ଈଶ୍ୱରୀୟ ଆସ୍ଥା, ଜୀବେଦୟା ଓ ପ୍ରକୃତି ପ୍ରେମ ବାର୍ତ୍ତା ନେଇ ତେଇଶି ଦିନିଆ ପୁରୀ ପଦ ଯାତ୍ରା ଉଦଯାପନ।
କଳାହାଣ୍ଡି,୧୬/୦୧
ଶ୍ରୀ ଶ୍ରୀ ଧବଳେଶ୍ବର ମହାଦେବ ମନ୍ଦିର ଟ୍ରଷ୍ଟ ପକ୍ଷରୁ ୧୮ ଜଣ ଶ୍ରଦ୍ଧାଳୁ ମହନ୍ତ ଜଗନ୍ନାଥ ଦାସଙ୍କ ମାର୍ଗଦର୍ଶନରେ , ପଣ୍ତିତ ମଙ୍ଗୁଳୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗତ ୨୨ ଡ଼ିସେମ୍ବର ୨୦୨୫ଦିନ ଭବାନୀପାଟଣା ସହର ପରିକ୍ରମା କରି ଜଗନ୍ନାଥ ମନ୍ଦିରରେ ପ୍ରସାଦ ସେବନ ପୂର୍ବକ ପଦଯାତ୍ରା ଆରମ୍ଭ କରିଥିଲେ l ଦୈନିକ ୨୩/୨୭ କି. ମି. ଚଳୁଥିଲେ l ମନ୍ଦିର, ଦେବୀ ପୀଠ, ପୁଣି ସୁବିଧା ଥିଲେ କଲ୍ୟାଣ ମଣ୍ଡପ ଠାରେ ରାତ୍ରୀ ଯାପନ କରୁଥିବା ବେଳେ ଦିବା ବିଶ୍ରାମ ପାଇଁ ନଦୀକୁଳ, ମନ୍ଦିର ବେଢ଼ା, ଗଛଛାଇ ଦେଖି ଭୋଜନ ପ୍ରସ୍ତୁତ କରି ପ୍ରସାଦ ଗ୍ରହଣ କରୁଥିଲେ l ଖଣ୍ଡ ଖଣ୍ଡ ଶୀତକାଳରେ ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ, ଶୌଚ ସାରି ରାମ ନାମକୁ ପାଥେୟ କରି ଚାଲି ଯାଇଥିଲେ ମଧ୍ୟ ଥଣ୍ଡା କିମ୍ବା ଜ୍ବର ହୋଇ ନଥିବା ଶ୍ରୀକ୍ଷେତ୍ର ଧାମ ପଦଯାତ୍ରା ବାହିନୀ ର ତତ୍ତ୍ୱାବଧାରକ କମ୍ବୁପାଣି ପରିଛା ପ୍ରକାଶ କରିଛନ୍ତି l
ଗତ ୧୦ ତାରିଖରେ ଶ୍ରୀକ୍ଷେତ୍ର ଧାମ ପୁରୀରେ ପହଞ୍ଚି କୋଟି କୋଟି ଓଡିଆଙ୍କ ପ୍ରାଣର ଦେବତା ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଥିଲେ l ଆଜି ପବିତ୍ର ମକର ସଂକ୍ରାନ୍ତି ପୂର୍ବାହ୍ନ ରେ ଭବାନୀପାଟଣା ରେଳ ଷ୍ଟେସନରେ ପହଞ୍ଚିବା ପରେ ବାଲାଜୀ ମନ୍ଦିର, ପୁରୁଣା ପଡ଼ା ତାରିଣୀ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ସ୍କୁଲଛକ ଓ ଶେଷରେ ଶମ୍ଭୁ ନଗର ତ୍ରିନାଥ ମନ୍ଦିର ଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ପୁଷ୍ପମାଲ୍ୟ, ଉତ୍ତରୀୟରେ ସମସ୍ତେ ଆଚ୍ଛାଦିତ ହୋଇ ଯାଇଥିଲେ lଭୋଇଗୁଡ଼ା ଧବଳେଶ୍ବର ମହାଦେବ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ସମ୍ବର୍ଦ୍ଧନା ସଭାର ମୁଖ୍ୟ ଅତିଥି ଇଂ ନିରଞ୍ଜନ ପ୍ରଧାନଙ୍କ କରକମଳରେ *ପଦବ୍ରଜ୍ୟା* ସମ୍ମାନରେ ସମ୍ମାନିତ କରାଯାଇଥିଲା l ସମ୍ମାନିତ ଅତିଥି ଅଶ୍ଵିନୀ ପ୍ରଧାନ ସମସ୍ତ ପଦଯାତ୍ରୀଙ୍କୁ ଏ ମହତ୍ କାର୍ଯ୍ୟ ପାଇଁ ଭୂରି ଭୂରି ପ୍ରଶଂସା କରିଥିଲେ l ସଚ୍ଚିଦାନନ୍ଦ ମହାଖୁଡ୍, ଗିରିଜା ଶଙ୍କର ସାହୁ,ଚନ୍ଦ୍ର ଶେଖର ପ୍ରଧାନ, ଲକ୍ଷ୍ମୀ ନାରାୟଣ ପଣ୍ଡା, ଭଗବାନ ବିଶୋଇ , ସୀତାକାନ୍ତ ପ୍ରଧାନ ,କାଳୀ ପ୍ରସାଦ ଡାକୁଆ,ଅରୂପ ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ l

