ସରକାରୀ ଫାଇଲ୍ ଚିରିଲେ ବ୍ଲକ ଅଧ୍ୟକ୍ଷ; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଥାନାରେ ଏତଲା ।
ବଲାଙ୍ଗିର, ୭।୫ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଜନପ୍ରତିନିଧି ହୋଇ ସରକାରୀ ନିୟମକୁ ଫୁ’ କରି ସର୍ବସମ୍ମୁଖରେ ସରକାରୀ ଦସ୍ତାବିଜ୍ ଚିରିବା ଭଳି ସଂଘାତିକ ଅଭିଯୋଗ ଆସିଛି ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗଙ୍କ ବିରୋଧରେ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବ୍ଲକ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କ ପ୍ରକୋଷ୍ଠରେ କୌଣସି ବିଷୟକୁ ନେଇ ବଚସା ହୋଇଥିଲା। ଏହି ସମୟରେ ଅଧ୍ୟକ୍ଷ ଶ୍ରୀ ବାଗ ଉତ୍ତ୍ୟକ୍ତ ହୋଇ ମୁଖ୍ୟ କିରାଣୀଙ୍କ ଟେବୁଲ ଉପରେ ଥିବା ଏକ ସରକାରୀ ଫାଇଲକୁ ଚିରି ଫିଙ୍ଗି ଦେଇଥିଲେ। ସୂଚନାଯୋଗ୍ୟ ଯେ, ମଲ୍ଲିକମୁଣ୍ଡାରୁ ଧାତୁକ ପର୍ଯ୍ୟନ୍ତ ହୋଇଥିବା ରାସ୍ତା କାମର ଫାଇନାଲ୍ ବିଲ୍ ପାଇଁ ଏହି ଫାଇଲ୍ଟି ମୁଖ୍ୟ କିରାଣୀଙ୍କ ନିକଟରେ ଉପସ୍ଥାପିତ ହୋଇଥିଲା। ଅଧ୍ୟକ୍ଷଙ୍କ ଏହି ସମଗ୍ର କାର୍ଯ୍ୟକଳାପ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ବ୍ଲକ ପ୍ରଶାସନ। ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ସରକାରୀ ଦସ୍ତାବେଜ୍ ନଷ୍ଟ କରିବା ଅଭିଯୋଗରେ ପାଟଣାଗଡ଼ ବି.ଡି.ଓ ସୁମନ ମିଞ୍ଜ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଭିତ୍ତିରେ ପାଟଣାଗଡ଼ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପ୍ରାଥମିକ ଚର୍ଚ୍ଚା ଅନୁଯାୟୀ, ଠିକା କାମର ଭାଗବଣ୍ଟା ଏବଂ ପିସି କାରବାରକୁ ନେଇ ଦୀର୍ଘ ଦିନରୁ ଅସନ୍ତୋଷ ଲାଗି ରହିଥିଲା। ଏହି ରାସ୍ତା କାମର ଅର୍ଥ ପଇଠକୁ ନେଇ ବିବାଦ ସୂତ୍ରପାତ ହୋଇଥିବା ଏବଂ ସେହି କାରଣରୁ ଅଧ୍ୟକ୍ଷ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି।
ଜଣେ ଦାୟିତ୍ୱବାନ ପଦବୀରେ ଥାଇ ସରକାରୀ ସମ୍ପତ୍ତି ଓ ଦସ୍ତାବେଜ୍କୁ ନଷ୍ଟ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସର ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ।

