ବିଳମ୍ବିତ ରାତିରେ ଗୁଳିକାଣ୍ଡ; ଜଣେ ଗୁରୁତର, ତିନି ଦୁର୍ବୁତ୍ତ ଫେରାର
ଅନୁଗୁଳ;୧୧|୧୨: ବିଳମ୍ବିତ ରାତିରେ ଗୁଳିମାଡ| ଅନୁଗୁଳ ସହରର ଶିକ୍ଷକପଡା ଅଞ୍ଚଳରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟଣା ଘଟିଛି। ଏହି ରାତି ଅଧିଆ ଗୁଳିମାଡରେ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାସ୍ଥଳରେ ଅନୁଗୁଳ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାଇ ଭବାନୀ ଶଙ୍କର ପ୍ରଧାନ ନାମକ ବ୍ୟକ୍ତିଙ୍କ ସହ ତାଙ୍କର ଜଣେ ବନ୍ଧୁ ବିଶ୍ଵଜିତ ମିତ୍ର ଶିକ୍ଷକପଡା ସ୍ଥିତ ଇକୋ ପାର୍କ ସାମ୍ନାରେ ଛିଡା ହୋଇଥିଲେ | ସେହି ସମୟରେ ତାଙ୍କ ଉପରେ ଏହି ଗୁଳିମାଡ଼ ହୋଇଥିଲା। ଅପରପକ୍ଷରେ ଏକ ମୋଟର ସାଇକେଲରେ ହଠାତ ତିନି ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ | ତାଙ୍କ ଭିତରୁ ଜଣେ ଏକ ବନ୍ଧୁକରୁ ଭବାନୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ସିଧା ଭବାନୀଙ୍କ ପେଟରେ ବାଜିଥିଲା। ଏହି ସମୟରେ ଅନ୍ୟ ଜଣେ ଦୁର୍ବୃତ୍ତ ଏକ ଲୁହା ରଡରେ ବିଶ୍ୱଜିତଙ୍କୁ ମଧ୍ୟ ଆକ୍ରମଣ କରିଥିଲେ | ଏହାପରେ ଘଟଣାସ୍ଥଳରୁ ସେହି ତିନି ଦୁର୍ବୁତ୍ତ ସେଠାରୁ ଫେରାର ହୋଇଯାଇଥିଲେ।
ବିଶ୍ଵଜିତଙ୍କ ସହ ସ୍ଥାନୀୟ ଲୋକେ ଭବାନୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଅନ୍ୟପଟେ ଖବର ପାଇବା ମାତ୍ରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଏ ଓ କାହିଁକି ଏଭଳି ଆକ୍ରମଣ କରିଛି ତାହା ଏପଯ୍ୟନ୍ତ ଜଣା ପଡିନାହିଁ।

