍ୟାନ୍ୟ ବକ୍ତାମାନେ ନିଜ ବକ୍ତବ୍ୟ ମାଧ୍ୟମରେ ଏଡ୍ସ ବାବଦରେ ଦୃଢ଼ ଜ୍ଞାନ ଓ ସଚେତନତା ଗଢ଼ି ତୋଳିଥିଲେ। ସଭା ଶେଷରେ ଏଡ୍ସ ବିଷୟକ ‘ଜଣା-ଅଜଣା’ କୁଇଜ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଓ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର, ଟ୍ରଫି ଓ ପୁରସ୍କାର ପ୍ରଦାନ କରାଗଲା। କାର୍ଯ୍ୟକ୍ରମକୁ ଯୁବ ରେଡ଼କ୍ରସ ପରାମର୍ଶଦାତା ଅଧ୍ୟାପକ ତପନ କୁମାର ଜୟପୁରିଆ ସଫଳତା ପୂର୍ବକ ପରିଚାଳନା କରିଥିଲେ। ସମାପନୀ ଧନ୍ୟବାଦ ଜ୍ଞାପନ ଅଧ୍ୟାପକ ଜନ୍ମାଜୟ କୁମୁରା କରିଥିଲେ।

