ସିନ୍ଧେକେଲା ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ।
ବଲାଙ୍ଗୀର,୧୨।୪: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଙ୍କ ଅଧ୍ୟକ୍ଷତାରେ ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୁଣା ହସ୍ପିଟାଲ୍ କୋଠାର ସ୍ଥିତି ଠିକ୍ ନଥିବାରୁ ଶିଘ୍ର ନୂତନ ତିଆରି ହୋଇଥିବା ହସ୍ପିଟାଲ୍ କୋଠାକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରିବାପାଇଁ ଆଲୋଚନା ହୋଇଥିଲା। ସିନ୍ଧେକେଲା ପଞ୍ଚାୟତ ମୁଖ୍ୟାଳୟର ବିଭିନ୍ନ ସ୍ଥାନରେ ପ୍ରାୟ ବହୁ ସରକାରୀ ଜମି ରହିଛି । ହେଲେ ନୂତନ ନିର୍ମାଣ ହୋଇଥିବା ହସ୍ପିଟାଲ୍ କୋଠା ନିକଟ ଏବଂ ବଲାଙ୍ଗୀର-ଚାନ୍ଦୋତରା ୪୨ ନମ୍ବର ରାଜ୍ୟ ରାଜପଥରେ ପଡୁଥିବା ସିନ୍ଧେକେଲା ମୁଖ୍ୟ ରାସ୍ତାରେ ମୁଖ୍ୟତଃ ନୂତନ ହସ୍ପିଟାଲ କୋଠା ନିର୍ମାଣ ହୋଇଥିବା ନିକଟରେ ଜବରଦଖଲ ହୋଇଛି । ତେଣୁ ନୂତନ ହସ୍ପିଟାଲ୍ କୁ ରାସ୍ତା ଦେବାକୁ ସ୍ଥାନୀୟ ରାଜସ୍ୱ ବିଭାଗ କୁନ୍ଥକୁନ୍ଥ ହେଉଥିବା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିବା ଦେଖିବାକୁ ମିଳିଛି। ସୁଚନାଯୋଗ୍ୟ ଯେ କିଛି ବର୍ଷ ତଳେ ହସ୍ପିଟାଲ ତିଆରି ହେବାର ଖବର ପ୍ରଚାରିତ ହେବା ପରେ ପରେ ବହୁ ସଂଖ୍ୟାରେ ସ୍ଥାନୀୟ ଓ ବାହାରର ଲୋକେ ଏବଂ କୁଜି ନେତା ସରକାରୀ ଜମିକୁ ଜବରଦଖଲ କରି ବଡ଼ବଡ଼ କୋଠା ନିର୍ମାଣ କରିଥିବାରୁ ନୂତନ ତିଆରି ହୋଇଥିବା ହସ୍ପିଟାଲ୍ କୋଠାକୁ ସିଧାସଳଖ ରାସ୍ତା ବଦଳରେ ସର୍ଭେ ସମୟରେ ହସ୍ପିଟାଲ ପାଇଁ ରାସ୍ତା ବୁଲାଇ ଦେଇଥିଲେ। ଫଳରେ ହସ୍ପିଟାଲ କୋଠା ନିର୍ମାଣ ହୋଇ ଦେଢ଼ ବର୍ଷ ହୋଇଯାଇଥିଲେ ହେଁ ସିଧାସଳଖ ରାସ୍ତା ସଂଯୋଗ ହେବା ମୁସ୍କିଲ ହୋଇପଡିଛି। ଫଳରେ ସ୍ଥାନୀୟ ଯୁବ ଗୋଷ୍ଠୀ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସିନ୍ଧେକେଲା ସରପଞ୍ଚ ନରେଶ ଅଗ୍ରୱାଲ, ସିନ୍ଧେକେଲା ରାଜସ୍ବ ନିରୀକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ତେବେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ରାଜସ୍ବ ବିଭାଗକୁ ବିଧାୟକ ଶ୍ରୀ ବାଗ ନିର୍ଦ୍ଦେଶ ଦେଇଥିଲେ। ପରେ ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ ଗୋଟିଏ ବର୍ଷରେ ହୋଇଥିବା ଖର୍ଚ୍ଚର ସବିଶେଷ ବିବରଣୀ ବ୍ଲକ୍ ଆକାଉଣ୍ଟ ମ୍ୟାନେଜର ଶିବ ପ୍ରସାଦ ରଥ ପାଠ କରିଥିଲେ। ବଳକା ଥିବା ଅର୍ଥକୁ ନୂତନ ତିଆରି ହୋଇଥିବା ହସ୍ପିଟାଲ କୋଠାକୁ ସ୍ଥାନାନ୍ତରିତ ହେବାପରେ ଆବଶ୍ୟକ ଅନୁଯାୟୀ ଖର୍ଚ୍ଚ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଆଗକୁ ରୋଗୀ କଲ୍ୟାଣ ସମିତିର ପାଣ୍ଠିରୁ ଯାହା ବି ଖର୍ଚ୍ଚ ହେବ ତାହା ଆରକେଏସ କମିଟିର ସଦସ୍ୟ ମାନଙ୍କ ସହ ବିଚାରବିମର୍ଶ କରି ଖର୍ଚ୍ଚ କରିବା ପାଇଁ ବିଧାୟକ ଶ୍ରୀ ବାଗ ଏମ ଓ ଆଇ ସି ଜୟନ୍ତ ବାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏନ୍ଏଚଏମ୍ ର ଯନ୍ତ୍ରୀ ବିଣା ନାଗ ଆଗକୁ ନୂତନ ହସ୍ପିଟାଲ କୋଠାରେ ଆଉ କଣ କଣ କାମହେବ ସେନେଇ ଆଲୋକପାତ କରିଥିଲେ। ଯାହାକି ପୁରୁଣା ହସ୍ପିଟାଲ ନୂତନ ତିଆରି ହୋଇଥିବା ହସ୍ପିଟାଲ କୋଠାକୁ ସ୍ଥାନାନ୍ତରିତ ହେବାପରେ ମଧ୍ୟ ହୋଇପାରିବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଏମ୍ ଓ ଆଇ ସି ଜୟନ୍ତ କୁମାର ବାଗ, ବଲାଙ୍ଗୀର ସାଂସଦଙ୍କ ବଙ୍ଗୋମୁଣ୍ଡା ବ୍ଲକ୍ ପ୍ରତିନିଧି ଅନିଲ ନାଏକ, ସିନ୍ଧେକେଲା ଜୋନ ଜିଲ୍ଲା ପରିଷଦ ସଦସ୍ୟ ଦାମ ସୁନା, ସିନ୍ଧେକେଲା ସରପଞ୍ଚ ନରେଶ ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ଥିଲେ। ଏଥିରେ ରୋଗୀ କଲ୍ୟାଣ ସମିତିର ଜଗନ୍ନାଥ ବେହେରା, ପପୁ ସାହୁ, ପରମା ସାହୁ, ହେମନ୍ତ ସାହୁ, କହ୍ନେୟା ଜୈନ, ନୌରାଜ ରଣା, ମୋତି ତ୍ରିପାଠୀ, ଅମିତ ଜୈନ, ଅନିଲ କୁମାର ତ୍ରିପାଠୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

