ମଦନ ମୋହନ ମନ୍ଦିରରେ ଏକାଦଶୀ ବ୍ରତ ଉଦ୍ୟାପନ।
କଳାହାଣ୍ଡି,୩୦/୦୧
ସହରର ମଦନ ମୋହନ ମନ୍ଦିରରେ ଗତବର୍ଷ ମାଘ ଶୁକ୍ଳ ବଡ ଏକାଦଶୀ ଠାରୁ ଆରମ୍ଭ ହୋଇଥିବା ଏକାଦଶୀ ବ୍ରତ ଶୁକ୍ରବାର ଉଦ୍ୟାପନ ହୋଇଛି। ପାଞ୍ଚ ଜଣ ସମେତ ୧୮ ଗୋଟି ଦମ୍ପତି ଗତ ବର୍ଷ ମାଘ ବଡ ଏକାଦଶୀ ଦିନ ସଂକଳ୍ପ କରି ଏକାଦଶୀ ବ୍ରତ ଆରମ୍ଭ କରିଥିଲେ। ବର୍ଷର ୨୪ ଟି ଏକାଦଶୀ ଓ ଷଡ ଜୟନ୍ତୀ ଶିବରାତ୍ରି, ଶ୍ରୀରାମ ନବମୀ, ଜନ୍ମାଷ୍ଟମୀ, ଦୂର୍ଗାଷ୍ଟମୀ, ବାମନ ଜନ୍ମ ଓ ନୃସିଂହ ଚତୁର୍ଦ୍ଦଶୀ ମିଶାଇ ୩୦ ଦିନ ସମ୍ପୂର୍ଣ ଉପବାସ ରହି ଆଧ୍ୟାତ୍ମିକ ପରିବେଶରେ ଏହି ୪୧ ଜଣ ବ୍ରତୀ ଏକାଦଶୀ ବ୍ରତ ପାଳନ କରିଥିଲେ। ସେମାନଙ୍କ ମଧ୍ୟରେ ୮୬ ବର୍ଷ ବୟସ୍କ ମଧୁ ସୂଦନ ମହାପାତ୍ର ବୟୋଜ୍ୟେଷ୍ଠ ବ୍ରତୀ ଥିଲେ।ମହେନ୍ଦ୍ର କୁମାର ପଣ୍ଡା ଓ ତାଙ୍କ ପତ୍ନୀ ରଞ୍ଜିତା ପଣ୍ଡା ଏହି ବାର୍ଷିକ ଏକାଦଶୀ ବ୍ରତର କର୍ତ୍ତା ହୋଇଥିଲେ। ଆଚାର୍ଯ୍ୟ ନିରଞ୍ଜନ ଦାସ ଓ ଶରତ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଏକ ବର୍ଷର ଏହି ଧର୍ମୀୟ ଅନୁଷ୍ଠାନ ସମ୍ପାଦିତ ହୋଇଥିଲା। ପ୍ରତ୍ୟେକ ଏକାଦଶୀ ଓ ଷଡ ଜୟନ୍ତୀ ନିମନ୍ତେ ଦଶମୀ ଓ ଦ୍ଵାଦଶୀ ତିଥିରେ ବ୍ରତୀ ମାନେ ହବିଷାନ୍ନ କରୁଥିଲେ ଏବଂ ଏକାଦଶୀ ଦିନ ସମ୍ପୂର୍ଣ୍ଣ ଉପବାସ ରହି ମଦନ ମୋହନ ମନ୍ଦିରରେ ଜାଗର ଜାଳି ଉଗାଗର ରହୁଥିଲେ। ରାତି ତମାମ ଗୀତା, ବିଷ୍ଣୁ ସହସ୍ରନାମ ଓ ଭାଗବତ ପରାୟଣ ସାମୁହିକ ଭାବରେ କରୁଥିଲେ। ଉଦ୍ୟାପନ ନିମନ୍ତେ ବୁଧବାର କଳସ ଯାତ୍ରା ଓ ଅଙ୍କୁରାରୋପଣ କରାଯାଇଥିଲା। ଗୁରୁବାର ବଡ଼ ଏକାଦଶୀରେ ଷୋଡଶ ଉପଚାର ପୂଜା, ଶ୍ରୀମଦ୍ଭାଗବତ ଗୀତା ଓ ବିଷ୍ଣୁ ସହସ୍ରନାମରେ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ବଡ ଏକାଦଶୀ ସନ୍ଧ୍ୟାରେ ପ୍ରତ୍ୟେକ ବ୍ରତୀ ଏକ ଲକ୍ଷ ଲେଖାଏଁ ଦୀପ ସମୁଦାୟ ୨୩ ଲକ୍ଷ ଦୀପ ସହ ମନ୍ଦିର ପରିକ୍ରମା କରି ମଦନ ମୋହନଙ୍କୁ ମହାଦୀପ ସମର୍ପଣ କରିଥିଲେ। ଶୁକ୍ରବାର ମଧ୍ୟାହ୍ନରେ ଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା। ନିରଞ୍ଜନ ଦାସ, ମନୋରଞ୍ଜନ ଦାସ ଓ ଗଦାଧର ଦାସ ଏକାଦଶୀ ବ୍ରତ ଉଦ୍ଯାପନର ଆଚାର୍ଯ୍ୟ ହୋଇଥିଲେ। ପୂର୍ଣ୍ଣାହୁତି ପରେ ଅନ୍ନ ଯଜ୍ଞର ଆୟୋଜନ ପରେ ଏକାଦଶୀ ବ୍ରତ ଉଦଯାପିତ ହୋଇଥିଲା।

